ବୁର୍ଲା ମେଡିକାଲ୍ରେ ସୁପର ସ୍ପେଶାଲିଟି ହସ୍ପିଟାଲ ଉଦ୍ଘାଟିତ
ବୁର୍ଲା : ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଚାକିରି ପାଇଁ ବାହାରକୁ ନଯାଇ ଓଡ଼ିଶାରେ ଡାକ୍ତରୀ ସେବା କରିବା ଆବଶ୍ୟକ । ଡାକ୍ତରୀ ପିଲାମାନେ ଏହିଭଳି ମନ ବଳାଇଲେ ହିଁ ଆମ ରାଜ୍ୟ ଏକ ନମ୍ବର ହୋଇପାରିବ । ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ(ଭିମସାର୍), ବୁର୍ଲା ପରିସରରେ ସୁପର ସ୍ପେସାଲିଟି ହସ୍ପିଟାଲକୁ ଉଦଘାଟନ କରି ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର କହିଛନ୍ତି, ପ୍ରାୟ ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲରେ ୫୮ ଟି ଆଇସିୟୁ ଶଯ୍ୟା ସହିତ ମୋଟ୍ ୨୭୨ଟି ଶଯ୍ୟା ଅଛି । ଏହି ସୁପର୍ ସ୍ପେସାଲିଟି ହସ୍ପିଟାଲରେ ୟୁରୋଲଜି, ନେଫ୍ରୋଲୋଜି, ନୁ୍ୟରୋଲଜି, ନୁ୍ୟରୋସର୍ଜରୀ, ପେଡିଆଟ୍ରିକ୍ସ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲଜି, ଏଣ୍ଡୋକ୍ରାଇନୋଲଜି ଏବଂ କ୍ଲିନିକାଲ୍ ହେମାଟୋଲଜି ସମେତ ୯ଟି ସୁପର୍ ସ୍ପେସାଲିଟି ବିଭାଗ ରହିବ । ଏହାଦ୍ୱାରା ସମ୍ବଲପୁର ସମେତ ୧୩ଟି ଜିଲ୍ଲାର ଜନସାଧାରଣ ଏବଂ ଛତିଶଗଡ଼, ଝାଡ଼ଖଣ୍ଡ ରାଜ୍ୟର ସଂଲଗ୍ନ ଅଞ୍ଚଳ ଗୁଡିକରେ ରହୁଥିବା ଲୋକମାନେ ଲାଭବାନ ହେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ସ୍ପେସାଲିଟି ହସ୍ପିଟାଲ୍ ପାଇଁ ପଦକ୍ଷେପ ନିଆଯାଇଥିବା ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । ଶ୍ରୀ ପ୍ରଧାନ କହିଛନ୍ତି; ସମ୍ବଲପୁର ଜିଲ୍ଲାରେ ଭିମସାର୍ ସମେତ ଆଇଆଇଏମ, ସମ୍ବଲପୁର; ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଓଡ଼ିଶା ଓପନ ୟୁନିଭର୍ସିଟି, ଓୟୁଏଟି ଚିପିଲିମା କୃଷି ମହାବିଦ୍ୟାଳୟ ପରି ଅନୁଷ୍ଠାନ ଅଛି, ଯାହା ସମ୍ବଲପୁରର ବିଶେଷତ୍ୱ ବୋଲି କହିଛନ୍ତି ଧର୍ମେନ୍ଦ୍ର ।