ରାଜଧାନୀରେ ୧୦୦ ଟଙ୍କାରେ ମିଳୁଛି ୩ କିଲୋ ଆଳୁ

ରାଜଧାନୀରେ ୧୦୦ ଟଙ୍କାରେ ମିଳୁଛି ୩ କିଲୋ ଆଳୁ

ଭୁବନେଶ୍ୱର:ରାଜ୍ୟରେ ଆଳୁ ସଙ୍କଟ ଭିତରେ ଖାଉଟିଙ୍କ ପାଇଁ ଭଲ ଖବର। ୧୦୦ ଟଙ୍କାରେ ମିଳୁଛି ୩ କିଲୋ ଆଳୁ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରେ ଭୁବନେଶ୍ୱରର ବିଭିନ୍ନ ଡିଲର ମାନଙ୍କୁ ଆଳୁ ଦେବା ଆରମ୍ଭ ହୋଇଛି। ଏମାନେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ଆଳୁ ବିକ୍ରି କରୁଛନ୍ତି। ସରକାରୀ ଖୁଚରା ବିକ୍ରିୟ କେନ୍ଦ୍ରରୁ ଆଳୁ ନେବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି। ଘର ପିଛା ୩ କିଲୋ ଆଳୁ ଦିଆଯାଉଛି। ଦୀର୍ଘ ଦିନ ହେବ ରାଜ୍ୟରେ ଆଳୁ ସଙ୍କଟ ଦେଖିବାକୁ ମିଳିଥିବା ବେଳେ ଆଜିଠାରୁ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।

ରାଜ୍ୟ ସରକାର ଉଚ୍ଚା ଦରରେ ଆଳୁ କିଣିଲେ ସୁଦ୍ଧା କିଲୋ ପିଛା ୩୦ ଟଙ୍କାରେ ବିକିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସବୁ ସହରରେ କିଲୋ ପିଛା ୩୦ ଟଙ୍କାରେ ଆଳୁ ବିକ୍ରି କରାଯିବ। ନୂଆଦିଲ୍ଲୀ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଶ୍ରୀ ପାତ୍ର କହିଛନ୍ତି, ଆଳୁ ସମସ୍ୟା ସମାଧାନ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ପରେ ପଶ୍ଚିମବଙ୍ଗର ମୁଖ୍ୟଶାସନ ସଚିବଙ୍କୁ ଓଡ଼ିଶା ସରକାରଙ୍କ ମୁଖ୍ୟଶାସନ ସଚିବ ଚିଠି ଲେଖିଥିଲେ। ଏବେ ମଧ୍ୟ ଆଳୁ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଚାଲିଛି। ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟ ଦୂର ପାଇଁ ନାଫେଡ୍‌ ମାଧ୍ୟମରେ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଅର୍ଡର ଦିଆଯାଇଛି। ଦିନେ ଦୁଇ ଦିନ ଭିତରେ ଆଳୁ ପହଞ୍ଚିବ। ପର୍ୟ୍ୟାପ୍ତ ପରିମାଣରେ ଆଳୁ ଆସୁଛି ବୋଲି ଶ୍ରୀ ପାତ୍ର କହିଛନ୍ତି।

ଓଡ଼ିଶାରୁ ବା ଓଡ଼ିଶା ଦେଇ ଯେଉଁ ସବୁ ସାମଗ୍ରୀ ପଶ୍ଚିମବଙ୍ଗ ଯାଉଛି, ସେଥିପ୍ରତି ରାଜ୍ୟ ସରକାର କିଛି ପଦକ୍ଷେପ ନେବେ କି ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ସେମିତି କିଛି ପରିସ୍ଥିତି ନଉପୁଜୁ ବୋଲି ଆମେ ଚାହୁଁଛୁ। କଥାବାର୍ତ୍ତା ମାଧ୍ୟମରେ ସମସ୍ୟା ସମାଧାନ ହେଉ ବୋଲି ଚାହୁଁଛୁ। କାରଣ ପଶ୍ଚିମବଙ୍ଗ ଆମ ରାଜ୍ୟର ପଡ଼ୋଶୀ ରାଜ୍ୟ। ଆମ ସହିତ ତାଙ୍କର ସମ୍ପର୍କ ଭଲ ରହୁ। ଯେମିତି ଆଳୁ ଆସୁଥିଲା, ସେମିତି ଆସୁ। ସେଥିପାଇଁ ଉଦ୍ୟମ ଜାରି ରହିଛି।