‘ସୁସ୍ଥ ନାରୀ-ସଶକ୍ତ ପରିବାର’ ଅଭିଯାନ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ : ନାରୀଙ୍କୁ ସଶକ୍ତ କରିଛି ମୋଦୀଜୀଙ୍କ ଯୋଜନା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଧାର୍ ଠାରେ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନର ଦେଶବ୍ୟାପୀ ଶୁଭାରମ୍ଭ କରିଛନ୍ତି  । ମହିଳାମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଉପରେ ଫୋକସ ହୋଇଥିବା ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଦେଶବ୍ୟାପୀ ଅନୁଷ୍ଠିତ ହେଉଛି  ।
ଏହି ଅବସରରେ ଆଜି ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକ ଓ ନେତୃମଣ୍ଡଳୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ଯୋଡିହୋଇଥିଲେ  ।
କାର୍ଯ୍ୟକ୍ରମରେ ଆୟୋଜିତ ହେଲଥ୍ ସ୍କ୍ରିନିଂ ଷ୍ଟଲ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରି ବୁଲି ଦେଖିଥିଲେ । କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେଯେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ଶୁଭଙ୍କର ଦିନ  । ଗତ ବର୍ଷ ଏହି ଦିବସରେ ମୋଦୀଜୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ  । ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଆର୍ଥିକ ସଶକ୍ତିକରଣ ପର୍ଯ୍ୟନ୍ତ ନାରୀ ଜୀବନର ପ୍ରତ୍ୟେକ ଫେଜ୍ରେ ମୋଦୀଜୀଙ୍କ ଯୋଜନା ସେମାନଙ୍କୁ ସହଯୋଗର ହାତ ବଢାଇଛି । 
ଏହି ଅଭିଯାନରେ ମହିଳା ସ୍ୱାସ୍ଥ୍ୟ, ପୋଷଣ, ଉପଯୁକ୍ତ ଖାଦ୍ୟ ପାନୀୟ ସମ୍ପର୍କରେ ସଚେତନତା ଅଭିଯାନ କରାଯିବ  । ଏହି ଅଭିଯାନ ମାଧ୍ୟମରେ ଉଚ୍ଚ ରକ୍ତଚାପ, ମଧୁମେହ, କର୍କଟ, ରକ୍ତହୀନତା, ଯକ୍ଷ୍ମା, ସିକିଲ୍ ସେଲ୍ ଆଦି ରୋଗ ସହ ମାତୃ ସ୍ୱାସ୍ଥ୍ୟ ଓ କିଶୋରୀ ସୁସ୍ଥତା ସମ୍ବନ୍ଧିତ ରୋଗଗୁଡିକ ଚିହ୍ନଟ କରିବା ପାଇଁ ସ୍କ୍ରିନିଂ କରାଯିବ  । ରାଜ୍ୟର ୩୦ଟି ଜିଲ୍ଲାରୁ ୧.୫ କୋଟି ମା ଓ ଭଉଣୀ ଏହି ଅଭିଯାନ ଜରିଆରେ ଉପକୃତ ହେବେ ।