ପ୍ରାଦେଶିକ ପ୍ରଧାନାଚାର୍ଯ୍ୟ ସମ୍ମିଳନୀ ସମାପନ : ସବୁ ପଞ୍ଚାୟତରେ ହେଉ ସରସ୍ୱତୀ ବିଦ୍ୟାମନ୍ଦିର
କଟକ : ଓଡ଼ିଶାର ପୁନଃନିର୍ମାଣରେ ସରସ୍ୱତୀ ବିଦ୍ୟା ମନ୍ଦିରର ବଡ଼ ଯୋଗଦାନ ରହିବ । ଏଥିପାଇଁ ସବୁ ପଞ୍ଚାୟତରେ ଏଭଳି ଦେବାଳୟ ସଦୃଶ ଅନୁଷ୍ଠାନ ତିଆରି ହେବାର ଆବଶ୍ୟକତା ରହିଛି । କଟକ ଜିଲ୍ଲା ଗତିରାଉତପାଟଣା ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରରେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଦ୍ୱାରା ଆୟୋଜିତ ‘ପ୍ରାଦେଶିକ ପ୍ରଧାନାଚାର୍ଯ୍ୟ ସମ୍ମିଳନୀ’ର ସମାପନ ଉତ୍ସବରେ ଯୋଗ ଦେଇ ଏହା ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିଶୁ ମନ୍ଦିର ଓଡ଼ିଶା ଶିକ୍ଷା ବିଭାଗର ସ୍ପନ୍ଦନ ସଦୃଶ । ଭାରତୀୟ ପଦ୍ଧତି ଓ ମୂଲ୍ୟବୋଧ ଆଧାରିତ ଶିକ୍ଷା, ଗୁଣାତ୍ମକ ଶିକ୍ଷା ଏବଂ ସାଧାରଣ ଲୋକଙ୍କ ପାଇଁ ଶିକ୍ଷା ପ୍ରଦାନ ସହ ଏକ ନୂଆ ପିଢ଼ି ଗଢ଼ିବାରେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୂମିକା ଅତୁଳନୀୟ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଦଶମ ବୋର୍ଡ ପରୀକ୍ଷା ସହ ବିଭିନ୍ନ ବୃତ୍ତି ଓ ମେଧା ପରୀକ୍ଷାରେ ସଫଳତା ଅର୍ଜନ କରୁଛନ୍ତି, ଯାହା ପ୍ରଶଂସନୀୟ ।
ଅପରପକ୍ଷେ ଚଳିତ ଶିକ୍ଷା ବର୍ଷ ଓଡ଼ିଶା ସରକାର ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିଛନ୍ତି । ସରସ୍ୱତୀ ବିଦ୍ୟା ମନ୍ଦିରରେ ଗୁଣାତ୍ମକ ଶିକ୍ଷା ସମେତ ବିଭିନ୍ନ ସାମାଜିକ ଶିକ୍ଷା ମଧ୍ୟ ଦିଆଯାଏ । ଏହି ଅନୁଷ୍ଠାନରେ ମୂଳତଃ ଇଂରାଜୀ, ହିନ୍ଦୀ, ମାତୃଭାଷା, ସଂସ୍କୃତ ଚାରୋଟି ଭାଷାରେ ଶିକ୍ଷା ପ୍ରଦାନ କରାଯାଉଛି । ତେବେ ରାଜ୍ୟର ଉପାନ୍ତ ଅଞ୍ଚଳରେ ସ୍ଥାନୀୟ ଭାଷାରେ ଶିକ୍ଷା ଦେଲେ ହିଁ ପିଲାମାନେ ଆଗକୁ ବଢିବେ ବୋଲି ଧର୍ମେନ୍ଦ୍ର କହିଥିଲେ । ଭାରତର ସ୍କୁଲ ଗୁଡ଼ିକରେ ପଢୁଥିବା ପିଲାମାନଙ୍କୁ ପାଠ୍ୟକ୍ରମ ସହ ସହଜରେ ଯୋଡିବା, ଶିକ୍ଷକମାନଙ୍କୁ କଳା, ସାହିତ୍ୟ, ଜ୍ଞାନ ସହ ଆଧୁନିକ ବିଜ୍ଞାନ ସହ ଯୋଡିବା ପାଇଁ ଏଆଇର ବ୍ୟବହାର କରାଯିବ । ରାଜ୍ୟ–ରାଜ୍ୟ ମଧ୍ୟରେ ଥିବା ଜ୍ଞାନର ଆଦାନପ୍ରଦାନ ହୋଇପାରିବ, ସେଭଳି ଯୋଜନା କରାଯିବ । ଏଥିପାଇଁ ଏଆଇ ଶିକ୍ଷାକୁ ସ୍କୁଲ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଜୋର ଦେଉଛୁ ବୋଲି ଧର୍ମେନ୍ଦ୍ର କହିଥିଲେ ।