୧୦ ଦେଶର ରାଷ୍ଟ୍ରଦୂତ କିଟ ପରିଦର୍ଶନ ସହ ଏସଡିଜି ବୈଠକ

 ଭୁବନେଶ୍ୱର : ଲାଟିନ ଆମେରିକା ଏବଂ କାରିବିଆନ୍ ଦେଶଗୁଡିକର ପ୍ରତିନିଧିତ୍ୱ କରୁଥିବା ଦଶ ଜଣ ରାଷ୍ଟ୍ରଦୂତ ଆଜି କିଟ୍ ଏବଂ କିସ ପରିଦର୍ଶନ କରିବା ସହ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଗୋଲ ଟେବୁଲ ବୈଠକରେ ଯୋଗଦେଇ ଆଲୋଚନା କରିଥିଲେ । ପେରୁ, ଆର୍ଜେଣ୍ଟିନା, ଉରୁଗୁଏ, ପାରାଗୁଏ, ସୁରିନାମ, ଚିଲି, ଜାମାଇକା, ବଲିଭିଆ, ଗୁଆଟେମାଲା ଏବଂ କଲମ୍ବିଆ ଆଦି ଦେଶର ରାଷ୍ଟ୍ରଦୂତମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସେମାନେ କିଟ ଓ କିସ ପରିଦର୍ଶନ କରି ଏହାର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରି କହିଲେ ଶ୍ରୀ ସାମନ୍ତଙ୍କ ପ୍ରୟାସ ଯୋଗୁଁ ଆଜି କିଟ ଓ କିସ ବିଶ୍ୱର ଦୁଇଟି ପ୍ରତିଷ୍ଠିତ ଅନୁଷ୍ଠାନ ହୋଇପଡିଛି । ଏହା କିଟ ଓ କିସରେ ଏସଡିଜି ଲକ୍ଷ୍ୟ କାର୍ଯ୍ୟକାରୀ ହେବାର ପ୍ରତିଫଳନ ବୋଲି ସାମନ୍ତ କହିଥିଲେ । ବିକାଶ ନିଶ୍ଚିତ ଭାବରେ ଶେଷ ଗାଁର ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ଦରକାର । କିଟ ଓ କିସରେ ଲାଟିନ ଆମେରିକା ଓ କାରାବିୟାନ ଦେଶ ସମୂହ (ଗୃଲାକ) ଓ ଭାରତ ମଧ୍ୟରେ ଉଦ୍ଭାବନ ଏବଂ ଜ୍ଞାନର ବିନିମୟ ଉପରେ ଦୃଷ୍ଟିଦେବାକୁ ସେ ରାଷ୍ଟ୍ରଦୂତମାନଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ଗୃଲାକର ସଂଯୋଜକ ତଥା ଉରୁଗୁଏ ରାଷ୍ଟ୍ରଦୂତ ଆଲବର୍ଟ ଆଣ୍ଟୋନିଓ ଗୁଆନି ଅମରିଲା ରାଷ୍ଟ୍ରଦୂତ ପତିନିଧିମଣ୍ଡଳ ପକ୍ଷରୁ ବକ୍ତବ୍ୟ ରଖି କହିଲେ, ସହଯୋଗ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ । "ଭାରତରେ ଥିବା ଲାଟିନ୍ ଆମେରିକା ଏବଂ କାରିବିଆନ୍ ଦେଶର ପ୍ରତିନିଧି ଗୋଷ୍ଠୀର ସଂଯୋଜକ ଭାବରେ ଏହି ରାଉଣ୍ଡଟେବୁଲର ଏକ ଅଂଶ ହେବା ମୋ ପାଇଁ ଗର୍ବର ବିଷୟ ବୋଲି ସେ କହିଥିଲେ ।