ବଜାରରେ ମିଳୁନି ପାଣି!


ମାସ କେଇଟା ତଳେ ହେଲା ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ପାଖାପାଖି ୧୦ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ଏବଂ ହଇଜା ସଂକ୍ରମଣ ହୋଇଥିଲା । ଏ ପ୍ରକାରର ଏକ ଘଟଣାର ତକ୍ରାଳୀକ ପ୍ରତିକ୍ରିୟା ଭାବରେ ବଜାରରେ ବୋତଲ ଏବଂ ଜାର୍ମାନଙ୍କରେ ଭର୍ତ୍ତି କରାଯାଇ ବିକ୍ରି କରାଯାଉଥିବା ପାଣି ଆଉ ସହଜରେ ମିଳୁନାହିଁ । ଏହାର ମୁଖ୍ୟ କାରଣ ହେଲା ପ୍ୟାକିଂ କରି ପାଣି ବିକ୍ରି କରିବା ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନଥିଲା କିମ୍ବା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସବୁର ଯାଞ୍ଚ୍ କରିବା ପାଇଁ କେହି କେବେହେଲେ ଉଦ୍ୟମ କରୁନଥିଲେ । ହେଲେ ନିର୍ଦ୍ଦିଷ୍ଟ କେତୋଟି ସ୍ଥାନରେ ପାନୀୟ ଜଳରେ ହଇଜା ଜୀବାଣୁ ଉପସ୍ଥିତ ରହିଥିବା ଜଣାପଡ଼ିବା ପରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ୟକିଂ କରାଯାଇ ବିକ୍ରି କରାଯାଉଥିବା ପାଣି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । କୌଣସି କମ୍ପାନୀ ବିକ୍ରି କରିବା ପାଇଁ ପାଣିକୁ ପ୍ୟାକିଂ କରିବା ବେଳେ ପାଣି ବୋତଲ, ପ୍ୟାକେଟ୍ କିମ୍ବା ଜାର୍ ଉପରେ ପାଣିର ବିଶୁଦ୍ଧତାକୁ ନେଇ ପ୍ରମାଣପତ୍ର କିମ୍ବା ନିଶ୍ଚିତତା ସୂଚକ ତଥ୍ୟ ରହିବା ଆବଶ୍ୟକ । ହେଲେ କେତୋଟି ପୁରୁଣା ପାଣି ବ୍ୟବସାୟ କ୍ଷେତ୍ରରେ ଥିବା କମ୍ପାନୀ ଉତ୍ପାଦ ପାଣିକୁ ଅଲଟ୍ରା ଭାଓଲେଟ୍ ରଶ୍ମୀ ମାଧ୍ୟମରେ ବିଶୋଧନ କରାଯାଉଥିବା ତଥ୍ୟ ଦେଉଛନ୍ତି । ଏହା କେବଳ ଗ୍ରାହକମାନଙ୍କର ପସନ୍ଦଯୋଗ୍ୟ ବିଶ୍ୱାସ ମାତ୍ର । କାରଣ ଦୀର୍ଘମାସ ଧରି ଗ୍ରାହକମାନେ ଯେଉଁ କମ୍ପାନୀର ପାଣି ବୋତଲକୁ ବ୍ୟବହାର କରୁଛନ୍ତି ସେହି କମ୍ପାନୀର ବିକ୍ରି ହେଉଥିବା ପାଣିକୁ ସାଧାରଣତଃ ଲୋକମାନେ ପାନୟୀ ଯୋଗ୍ୟ ବୋଲି ଗ୍ରହଣ କରିନିଅନ୍ତି । ଏ କ୍ଷେତ୍ରରେ ବାସ୍ତବତା ହେଉଛି ବିଭିନ୍ନ ସହରାଞ୍ଚଳର ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଜାରରେ ମିଳୁଥିବା ପ୍ୟାକିଂ ଜାର୍ର ପାଣିର ମାନକୁ ଲାବ୍ରୋଟୋରୀରେ ପରୀକ୍ଷା କରି ସେସବୁ ବିକ୍ରି ଯୋଗ୍ୟ କି ନୁହେଁ ପ୍ରକାଶ କରିବା ଉଚିତ୍ । 
କେତେକ କ୍ଷେତ୍ରରେ ସରକାରୀ ଭାବରେ ପ୍ରକାଶ ପାଇଲାଣି ଯେ ଲୋକମାନଙ୍କ ଘରକୁ ପାଇପ୍ ଯୋଗେ ଯୋଗାଇ ଦିଆଯାଉଥିବା ପାଣି କେବେ କେବେ ଡ୍ରେନ୍ ଭିତର ଦେଇ ଯାଉଛି । ଡ୍ରେନ୍ର ପାଣି ସହିତ ପାଇପ୍ ଭିତରର ଥିବା ପାଣି ମିଶୁଛି ଏବଂ ଏହା ଫଳରେ ଜଳ ଦୂଷିତ ହୋଇ ଡ଼ାଇରିଆ, ଝାଡ଼ାବାନ୍ତି, ଜଣ୍ଡିସ୍, ହଇଜା ଭଳି ରୋଗ ବ୍ୟାପୁଛି । ଏ କ୍ଷେତ୍ରରେ ପ୍ରଥମେ ଦେଖିବା କଥା ଯେ ସରକାରୀ ଭାବରେ ଯେଉଁ ପାଣି ପାଇପ୍ଗୁଡ଼ିକ ଲୋକଙ୍କ ଘରେ ପହଞ୍ଚୁଛି ସେସବୁ କୌଣସି ନାଳ, ନର୍ଦ୍ଦମା, ଡ୍ରେନ୍ ଭିତର ଦେଇ ଯାଉନାହିଁ ତ? କାରଣ ଅନେକ ସମୟରେ ଦେଖାଯାଉଛି ପାଣି ପାଇପ୍ଗୁଡ଼ିକ କୌଣସି ନା କୌଣସି କାରଣରୁ ଫାଟି ରାସ୍ତାରେ ପାଣି ବୋହି ଯାଉଛି । ଏହା ହେଉଛି ପାଇପ୍ରେ ପାଣି ଆସିବା ସମୟର ଘଟଣା; କିନ୍ତୁ ପାଇପ୍ରୁ ପାଣି ଆସିବା ବନ୍ଦ ହୋଇଗଲେ ରାସ୍ତା କିମ୍ବା ନାଳ ନର୍ଦ୍ଦମାର ପାଣି ପାଇପ୍ର ଫାଟ ବାଟେ ଭିତରକୁ ପଶିବା ଏକ ସ୍ୱାଭାବିକ କଥା । ଏଭଳି କ୍ଷେତ୍ରରେ ବିଭିନ୍ନ କମ୍ପାନୀଗୁଡ଼ିକ କରୁଥିବା ପ୍ୟାକେଜିଂ ପାଣିର ବ୍ୟବସାୟ ଉପରେ ଚଢ଼ାଉ କରାଯିବାର କିଛି ଅର୍ଥ ନାହିଁ । ତଥାପି ବଜାରରେ ବିକ୍ରି ହେଉଥିବା ପାଣିର ମାନକୁ ନେଇ ପ୍ରମାଣପତ୍ର ସହିତ ପ୍ୟାକେଜିଂ ପାଣି ବିକ୍ରି କରିବା ଏକ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା । ଏଭଳି ଜଟିଳ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରି ପାଣି ବ୍ୟବସାୟ କରିବା ଅତ୍ୟନ୍ତ ବ୍ୟୟବହୁଳ ହୋଇପଡ଼ିବ । 
ସେ ଦୃଷ୍ଟିରୁ ପାଣି ବଜାରରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇ ବିକ୍ରି ହେଉଥିବା ପାଣି ଜାର୍ ଏବଂ ବୋତଲ ମଧ୍ୟରୁ ଅଧିକାଂଶ ଗାଏବ ହୋଇଗଲାଣି । ବଜାରରେ ଆଉ ୨୦ ଲିଟର୍ ପାଣି ଜାର୍ ବହୁଳ ଭାବରେ ଆଉ ଦେଖା ଯାଉନାହିଁ । ଖାଲି ସେତିକି ନୁହେଁ, ୨୫୦ ମିଲିଗ୍ରାମ୍ର ବୋତଲ ମଧ୍ୟ ଆଉ ପର୍ଯ୍ୟାପ୍ତ ପରିମାଣରେ ମିଳୁନାହିଁ । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପରେ କେବଳ ସାଧାରଣ ଜନତା ହିଁ ହନ୍ତସନ୍ତ ହେଉଛନ୍ତି ।