ଭାରତର ମହାନତା ବନ୍ୟା ନେଇ ପାକ୍କୁ କଲା ସତର୍କ

 ନୂଆଦିଲ୍ଲୀ:  ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଉତ୍ତେଜନା ଯଦିଓ କିଛିଟା କମିଛି କିନ୍ତୁ  ଆଗ ଭଳି ଆଉ ସୁସମ୍ପର୍କ ନାହିଁ । ପହଲଗାମ ଆକ୍ରମଣକୁ ନେଇ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିଦେଇଛି । ଏହାରି ଭିତରେ କିନ୍ତୁ ମହାନତା ଦେଖାଇଛି ଭାରତ ।  ଏବେ ଭାରତ ପ୍ରଥମ ଥର ପାଇଁ ‘ଅପରେସନ ସିନ୍ଦୂର’ ପରେ  ପାକିସ୍ତାନ ସହ ଯୋଗାଯୋଗ କରିଛି । ତାହା ପୁଣି ଏକ ସତର୍କ ସୂଚନା ଦେବା ପାଇଁ । ପ୍ରଥମଥର ପାଇଁ ହାଇକମିସନ ଜରିଆରେ ଏପରି ସୂଚନା ଦିଆଯାଇଛି । ପୂର୍ବରୁ ଏପରି ସୂଚନା କେବଳ ଇଣ୍ଡୋସ ୱାଟର କମିସନ ଜରିଆରେ ଆଦାନପ୍ରଦାନ କରାଯାଏ ।
ପାକିସ୍ତାନର ଇସଲାମାବାଦରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟକୁ  ଜଣାଇଥିଲା ଯେ ଜମ୍ମୁର ତାୱି ନଦୀରେ ପ୍ରବଳ ବନ୍ୟା ଆସିବାର ସମ୍ଭାବନା ଅଛି, ଯାହା ପାକିସ୍ତାନରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଇପାରେ । ଭାରତର ଏହି ଚେତାବନୀ ପରେ ପାକ୍ ପ୍ରଶାସନ ମଧ୍ୟ ଏକ ସତର୍କ ସୂଚନା ଜାରି କରିଛି । ସିନ୍ଧୁ ନଦୀ ଅବବାହିକାର ନଦୀଗୁଡ଼ିକ ଭାରତ ଓ ପାକିସ୍ତାନ ଦେଇ ପ୍ରବାହିତ ହେଉଛି । ତେଣୁ ଏଠାରେ ବନ୍ୟା ହେଲେ ପାକିସ୍ତାନ ବି ପ୍ରଭାବିତ ହେବ । ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଥିବା ସତ୍ତ୍ୱେ ସାଧାରଣ ଲୋକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଭାରତ ପାକିସ୍ତାନକୁ ବନ୍ୟା ସତର୍କତା ପଠାଇଛି । ସଂପୂର୍ଣ୍ଣ ମାନବିକତା ଦୃଷ୍ଟିକୋଣରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଭାରତ ପାକିସ୍ତାନକୁ ସ୍ପଷ୍ଟ ସଙ୍କେତ ଦେଇଛି ଯେ ଯେପର୍ଯ୍ୟନ୍ତ ସେ ସୀମାପାର ଆତଙ୍କବାଦ ବନ୍ଦ କରିବା ପାଇଁ ଗମ୍ଭୀର ପଦକ୍ଷେପ ନ ନିଏ, ସେପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବ । ସେ ଆହୁରି କହିଛନ୍ତି ଯେ, ରକ୍ତ ଓ ପାଣି ଏକାସାଙ୍ଗରେ ପ୍ରବାହିତ ହୋଇ ପାରିବ ନାହିଁ ।