ବେଫିକର ବ୍ୟବସାୟିକ ସଂସ୍ଥା
ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବାରମ୍ବାର ନୋଟିସ୍ ଦିଆଯାଉଛି । ହେଲେ ବ୍ୟବସାୟିକ ସଂସ୍ଥାଗୁଡ଼ିକ ଏ ପ୍ରକାରର ନୋଟିସ୍କୁ ଜମାରୁ ଖାତିର୍ କରୁନାହାନ୍ତି । ଆଉ କେତେକ ସ୍ଥାନରେ ଲୋକ ଦେଖାଣିଆ ଅଗ୍ନି ନିର୍ବାପକ ଯନ୍ତ୍ର ଥୋଇ ଦେଇ ବିପଦ ବେଳେ ପ୍ରକୃତରେ ସେସବୁ କାମରେ ଲାଗିବ କି ନାହିଁ ତାର ପରୀକ୍ଷା ମଧ୍ୟ କରୁନାହାନ୍ତି । ଅଗ୍ନି ନିର୍ବାପକ ଯନ୍ତ୍ରଗୁଡ଼ିକ ବର୍ଷ ବର୍ଷ ଧରି ସେମିତି ଟଙ୍ଗା ହୋଇଛି ଏବଂ ସେସବୁର ନବୀକରଣ ମଧ୍ୟ କରାଯାଉନାହିଁ । ଏହା ଫଳରେ କୌଣସି କାରଣରୁ ଥରେ ଅଗ୍ନିକାଣ୍ଡ ଘଟିଲେ କୋଟି କୋଟି ଟଙ୍କାର ଧନଜୀବନ ନଷ୍ଟ ହେଉଛି । ଏଇ ମାତ୍ର କିଛିଦିନ ତଳେ ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକ ନିକଟରେ ଏକ ବସ୍ତ୍ର ଭଣ୍ଡାରରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ଜଣେ କର୍ମଚାରୀ ମୃତୁ୍ୟ ମୁହଁରେ ଗଲେ ।
ସାଧାରଣ ଲୋକଙ୍କର ଯିବାଆସିବା ରହୁଥିବା ସ୍ଥାନ, ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ, ବଜାର, ହାଟ ଅଞ୍ଚଳ ଆଦିରେ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ସ୍ଥାପନ କରିବା ପାଇଁ ମହାନଗର ନିଗମ ପକ୍ଷରୁ ବାଧ୍ୟତାମୂଳକ ଭାବରେ କେତେକ ଆଇନ୍ ପ୍ରଣୟନ କରାଯାଇଛି ସତ; ମାତ୍ର ପ୍ରାୟତଃ ସ୍ଥାନରେ ଲୋକମାନେ ଏ ପ୍ରକାରର ଆଇନ୍କୁ ଆଦୌ ମାନୁନାହାନ୍ତି କିମ୍ବା ଏଭଳି ଏକ ଆଇନ୍ ରହିଥିବାର ଧାରଣା ମଧ୍ୟ ସେମାନଙ୍କର ନାହିଁ । ଦିନକୁ ଦିନ ସହରାଞ୍ଚଳ ଗୁଡିକରେ ବହୁତଳ ବିଶିଷ୍ଟ କୋଠାଘର ନିର୍ମାଣ କରାଯାଉଛି । ଏହିସବୁ କୋଠାରେ ଅଗ୍ନିକାଣ୍ଡ ଘଟିଲେ ବିପୁଳ କ୍ଷୟକ୍ଷତି ହେଉଛି । କୋଠାଗୁଡ଼ିକର ଉଚ୍ଚତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା ପାଇଁ ବାରମ୍ବାର ତାଗିଦ୍ କରାଗଲେ ମଧ୍ୟ ସେସବୁ ହେଉନାହିଁ । ତେଣୁ ଅତି ଉଚ୍ଚ କୋଠା ଘରେ ନିଆଁ ଲାଗିଲେ ଅଗ୍ନିଶମ ବାହିନୀକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପୁଣି ବର୍ତ୍ତମାନ ସମୟରେ ପ୍ରତ୍ୟେକ ଲୋକଙ୍କ ଘରେ ବିଜୁଳୀର ବ୍ୟବହାର ହେଉଛି । ଏଥିସହିତ ଏସିର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି । କେତେକ କ୍ଷେତ୍ରରେ ଦେଖାଗଲାଣି ଯେ ଏସିଗୁଡ଼ିକ ଦିନରାତି ବ୍ୟବହାର କରାଯିବା ଫଳରେ ସେଥିରୁ ସର୍ଟ୍ସର୍କିଟ୍ ହୋଇ ଅଗ୍ନିକାଣ୍ଡ ଘଟୁଛି । ଘର ଭିତରର ସାଜସଜ୍ଜା ଏବଂ ବିଭିନ୍ନ ବ୍ୟବହାର୍ଯ୍ୟ ଦ୍ରବ୍ୟ ମଧ୍ୟରୁ ବାସନକୁସନକୁ ଛାଡ଼ି ଦେଲେ ପ୍ରାୟତଃ ସବୁତକ ଦହନୀୟ ପଦାର୍ଥ । ତେଣୁ ପକ୍କା ଘର ହେଲେ ମଧ୍ୟ ପକ୍କା ଘର ଭିତରେ ରହିଥିବା ଆସବାବ ପତ୍ର ଅଗ୍ନିକାଣ୍ଡରେ ନଷ୍ଟ ହେବାର କିମ୍ବା ଅଗ୍ନିକାଣ୍ଡକୁ ବଢ଼େଇ ଦେବାର ସମ୍ଭାବନା ସୃଷ୍ଟି କରୁଛି । ସହରାଞ୍ଚଳଗୁଡ଼ିକରେ ଯାନବାହାନ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଅଗ୍ନିକାଣ୍ଡ ଘଟିଲେ ଅଗ୍ନିକାଣ୍ଡସ୍ଥଳରେ ହଠାତ୍ ପହଞ୍ଚିବା ପର୍ଯ୍ୟନ୍ତ ରାସ୍ତା ଭିଡ଼ ଯୋଗୁଁ ସମ୍ଭବ ହୋଇପାରେ ନାହିଁ । ତେଣୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ନିହାତି ଆବଶ୍ୟକ ଥିବା କୋଠା ବ୍ୟବସାୟିକ ପ୍ରତିଷ୍ଠାନ ଆଦିଗୁଡ଼ିକ ପାଇଁ ଥିବା ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯିବା ଆବଶ୍ୟକ । ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ, ହସ୍ପିଟାଲ୍, ମଲ୍ ଭଳ ସ୍ଥାନଗୁଡ଼ିକୁ ନିୟମିତ ଭାବରେ ଯାଞ୍ଚ୍ କରାଯିବାର ଆବଶ୍ୟକତା ରହିଛି । ଆବଶ୍ୟକୀୟ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିଲେ ସଂପୃକ୍ତ ସଂସ୍ଥାଗୁଡ଼ିକୁ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିବା ଉଚିତ୍ ।
ଅଗ୍ନିକାଣ୍ଡଗୁଡ଼ିକର କ୍ଷୟକ୍ଷତି କେବଳ ଅଗ୍ନିକାଣ୍ଡ ଘଟିଥିବା କୋଠା କିମ୍ବା ସଂସ୍ଥାରେ ସୀମିତ ନୁହେଁ । ଅଗ୍ନିକାଣ୍ଡ ଘଟିଲେ ଏହାର ଆଖପାଖ ଅଞ୍ଚଳର ବାସିନ୍ଦାମାନେ ମଧ୍ୟ ଅନେକ କିଛି ଅସୁବିଧା ଏବଂ ବିପଦର ସମ୍ମୁଖୀନ ହେଉଛନ୍ତି । କୋଠାଘରଗୁଡ଼ିକରେ ଅଗ୍ନିକାଣ୍ଡ ଘଟିଗଲେ ଏହାର କଂକ୍ରିଟ୍ ମଧ୍ୟ ନଷ୍ଟ ହୋଇଯାଉଛି । ଏସବୁ କ୍ଷତିକୁ ଦୃଷ୍ଟିରେ ରଖି ଅଗ୍ନି ନିର୍ବାପକ ବ୍ୟବସ୍ଥାର ବ୍ୟବହାରକୁ ନିର୍ଦ୍ଦିଷ୍ଟ ସଂସ୍ଥାଗୁଡ଼ିକ ପାଇଁ ବାଧ୍ୟତାମୂଳକ କରାଯିବା ସହ ପ୍ରତ୍ୟେକ ବର୍ଷ ଏହାର ଯାଞ୍ଚ୍ ହେବା ଆବଶ୍ୟକ ।