ସମସ୍ୟା ଘେରରେ ଟାଉନ ମଡେଲ ବିଦ୍ୟାଳୟ

 ଖଣ୍ଡପଡ଼ା :  ଖଣ୍ଡପଡ଼ା ସହରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଟାଉନ୍ ମଡ଼େଲ୍ ପ୍ରାଥମିକ ବିଦ୍ୟାଳୟଟି ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଜଣାପଡିଛି । ପ୍ରାକ୍ ସ୍ୱାଧୀନତା ସମୟରେ ଶିକ୍ଷାର ପ୍ରସାର ନିମନ୍ତେ ସହରର ମଧ୍ୟ ଭାଗରେ ୧୯୧୨ ମସିହାରେ ଏହି ଶିକ୍ଷାନୁଷ୍ଠାନଟି ଗଢି ଉଠିଥିଲା । ଇତି ମଧ୍ୟରେ ୧୧୩ ବର୍ଷ ଅତିକ୍ରମ କରିଥିବା ଏହି ଶିକ୍ଷାନୁଷ୍ଠାନଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ । ପୂର୍ବପରି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷାଦାନ କରି ଆସୁଥିବା ଏହି ଶିକ୍ଷାନୁଷ୍ଠାନଟିରେ ଏବେ ୧୪୦ ଜଣରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୬ଜଣ ଶିକ୍ଷକଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ତେବେ ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀଗୃହ ଅଭାବରୁ ବିଭିନ୍ନ ସମୟରେ ପିଲାମାନେ ପାଠ ପଢ଼ିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭଙ୍ଗା, ଦଦରା ଆଜବେଷ୍ଟସ୍ ଛପର ଘରେ ପିଲାମାନେ ବସି ପାଠ ପଢୁଥିବାରୁ ସାଧାରଣରେ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସମୟାନୁକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଶ୍ରେଣୀଗୃହର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ବର୍ଷା ଦିନେ ଆଜବେଷ୍ଟସ୍ ଛପର ଘରୁ ପାଣି ଗଳୁଛି । ବିଦ୍ୟାଳୟର  ପ୍ରଧାନଶିକ୍ଷକ ବିଭିନ୍ନ ସମସ୍ୟା ସମ୍ପର୍କରେ ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଖଣ୍ଡପଡ଼ା ବିଧାୟକ ବିଦ୍ୟାଳୟର ବିଭିନ୍ନ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସହରାଞ୍ଚଳବାସୀ ଦାବି କରିଛନ୍ତି । ସେହିପରି ବିଦ୍ୟାଳୟର ବିପଦସଂକୁଳ ଗୃହ ଗୁଡିକ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି ।