ହେଉନି ଖଇରା ପଞ୍ଚାୟତ ସମିତି ବୈଠକ ; ଉନ୍ନୟନ କାର୍ଯ୍ୟ ଠପ୍, ବଢୁଛି ଅସନ୍ତୋଷ
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ପଞ୍ଚାୟତ ସମିତି ବୈଠକ ୫ମାସ ହେଲା ବସିନି । ଯାହାଫଳରେ ବ୍ଲକର ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି । ୨ବର୍ଷର ଗ୍ରାଣ୍ଟଣ୍ଟ-ଇନ-ଏଡ ବାବଦକୁ ଅର୍ଥ ପଡିରହିଥିଲେ ବି ଆଲୋଚନା ହୋଇପାରୁନି । ଖଇରାରେ ସାର ଓ କୀଟନାଶକ କଳାବଜାରୀ ଉକ୍ରଟ ରୂପ ଧାରଣ କରିଥିବାବେଳେ ଚାଷୀଙ୍କର ଉକ୍ତ ସମସ୍ୟାର କିଭଳି ସମାଧାନ ହୋଇ ପାରିବ, ସେ ସମ୍ପର୍କରେ ଆଲୋଚନା ଲାଗି ଲୋକ ପ୍ରତିନିଧିଙ୍କୁ ସୁଯୋଗ ଦିଆଯାଉନି । ସେହିଭଳି ଅଧିକାରୀମାନେ ପଞ୍ଚାୟତସ୍ତରରେ କୌଣସି କାର୍ଯ୍ୟ ସମ୍ପର୍କରେ ନିଷ୍ପତ୍ତି ନିଆଯିବାବେଳେ ଲୋକପ୍ରତିନିଧିଙ୍କୁ ସାମିଲ କରାଯାଉନି । ଏଥିଯୋଗୁଁ ଲୋକପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଏହା ପ୍ରତିବାଦରେ ଅଧିକାଂଶ ଲୋକପ୍ରତିନିଧିଙ୍କ ଏକ ବୈଠକ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ଏଥିରେ ୧୮ରୁ ଅଧିକ ପଞ୍ଚାୟତର ଲୋକପ୍ରତିନିଧି ସାମିଲ ହୋଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ତ୍ରିସ୍ତରୀୟ ପଞ୍ଚାୟତିରାଜ ବିଧିବ୍ୟବସ୍ଥା ଅନୁଯାୟୀ ପ୍ରତି ୨ମାସରେ ଥରେ ବୈଠକ ଡକାଯିବାର ନିୟମ ରହିଛି । ହେଲେ ଗତ ମେ’ ମାସ ୭ତାରିଖ ଦିନ ପଞ୍ଚାୟତ ସମିତିର ୧୧ତମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ନିୟମ ଅନୁଯାୟୀ ଜୁଲାଇ ମାସରେ ପରବର୍ତ୍ତୀ ବୈଠକ ଡକାଯିବା କଥା । ହେଲେ ବ୍ଲକ ପ୍ରଶାସନ ଏ ପର୍ଯ୍ୟନ୍ତ ବୈଠକ ଡାକିନଥିବାରୁ ବ୍ଲକର ଅନେକ ବିଭାଗର ଅର୍ଥ ଖର୍ଚ୍ଚ ନେଇ ଆଲୋଚନା ହୋଇପାରୁନି । ଗ୍ରାଣ୍ଟ-ଇନ-ଏଡ ଭଳି ଯୋଜନାରେ ୬କୋଟିରୁ ଊଦ୍ଧ୍ୱର୍ ପଡି ରହିଥିବାବେଳେ ଏବଂ ଦାନା ପ୍ରକଳ୍ପ ଚୟନ ପ୍ରସଙ୍ଗ ଅଦାଲତ ଯିବା ପରେ ଅର୍ଥଖର୍ଚ୍ଚ କରିଥିବା ଠିକାଦାରମାନେ ଅର୍ଥ ପାଇଁ ଚାତକ ପରି ଚାହିଁ ରହଛନ୍ତି । ଏହିଭଳି ଅନେକ ବିଷୟକୁ ବ୍ଲକ ଏବେ ଅଚଳାବସ୍ଥାକୁ ଆସିଯାଇଛି । ଏ ସମ୍ପର୍କରେ ଆଲୋଚନା ପାଇଁ ପଞ୍ଚାୟତ ସମିତି ବୈଠକ ବସିବା ଜରୁରୀ ବୋଲି ଉପଲବ୍ଧି କରିଥିବା ଏହି ୧୮ ପଞ୍ଚାୟତର ଲୋକପ୍ରତିନିଧିମାନେ ଲିଖିତ ଭାବେ ବିଡିଓଙ୍କୁ ଅବଗତ କରାଇଛନ୍ତି । ଏ ସମ୍ପର୍କରେ ବିଡିଓ ନାରାୟଣ ସାହୁଙ୍କୁ ପଚାରିବା ପରେ ବୈଠକ ଡାକିବା ପୂର୍ବରୁ ସାଂସଦ ଓ ବିଧାୟକଙ୍କ ସମୟ ତଥା ଅନ୍ୟାନ୍ୟ ବହୁ ବିଷୟକୁ ବିଚାରକୁ ନିଆଯାଇଥାଏ । ଦଶହରା ପରେ ପରେ ବୈଠକ ଡାକିବା ବିଷୟରେ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି । ଜିଲ୍ଲା ପରିଷଦ ସଭ୍ୟ ଗଜେନ୍ଦ୍ର ଦାସ, ଜଳଦା ସମିତିସଭ୍ୟ ରମାକାନ୍ତ ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା, ନନ୍ଦୁର ସରପଞ୍ଚ ଜୟନ୍ତୀ ପତି, ଗୋବିନ୍ଦପୁର ସମିତିସଭ୍ୟ ପାର୍ବତୀ ବାରିକଙ୍କ ସମେତ ୧୮ ପଞ୍ଚାୟତର ଲୋକ ପ୍ରତିନିଧି ଉପସ୍ଥିତ ଥିଲେ ।