ଏଆଇ ନୀତିକୁ କ୍ୟାବିନେଟ୍ ମଞ୍ଜୁରୀ: ଚାକିରି ବୟସ ସୀମା ୪୨କୁ ବଢ଼ିଲା

ଭୁବନେଶ୍ୱର : ଓଡ଼ିଶା ଏଆଇ ନୀତି ପ୍ରଣୟନ କରାଯିବ । ବେସାମରିକ ସେବାରେ ଚାକିରି ବୟସ ସୀମା ମଧ୍ୟ ୩୨ରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି । ଯୋରନ୍ଦା ପାଇଁ ୧୭୧ କୋଟିର ଟେଣ୍ଡରକୁ ମଞ୍ଜୁରୀ ଦିଆଯାଇଛି । ଏହିପରି ୫ ପ୍ରସ୍ତାବ ଉପରେ ଆଜି ରାଜ୍ୟ କ୍ୟାବିନେଟର ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି ।
ଓଡ଼ିଶା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ନୀତି-୨୦୨୫କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହା ଜରିଆରେ ଏକ ଏଆଇ ମିଶନ ସୃଷ୍ଟି କରାଯିବ । ସେହିପରି ଉଚ୍ଚସ୍ତରୀୟ ଏଆଇ ଟାସ୍କ ଫୋର୍ସ ଓ ଏଆଇ ସେଲ୍ ବି ପ୍ରତିଷ୍ଠା କରାଯିବ । ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ବିପର୍ଯ୍ୟୟ ପରିଚାଳନା ଆଦିରେ ଏଆଇର ପ୍ରୟୋଗ କରାଯିବ । ଏହାଦ୍ୱାରା ଏଆଇ ଷ୍ଟାର୍ଟଅପ୍ ବୃଦ୍ଧି ହୋଇପାରିବ । ରାଜ୍ୟ ସରକାର ମୈତି ଓ ନାସକମ୍ ସହଯୋଗରେ ଏଆଇ ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା କରିବାକୁ ବି ଲକ୍ଷ୍ୟ ରଖିଛନ୍ତି ।
ସେହିପରି ଓଡ଼ିଶା ବେସାମରିକ ସେବା ନିୟମାବଳୀ ୧୯୮୯ର ସଂଶୋଧନ କରାଯାଇଛି । ଏଥିରେ ସର୍ବୋଚ୍ଚ ବୟସ ସୀମା ପୂର୍ବରୁ ୩୨ ବର୍ଷ ଥିବାବେଳେ ଏବେ ତାହା ୪୨ ବର୍ଷକୁ ବୃଦ୍ଧି ପାଇଛି । ଅପରପକ୍ଷରେ ଏସସି, ଏସଟି, ଏସଇବିସି, ମହିଳା, ଅବସରପ୍ରାପ୍ତ ସୈନିକ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ଜାରି ନିୟମାବଳୀ ଅନୁସାରେ ବୟସ କୋହଳ ହୋଇପାରିବ ।
ଜଗତସିଂହପୁର ଜିଲ୍ଲାର ଜଟାଧାର ମୁହାଣରେ ନିଜସ୍ୱ ଜେଟି ସ୍ଥାପନ କରିବ ଜେଏସଡବ୍ଳୁ୍ୟ ଉକôଳ ଷ୍ଟିଲ । ଏଥିପାଇଁ ସରକାର କରିବାକୁ ଥିବା ରିହାତି ଚୁକ୍ତିନାମାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ୩୪୫୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିପାରିବ । ରାଜ୍ୟ ସରକାର ମଧ୍ୟ ଏହା ଜରିଆରେ ରାଜସ୍ୱ ପାଇପାରିବେ । ୨୦୧୭ରେ ଇସ୍ପାତ କାରଖାନା ସହ ନିଜସ୍ୱ ଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ କମ୍ପାନୀ ପକ୍ଷରୁ ପ୍ରସ୍ତାବ ଆସିଥିଲା । ତେବେ ପରେ ଇସ୍ପାତ କାରଖାନା ପାଇଁ ଆବଶ୍ୟକୀୟ କଞ୍ଚାମାଲର ଆମଦାନୀ ଓ ପଣ୍ୟ ରପ୍ତାନୀ ପାଇଁ ଜେଟି ସ୍ଥାପନ ସକାଶେ କମ୍ପାନୀ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ୨୦୨୨ରେ ଏନେଇ ସରକାରଙ୍କ ସହ ଏମଓୟୁ ମଧ୍ୟ ହୋଇଥିଲା । ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ସ୍ଥିତ ମହିମା ଗାଦିରେ ଉନ୍ନତିମୂଳକ କାର୍ଯ୍ୟ ଓ ଭବ୍ୟ ଶୂନ୍ୟ ମଣ୍ଡପ ନିର୍ମାଣ କରାଯିବ । ଏଥିପାଇଁ ୧୭୧ କୋଟି ୧୧ ଲକ୍ଷ ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ ମିଳିଛି । ଆଇରନ୍ ଟ୍ରାଏଙ୍ଗଲ କମ୍ପାନୀକୁ କାର୍ଯ୍ୟାଦେଶ ଦିଆଯାଇଥିବାବେଳେ ୩୬ ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରହିଛି । ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଚକ୍ଷୁ ଚିକିତ୍ସା ସେବା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ ୨୦୨୫କୁ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ଭାରତୀୟ ଜନସ୍ୱାସ୍ଥ୍ୟ ମାନକ ଅନୁଯାୟୀ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇପାରିବେ । ନିୟମିତ କାର୍ଯ୍ୟ କରୁଥିବା ଯୋଗ୍ୟ ଚକ୍ଷୁ ଚିକିତ୍ସା ସହାୟକମାନଙ୍କର ବୃତ୍ତିଗତ ଜୀବନରେ ଉନ୍ନତି ହୋଇପାରିବ । ଗତ ୨୦୨୪ ମାର୍ଚ୍ଚ ୧୬ରେ ଚକ୍ଷୁଚିକିତ୍ସା ସେବା ବର୍ଗ ଅଧିନରେ ମୂଲ ପଦବୀରେ ୩୩୮ ସମେତ ୫୩୮ ପଦବୀ ସୃଷ୍ଟି କରିଛନ୍ତି । ଏଥିସହ ମୂଳ ପଦବୀରେ ୧୪୧ ନୂତନ ପଦବୀ ସୃଷ୍ଟି ହେବ । ଏହାସହ ପଦୋନ୍ନତି ଭିତ୍ତିରେ ପଦାନୁକ୍ରମରେ ବିଭିନ୍ନ ପଦବୀ ପୂରଣ ପାଇଁ ୨ ଶହ ପଦବୀ ସୃଷ୍ଟି କରାଯାଇଛି ।