ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର ଖୋଲିବାର ସମୟ ଉପନୀତ 

 ସମ୍ବଲପୁର: ଶିକ୍ଷାର ମହତ୍ତ୍ୱକୁ ହୃଦବୋଧ କରି ବ୍ରଜମୋହନ ପଣ୍ଡା ଏତେ ବର୍ଷ ଆଗରୁ ଯେଉଁ ପଦକ୍ଷେପ ନେଇଥିଲେ ତାକୁ ତ୍ୱରାନ୍ୱିତ କରି ସମ୍ବଲପୁରକୁ ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର କରିବା ସମୟର ଆବଶ୍ୟକତା ବୋଲି ଆଇଆଇଏମ୍ ନିଦେ୍ର୍ଦଶକ ପ୍ର. ମହାଦେବ ଜୟଶ୍ୱାଲ ବ୍ରଜମୋହନ ପଣ୍ଡା ଜୟନ୍ତୀ ସଭାରେ ମତବ୍ୟକ୍ତ କରିଛନ୍ତି । ମୁଖ୍ୟଅତିଥି ପ୍ର. ଜୟଶ୍ୱାଲ କହିଲେ ଯେ, ଆଇଆଇଏମ୍କୁ କେବଳ ମ୍ୟାନେଜମେଣ୍ଟ ଶିକ୍ଷା ମଧ୍ୟରେ ସୀମିତ ନ ରଖି ସମ୍ବଲପୁର ଆଇଆଇଏମ୍ ଏହାକୁ ହସ୍ତତନ୍ତ ଠାରୁ ଆରମ୍ଭ କରି ଜନଜୀବନର ବିଭିନ୍ନ କ୍ଷେତ୍ର ସହ ଯୋଡିଛି । ଏତଦ୍ୱାରା ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡିକ ଯୋଡ଼ି ହେବେ । ଭାରତରେ କେବଳ ୪/୫ ଟି ମହାନଗରୀରେ ଏ ବ୍ୟବସ୍ଥା ଥିବା ବେଳେ, ସମ୍ବଲପୁର ଏଥିରେ ଯୋଡ଼ି ହେବା ଗୌରବର ବିଷୟ । ସମ୍ବଲପୁରରେ ଏକ ଉନ୍ନତ ପ୍ରାଥମିକ ଶିକ୍ଷା କେନ୍ଦ୍ର ନାହିଁ । ଏହାକୁ ଅଗ୍ରାଧିକାର ଦେବାକୁ ହେବ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଧ୍ୟାପକ ପ୍ରଦୀପ ପଣ୍ଡା କହିଲେ, ବ୍ରଜମୋହନ ପଣ୍ଡା ଛାତ୍ରାବସ୍ଥାରେ ଯେଉଁ ଉକ୍ରୃଷ୍ଟ କବିତା ରଚନା କରିଥିଲେ ସେଥିରୁ ତାଙ୍କର କବି ସାମର୍ଥ୍ୟ ପ୍ରତିପାଦିତ ହେଉଛି । ଅନ୍ୟାନ୍ୟ କର୍ମ ବ୍ୟସ୍ତତା ଯୋଗୁଁ କବିତା ରଚନା ଜାରି ରଖିପାରିଲେ ନାହିଁ ଅନ୍ୟଥା କବି ରୂପେ ପ୍ରସିଦ୍ଧି ପାଇଥାନ୍ତେ । ଅବସରରେ ଇଂ. ଯଦୁନନ୍ଦନ ପଣ୍ଡାଙ୍କ ରଚିତ କବିତା ପୁସ୍ତକ "କବିତାଞ୍ଜଳି’ ର ଉନ୍ମୋଚନ କରାଯାଇଥିଲା । ବ୍ରଜମୋହନ ପଣ୍ଡା ଅନେକ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିବା ବିଷୟ ଇଂ. ପଣ୍ଡା ବର୍ଣ୍ଣନା କରିଥିଲେ । ଦୀପକ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ରଘୁନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।