ବଢୁଛି ଶାଳ କାଠ ଚୋରାଚାଲାଣ
ବେତନଟୀ : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଫରେଷ୍ଟ ରେଞ୍ଜ ଏରିଆ ପଡ଼ୋଶୀ ବାଲେଶ୍ୱର ଜିଲ୍ଲା ପର୍ଯ୍ୟନ୍ତ ଲାଗି ରହିଥିବା ଏବଂ ଗ୍ରାମାଞ୍ଚଳ ରାସ୍ତା ସଂଯୋଗ ଥିବା ହେତୁ ଏହି ରେଞ୍ଜ ଏରିଆରୁ କାଠ ମାଫିଆମାନଙ୍କୁ ଗ୍ରାମ ପାର୍ଶ୍ୱବର୍ତ୍ତୀ ଜଙ୍ଗଲ ଏବଂ ରିଜର୍ଭ ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରୁ ବ୍ୟାପକ ଶାଳଗଛ କାଟି ଗଣ୍ଡି ଚାଳାଣ କରିଥାନ୍ତି । ଏହି କାଠ ମାଫିଆମାନେ ମେସିନ୍ କରତ ସାହାଯ୍ୟରେ ଗଛ ଗୁଡିକୁ କାଟି ସାତ ଆଠ ଫୁଟ ଲଗ୍ ତିଆରି କରି ପିକ୍ଅପ୍ ଗାଡିରେ ପରିବହନ କରି ବାଲେଶ୍ୱରରେ ଥିବା ଅନେକ ବେଆଇନ କରତ କଳମାନଙ୍କୁ ପଠାଇଥାନ୍ତି । ବିଶେଷ କରି ସରକାରୀ ଛୁଟି ଦିନ ମାସର ଦ୍ୱିତୀୟ ଶନିବାର ଏବଂ ରବିବାର ଦୁଇ ଦିନିଆ ଛୁଟି ପଡୁଥିବା ଦିନମାନଙ୍କରେ ଏହା ଚାଲାଣ କରିଥାନ୍ତି । ପୁଲିସ ଓ ବନ ବିଭାଗର କର୍ମଚାରୀମାନଙ୍କ ସହ ଭିତ୍ତିରି ସଲାସୁତୁରାରେ ଏହି ଚୋରାକାଠ ଚାଲାଣ ହେଉଥିବା କୁହାଯାଉଛି । ବେତନଟୀ ଫରେଷ୍ଟ ରେଞ୍ଜ ଏରିଆର ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳ ନିକଟବର୍ତ୍ତୀ ଜଙ୍ଗଲରୁ ଏହି ଅପରେସନ ହୋଇଥାଏ । ଏହି ଚୋରା କାଠ କଟାଯିବା ଏବଂ ଚାଲାଣରେ ପେଷାଦାର କାଠ ମାଫିଆମାନେ ନମ୍ବର ପ୍ଲେଟ ନ ଥିବା ପୁରୁଣା ପିକଅପ୍ ନିଲାମ ବା ଅଚଳ ଗାଡିକୁ କମ୍ ଦାମରେ କିଣି ଆଣି ବ୍ୟବହାର କରିଥାନ୍ତି । ଏହି କାରବାର ବନବିଭାଗ ଓ ପୁଲିସ ବିଭାଗ କାଠ ମାଫିଆମାନଙ୍କ ମଧ୍ୟରେ ଏକ ଅଲିଖିତ ସୁସଂପର୍କରେ ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
