ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ବିୟୋଗ
ସମ୍ବଲପୁର : ଓଡ଼ିଆ ଓ ସମ୍ବଲପୁରୀ ଭାଷା ସାହିତ୍ୟର ବିଶିଷ୍ଟ କବି, ଲେଖକ, ଗୀତିକାର, ନାଟ୍ୟ ସଂଗଠକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ୯୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟଜନିତ କାରଣରୁ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସଦର ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ୧୯୩୫ ଡିସେମ୍ବର ୩ ରେ ବଲାଙ୍ଗୀରରେ ଜନ୍ମ ଗ୍ରହଣ କରିଥିଲେ । ଛୋଟ ବେଳୁ ସେ ନାଟକ ଆଦିରେ ରୁଚି ରଖି ଅଭିନୟ କରୁଥିଲି । ସେ ୧୦ ବର୍ଷ ବୟସରେ ପ୍ରଥମେ ଏକ ଶିଶୁ କଳାକାର ଭାବରେ ବଲାଙ୍ଗିରର ରାମଜୀ ଡ୍ରାମା ପାର୍ଟି ଜରିଆରେ ନାଟକ ରେ ଅଭିନୟ ଆରମ୍ଭ କରିଥିଲେ । ୧୯୫୩ ରେ ସେ ସମ୍ବଲପୁର ସହରକୁ ଆସି କର୍ମଭୂମି କରିଥିଲେ । ଯେହେତୁ ସେ ପେଶାରେ ବାରିକ ଥିଲେ ଏଠାକୁ ଆସି ଗୋଲ ବଜାର ଛକ ପାଖରେ ସେ ଏକ ସେଲୁନ ଖୋଲିଥିଲେ । ଏହା ତାଙ୍କୁ ସାହିତ୍ୟ ସର୍ଜ୍ଜନା ର ନିଶା ରୁ ଦୁରେଇ ପାରିନଥିଲା । ସେଲୁନଟି କଳା ସାହିତ୍ୟ ଆଦି କ୍ଷେତ୍ରର ବ୍ୟକ୍ତିଙ୍କ କେନ୍ଦ୍ର ଥିଲା । ସେ ବିଶିଷ୍ଠ ବ୍ୟକ୍ତିତ୍ୱ ସତ୍ୟ ନରାୟଣ ବହିଦାର, ମୁରାରୀ ପ୍ରସାଦ ମିଶ୍ର, ଅରୁଣ ପ୍ରସନ୍ନ ସେଠ ପ୍ରମୁଖଙ୍କ ସଂସ୍ପର୍ଶରେ ଆସି ଗୀତି ସାହିତ୍ୟ ପ୍ରତି ଆହୁରି ଆକର୍ଷତ ହୋଇଥିଲେ ।ତେବେ ସେ ଏହି କାମ କରିବା ସହ ଗୀତ ଓ କବିତା ଲେଖିବା ଆରମ୍ଭ କରିଥିଲେ । ସମ୍ବଲପୁରୀ ଗୀତି କବିତା ତାଙ୍କୁ ଅଳ୍ପ ଦିନ ଭିତରେ ପ୍ରସିଦ୍ଧି ଆଣି ଦେଇଥିଲା । ସେ ପଦ୍ମଶ୍ରୀ ସମ୍ମାନ ପାଇବା ପୂର୍ବରୁ ଅନେକ ରାଜ୍ୟସ୍ତରୀୟ ସାହିତ୍ୟ ସମ୍ମାନ ରେ ସମ୍ମାନିତ ହୋଇଥିଲେ । ସେ ରାଜ୍ୟ ସରକାରଙ୍କ ସାରଳା ପୁରସ୍କାର ପରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ସାରଦା ପ୍ରସନ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ । ତେବେ ୨୦୨୪ ରେ ସେ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ ହୋଇଥିଲେ ।