ବର୍ଦ୍ଧିତ ପେନ୍ସନ୍ ଦାବିରେ ବିକ୍ଷୋଭ 

ବାଲେଶ୍ୱର : ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ର ଆହ୍ୱାନରେ ବାଲେଶ୍ୱର ଜିଲ୍ଲା କମିଟି ପକ୍ଷରୁ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଏକ ୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇପିଏଫ୍ ସଂସ୍ଥାରୁ ମାସିକ ସର୍ବନିମ୍ନ ମାତ୍ର ଏକ ହଜାର ଟଙ୍କା ପେନସନ୍ ପାଉଥିବା କର୍ମଚାରୀମାନଙ୍କୁ ମାସିକ ୯ ହଜାର ଟଙ୍କା ପେନସନ୍ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ବର୍ଦ୍ଧିତ ପେନସନ୍ ପାଇଁ କାର୍ଯ୍ୟକାରୀ କରିବା, ପେନସନ୍ ସହ ମହଙ୍ଗାଭତ୍ତା ଓ ସରକାରୀ ସ୍ୱାସ୍ଥ୍ୟବୀମା ପାଇଁ ଏହି ପେନସନ୍ଭୋଗୀମାନେ ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ, ଗତ ୨୦୧୮ ମସିହାଠାରୁ ପେନ୍ସନ୍ ବୃଦ୍ଧି ଓ ମହଙ୍ଗା ଭତ୍ତା ପ୍ରଭୃତି ଦାବିରେ ଦେଶବ୍ୟାପୀ ଏହି ବର୍ଗର ଅବସରପ୍ରାପ୍ତ କର୍ମଚାରୀମାନେ ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ଦାବି କରିଆସୁଛନ୍ତି । କିନ୍ତୁ ସରକାର ଏହି ବରିଷ୍ଠ ନାଗରିକମାନଙ୍କ ଦାବିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଜରାବସ୍ଥାରେ ଏମାନେ ଆର୍ଥିକ ଅନାଟନରୁ ବହୁ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି । ତେଣୁ କେନ୍ଦ୍ର ସରକାର ଏହି ଦାବିପୂରଣ ପାଇଁ ଗୁରୁତ୍ୱ ଦେବାକୁ ସେମାନେ ଅନୁରୋଧ କରିଛନ୍ତି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଇଂ. ଅନାଦି ଚରଣ ବେହେରା, ସଂପାଦକ ବିଷ୍ଣୁ ପ୍ରସାଦ ମହାନ୍ତି, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ପ୍ରତିଷ୍ଠାନରୁ ଅବସର ନେଇଥିବା ଶତାଧିକ କର୍ମଚାରୀ ସର୍ବଶ୍ରୀ ଜଳଧର ପଣ୍ଡା, ବ୍ରଜମୋହନ ଦାଶ, ନରେନ୍ଦ୍ର ବିହାରୀ, ଫକୀର ସ୍ୱାଇଁ, ଏନ୍. ନଟ, ଭୋଳାନାଥ ବେହେରା, ମାୟାଧର ନାୟକ, ଅଭିଜିତ୍ ଦାସ, ବଂଶୀଧର ନାୟକ, ଶ୍ୟାମସୁନ୍ଦର ଜେନା ଓ ଶରତ ଚନ୍ଦ୍ର ଦଳେଇ ପ୍ରମୁଖ ନେତୃତ୍ୱ ନେଇଥିଲେ ।