ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ

 ଭୁବନେଶ୍ୱର : ପ୍ରତିବର୍ଷ ଜୁନ୍ ୧୨ରେ ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ କରାଯାଏ । ଏହା ଶିଶୁ ଶ୍ରମିକ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ୱବ୍ୟାପୀ ଶିଶୁଙ୍କ ଅଧିକାର ପାଇଁ ପ୍ରଚାର ପାଇଁ ଉତ୍ସର୍ଗୀକୃତ । ଜାତିସଂଘର ଏକ ସ୍ୱତନ୍ତ୍ର ସଂସ୍ଥା, ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ) ୨୦୦୨ରେ ପ୍ରଥମେ ଏହି ଦିବସକୁ ପାଳନ କରିଥିଲା । କ୍ଷତିକାରକ ଶ୍ରମ କାର୍ଯ୍ୟରେ ନିଯୋଜିତ ଥିବା ଲକ୍ଷ ଲକ୍ଷ ଶିଶୁ ଶ୍ରମିକଙ୍କ ଦୁଃଖକୁ ଲାଘବ କରିବା ଓ ସେମାନଙ୍କର ଶାରୀରିକ ଏବଂ ମାନସିକ ସୁସ୍ଥତା ଆଣିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ।
ଏହି ପରିପ୍ରେକ୍ଷୀରେ, ଶିଶୁ ଶ୍ରମିକ ଦୂର କରିବା ପାଇଁ ଆଜିଠାରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହା ଅଧୀନରେ, ପଦଯାତ୍ରା, ସଚେତନତା ସଭା, ଦସ୍ତଖତ ଅଭିଯାନ ଏବଂ ଉଦ୍ଧାର କାର୍ଯ୍ୟ ଇତ୍ୟାଦି ଆୟୋଜନ ହେବ । କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ଶ୍ରମ ଏବଂ ରାଜ୍ୟ ବୀମା ବିଭାଗର ପ୍ରମୁଖ ସଚିବ ଚିତ୍ରା ଆରୁମୁଗମ ଆଜି ‘ରେଡିଓ ଅନ୍ ହ୍ୱିଲ୍' ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶ୍ରମ କମିଶନର ଇନ୍ଦ୍ରମଣି ତ୍ରିପାଠି, ଶ୍ରମ ନିଦେ୍ର୍ଦଶାଳୟର ସମସ୍ତ କର୍ମଚାରୀ ଏବଂ ଓଡ଼ିଶା କମୁ୍ୟନିଟି ରେଡିଓ ଆସୋସିଏସନର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହା ଭୁବନେଶ୍ୱର ମହାନଗର ନିଗମ, କଟକ ମହାନଗର ନିଗମ ଏବଂ ଖୋର୍ଦ୍ଧା ପୌରପାଳିକା ଅଧୀନରେ ଥିବା ବିଭିନ୍ନ ସହରାଞ୍ଚଳକୁ ଯାତ୍ରା କରିବ ।