ଭୁବନେଶ୍ବରରେ ଗଡକରୀ

ଭୁବନେଶ୍ବରରେ ଗଡକରୀ

ଭୁବନେଶ୍ବରରେ ପହଞ୍ଚିଲେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ।  ଆଜିର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଅବସରରେ ସେ ଓଡ଼ିଶାକୁ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବାର ସୂଚନା ରହିଛି । ଆଜି ଅପରାହ୍ଣରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ନୀତିନ ଗଡ଼କରୀ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ଏଥିରେ ୨ହଜାର ୯୦୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୩ଟି ଜାତୀୟ ରାଜପଥ, ୪୨୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୪ଟି ସିଆରଆଇଏଫ୍ ବ୍ରିଜର ଶିଳାନ୍ୟାସ ରହିଛି । ସେହିପରି ୮୪୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୨ଟି ଜାତୀୟ ରାଜପଥକୁ ନୀତିନ ଗଡ଼କରି ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।  ଓଡ଼ିଶା ଏବେ ରାସ୍ତା ସଂଯୋଗୀକରଣରେ ସାରା ଦେଶରେ ୮ ନମ୍ୱର ସ୍ଥାନରେ ରହିଥିବା ବେଳେ ଖୁବ୍ ଶୀଘ୍ର ଯେପରି ପ୍ରଥମ ସ୍ଥାନ ହାସଲ କରିପାରିବ, ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି । ବରମୁଣ୍ଡା ପଡ଼ିଆ କାର୍ଯ୍ୟକ୍ରମ ପୂର୍ବରୁ କଟକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମଜୟନ୍ତୀ ସମାରୋହରେ ସାମିଲ ହେବେ ନୀତିନ ଗଡ଼କରୀ । ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।