‘ଭୋଟ ଚୋରି’ ପ୍ରତିବାଦ
ନୂଆଦିଲ୍ଲୀ : ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଓ ୨୦୨୪ ଲୋକସଭା ନିର୍ବାଚନ ସମୟରେ ଭୋଟ ଚୋରି ଅଭିଯୋଗ ଆଣିଛନ୍ତି ବିରୋଧୀ ମେଣ୍ଟ । ଏହି ଅଭିଯୋଗକୁ କେନ୍ଦ୍ର କରି ନିର୍ବାଚନ ଆୟୋଗଙ୍କ ବିରୋଧରେ ପ୍ରତିବାଦକୁ ଓହ୍ଲାଇଛନ୍ତି ୩୦୦ରୁ ଅଧିକ ସାଂସଦ । ସୋମବାର ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ସଂସଦରୁ ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବା ପାଇଁ ଏକ ପ୍ରତିବାଦ ପଦଯାତ୍ରାର ଆରମ୍ଭ ହୋଇଥିଲା । ଏହି ସମୟରେ ପୁଲିସ ବିରୋଧୀ ନେତାମାନଙ୍କୁ ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବାକୁ ଦେଇ ନଥିଲା । ଫଳରେ ଅନ୍ୟ ସାଂସଦମାନେ ଏହି ଘଟଣାରେ କ୍ଷୁବ୍ସ ହୋଇ ରାସ୍ତା ଉପରେ ବସି ଆଗକୁ ଯିବାକୁ ଅନୁମତି ଦେବା ପାଇଁ ପୁଲିସ ନିକଟରେ ଦାବି କରିଥିଲେ । ଏଥିସହିତ ସ୍ଲୋଗାନ ଦେଇ ସରକାରଙ୍କୁ କଟାକ୍ଷ କରିବା ଆରମ୍ଭ କରିଥିଲେ । ଏ ହଙ୍ଗାମା ଦେଖି ପୁଲିସ ସଙ୍ଗେସଙ୍ଗେ ରାହୁଲ, ପ୍ରିୟଙ୍କା, ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ଅଖିଳେଶ ଯାଦବ, ସଞ୍ଜୟ ରାଉତ ଓ ସାଗରିକା ଘୋଷଙ୍କୁ ଘଟଣାସ୍ଥଳରୁ ଉଠାଇ ହେପାଜତକୁ ନେଇଯାଇଛି । ଏହି ପ୍ରତିବାଦ ଶୋଭାଯାତ୍ରା ସମୟରେ ଟିଏମସି ସାଂସଦ ମହୁଆ ମୋଇତ୍ର ଓ ପଶ୍ଚିମବଙ୍ଗର ଆରାମବାଗର ସାଂସଦ ମିତାଲି ବାଗ ଅଚେତ ହୋଇପଡିଥିବା ଜଣାପଡିଛି । ତୁରନ୍ତ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । "ଏସଆଇଆର: ଗଣତାନ୍ତ୍ରିକ ଅଧିକାର ଚୋରି’ ଓ "ଭୋଟ୍ ଚୋରି’ ଭଳି ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରି ସାଂସଦମାନେ ସରକାର ଓ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିଲେ । ଅନେକ ସାଂସଦ ପୁଲିସ ସହିତ ଧସ୍ତାଧସ୍ତି କରିଥିଲେ । ଏହି ସମୟରେ ଏସପି ମୁଖ୍ୟ ଅଖିଳେଶ ଯାଦବ, ତୃଣମୂଳ ସାଂସଦ ମହୁଆ ମୋଇତ୍ରା ଓ ସୁସ୍ମିତା ଦେବ ଏବଂ କଂଗ୍ରେସ ସଦସ୍ୟ ସଞ୍ଜନା ଜାଟଭ ଓ ଜୋଥିମଣିଙ୍କ ସମେତ ନେତାମାନେ ବ୍ୟାରିକେଡ୍ ଉପରେ ଚଢ଼ି ସ୍ଲୋଗାନ ଦେଇଥିଲେ । ରାହୁଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ଲଢେଇ ରାଜନୈତିକ ନୁହେଁ ବରଂ ସମ୍ବିଧାନକୁ ବଞ୍ଚାଇବା ପାଇଁ । ସତ୍ୟ ସମଗ୍ର ଦେଶ ସମ୍ମୁଖରେ ଅଛି ।