ଶିକ୍ଷକ ନିଯୁକ୍ତି ଦୁର୍ନୀତି ଟିଏମସି ବିଧାୟକଙ୍କୁ ବାନ୍ଧିଲା ଇଡ଼ି

କୋଲକାତା:  ଟିଏମସି ବିଧାୟକ ଜୀବନକୃଷ୍ଣ ସାହାଙ୍କୁ ଗିରଫ କରିଛି ଇଡ଼ି । ଏହି କାର୍ଯ୍ୟାନୁଷ୍ଠାନ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ତଦନ୍ତ ପାଇଁ କରାଯାଇଛି । ଇଡି ଅଧିକାରୀମାନେ କହିଛନ୍ତି ଯେ ବିଧାୟକ କାନ୍ଥ ଡେଇଁ ତାଙ୍କ ଘର ପାଖରେ ଥିବା ପୋଖରୀକୁ ଡେଇଁ ପଳାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଇଡି ଅଧିକାରୀ ଓ କେନ୍ଦ୍ରୀୟ ବଳ ତାଙ୍କୁ ଏକ କ୍ଷେତରେ ଧରିଛନ୍ତି । 
ଅଧିକାରୀମାନେ କହିଛନ୍ତି ଯେ ଆଜି ଇଡି ଟିମ୍ ମୁର୍ଶିଦାବାଦ ଜିଲ୍ଲାର ବୁରୱାନସ୍ଥିତ ତାଙ୍କ ଘରେ ତଲାସୀ କରିବାକୁ ପହଞ୍ଚିଥିଲେ । ରେଡ୍ ଖବର ପାଇବା ମାତ୍ରେ ବିଧାୟକ ଘରର କାନ୍ଥ ଡେଇଁ ପଳାଇବାକୁ ଚେଷ୍ଟା କରିଥିଲେ । ଆମର ଅଧିକାରୀ ଓ କେନ୍ଦ୍ରୀୟ ବଳ ତାଙ୍କୁ ପିଛା କରି ଧରି ନେଇଥିଲେ । ତାଙ୍କ ଶରୀରରେ କାଦୁଅ ଲାଗିଥିଲା । ଇଡି ଅଧିକାରୀ ଦାବି କରିଛନ୍ତି ଯେ ବିଧାୟକ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ । ସେ ତାଙ୍କ ମୋବାଇଲ ଫୋନକୁ ଘର ପାଖରେ ଥିବା ପୋଖରୀକୁ ଫୋପାଡ଼ି ଦେଇଥିଲେ । ସେ ଆହୁରି କହିଛନ୍ତି, ଆମେ ପୋଖରୀରୁ ଦୁଇଟି ମୋବାଇଲ ଫୋନ ଉଦ୍ଧାର କରିଛୁ । ଉଭୟ ଡିଭାଇସକୁ ଫୋରେନ୍ସିକ ପରୀକ୍ଷା ପାଇଁ ପଠାଯିବ । ବିଧାୟକଙ୍କୁ ପଚରାଉଚରା କରାଯାଉଛି । ଇଡି ଅଧିକାରୀ କହିଛନ୍ତି ଯେ ଟିଏମସି ବିଧାୟକଙ୍କ ବୁରୱାନସ୍ଥିତ ଘର ଏବଂ ରଘୁନାଥଗଞ୍ଜସ୍ଥିତ ତାଙ୍କ ଶ୍ୱଶୁର ଘରର ସମ୍ପତ୍ତିରେ ମଧ୍ୟ ଇଡିର ରେଡ୍ ଚାଲିଛି । ସେ କହିଛନ୍ତି ଯେ ଇଡି ବୀରଭୂମରେ ତାଙ୍କ ବ୍ୟକ୍ତିଗତ ସହାୟକଙ୍କ ଘରେ ମଧ୍ୟ ତଲାସୀ କରୁଛି । ପ୍ରଥମେ ୨୦୨୩ ଏପ୍ରିଲରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ଚଳିତି ବର୍ଷ ମେ’ ମାସରେ ସେ ଜାମିନରେ ଆସିଥିଲେ ।