ପୂର୍ବ ସରକାରଙ୍କୁ ପୀତାମ୍ବରଙ୍କ ଟାର୍ଗେଟ୍ ‘ମହାନଦୀକୁ ନେଇ ହୋଇଥିଲା କୃତ୍ରିମ ବିବାଦ’
ଭୁବନେଶ୍ୱର: ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମହାନଦୀ ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ମହାନଦୀକୁ ନେଇ କୃତ୍ରିମ ବିବାଦ ସୃଷ୍ଟି ହୋଇଥିଲା ବୋଲି ସେ ରୋକଠୋକ୍ କହିଛନ୍ତି । ଅପରପକ୍ଷରେ ଏନେଇ ବିଜେଡ଼ି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।
ପୀତାମ୍ବର କହିଛନ୍ତିଯେ, ନଦୀ ବିବାଦର ସମାଧାନ କେବେ ଟ୍ରିବୁ୍ୟନାଲ ଦ୍ୱାରା ସମ୍ଭବପର ହୋଇନାହିଁ । ତାହାକୁ ଓକିଲ ପୋଷିବା ମକଦ୍ଦମା ବୋଲି କୁହାଯାଏ । ଦାମୀ ଓକିଲଙ୍କୁ ପୋଷିବା ପାଇଁ ପୂର୍ବ ସରକାର କୃତ୍ରିମ ବିବାଦ ସୃଷ୍ଟି କରିଥିଲେ । ରାଜନୀତିକ ଉଦେ୍ଦଶ୍ୟ ରଖି ଏଭଳି କରାଯାଇଥିଲା । ଏଥିପାଇଁ ନାମୀଦାମୀ ଓକିଲଙ୍କୁ ୩୩ କୋଟି ଟଙ୍କାର ଫିସ୍ ଦିଆଯାଇଛି । ଆମେ ଏବେ ନିଜେ ଯାଇ ମକଦ୍ଦମା ଲଢୁଛୁ । କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଏହାର ସମାଧାନ ହେବବୋଲି ଆଶା କରାଯାଉଛି । ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଏନେଇ ସକରାତ୍ମକ ଆଲୋଚନା ଜାରିରହିଛି ବୋଲି ସେ କହିଛନ୍ତି ।
ଅପରପକ୍ଷରେ, ବିଜେଡ଼ି ପକ୍ଷରୁ କୁହାଯାଇଛିଯେ, ଯଦି ଏହା ଏକ କୃତ୍ରିମ ସମସ୍ୟା ଥିଲା, ତେବେ ବିଜେପି କ୍ଷମତାକୁ ଆସିବାର ପନ୍ଦର ମାସ ପରେ ମଧ୍ୟ ଏହାକୁ ସମାଧାନ କରାଯାଇପାରିନାହିଁ । ଶ୍ରୀ ଆଚାର୍ଯ୍ୟ ଦେଇଥିବା ବକ୍ତବ୍ୟ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ । କେବଳ ଓଡ଼ିଶାରେ ନୁହେଁ, କେନ୍ଦ୍ରରେ ଓ ଛତିଶଗଡ଼ରେ ମଧ୍ୟ ବିଜେପି ସରକାର ଅର୍ଥାତ ଟ୍ରିପଲ ଇଞ୍ଜିନ ସରକାର ରହିଛି । ଏହାପରେବି ସମାଧାନ ହୋଇପାରିନଥିବାରୁ ମହାନଦୀ ଜଳ ବିବାଦ କୃତ୍ରିମ ନଥିଲା ବୋଲି ସେ କହିଛନ୍ତି ।