ଲଢେ଼ଇ ବନ୍ଦ : ଅସ୍ତ୍ରବିରତି ପାଇଁ ଭାରତ-ପାକ୍ ରାଜି
india pak war

ନୂଆଦିଲ୍ଲୀ : ଶନିବାର ଭୋର ସାଢେ଼ ୩ଟା । ପାକିସ୍ତାନର ଏୟାର ଫୋର୍ସ ଉପରେ ଭାରତ କରିଥିଲା ଆକ୍ରମଣ । ରାୱଲପିଣ୍ଡି ଚକଲାଲାର ରାୱଲପିଣ୍ଡି, ଚକୱାଲର ମୁରିଦ୍ ଓ ଝାଙ୍ଗ୍ ଜିଲ୍ଲା ସୋରକୋଟର ରାଫିକୁଇ ଉପରେ ମିସାଇଲ୍ ମାଡ଼ ହୋଇଥିଲା । ଏକଥା ଭାରତ ଦାବି କରିନି । ବରଂ ନିଜେ ପାକ୍ ହିଁ ସ୍ୱୀକାର କରିଛି । ଏହାର ଠିକ୍ ୧୨ ଘଣ୍ଟା ପରେ, ଅର୍ଥାତ୍ ଆଜି ଦିନ ସାଢେ଼ ୩ଟାରେ ପାକିସ୍ତାନ ଡିଜିଏମଓ ଭାରତ ପ୍ରତିପକ୍ଷଙ୍କୁ ଫୋନ୍ କରିଥିଲେ । ଅସ୍ତ୍ରବିରତି ପାଇଁ ପାକ୍ର ପ୍ରସ୍ତାବକୁ ଭାରତ ଗ୍ରହଣ କରିଥିଲା । ଖାଲି ସେତିକିନୁହେଁ ଆସନ୍ତା ୧୨ରେ ଉଭୟ ଦେଶର ଡିଜିଏମଓଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ନେଇ ବି ନିଷ୍ପତ୍ତି ହୋଇଛି ।
ପାକ୍ ଡିଜିଏମଓଙ୍କ ସହ ଭାରତ ଡିଜିଏମଓଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଓ ଅସ୍ତ୍ରବିରତି ନେଇ ସୂଚନା ଦେଇଥିଲେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି । ସେ କହିଥିଲେଯେ, ପାକ୍ ଡିଜିଏମଓ ଭାରତ ପ୍ରତିପକ୍ଷଙ୍କ ସହ ଫୋନ୍ ଯୋଗେ ଏନେଇ କଥା ହୋଇଛନ୍ତି । ଯୁଦ୍ଧବିରତି ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି । ଉଭୟ ପକ୍ଷ ମଧ୍ୟରେ ଆଜି ଅପରାହ୍ନ ୫ଟାରୁ ସ୍ଥଳ, ଜଳ ଓ ଆକାଶରେ ଆକ୍ରମଣ ହେବନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।
ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ଫ ଏକ୍ସ ଯୋଗେ ସୂଚନା ଦେଇ କହିଥିଲେଯେ, ଆମେରିକାର ମଧ୍ୟସ୍ଥତାରେ ରାତିରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଉଭୟ ଭାରତ ଓ ପାକିସ୍ତାନ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ କରିଛନ୍ତି । ଉଭୟ ଦେଶକୁ ସେ ଅଭିନନ୍ଦନ ଜଣାଉଛନ୍ତି ବୋଲି ଉଲ୍ଲେଖ କରିଥିଲେ ।
ଭାରତ-ପାକିସ୍ତାନ ମୁହାଁମୁହିଁ ଘଟଣା ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବାବେଳେ ଆଜି ଏନେଇ ସମାଧାନର ବାଟ ବାହାରିଛି । ଉଭୟ ଭାରତ ଓ ପାକିସ୍ତାନ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ କରିଛନ୍ତି । ଆଜି ସଂଧ୍ୟା ୫ଟାରୁ ଉଭୟ ପକ୍ଷ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ଫଙ୍କ ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି । ଉଭୟ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ବୋଲି ସେ ଏକ୍ସ ଯୋଗେ ସୂଚନା ଦେଇଥିଲେ । ପାକ୍ ଡିଜିଏମଓ ପ୍ରଥମେ ଭାରତ ଡିଜିଏମଓଙ୍କୁ ଏନେଇ କଲ୍ କରିବା ପରେ ଆଲୋଚନା ହୋଇଥିଲା ।
ସେହିପରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଆମେରିକା ପ୍ରତିପକ୍ଷଙ୍କ ସହ ଗତ କିଛିଦିନ ଧରି ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ନେଇ ଆଲୋଚନା କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିୟମିତ ଭାବେ ସୂଚନା ଦିଆଯାଉଥିଲା । ଭାରତ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସଂକଳ୍ପବଦ୍ଧ । ଆଗକୁ ମଧ୍ୟ ତାହା ଜାରିରହିବ ବୋଲି ଜୟଶଙ୍କର ସ୍ପଷ୍ଟ କରିଛନ୍ତି ।