ମହାନଦୀ ବିବାଦ ନେଇ ଉଚ୍ଚ ସ୍ତରୀୟ କମିଟି ବୈଠକ

ମହାନଦୀ ବିବାଦ ନେଇ ଉଚ୍ଚ ସ୍ତରୀୟ କମିଟି ବୈଠକ

ଭୁବନେଶ୍ୱର : ଆଜି ମହାନଦୀ ବିବାଦ ନେଇ ଉଚ୍ଚ ସ୍ତରୀୟ କମିଟି ବୈଠକ ବସିବଥିଲା । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା । ଉଚ୍ଚସ୍ତରୀୟ କମିଟିରେ ସବୁ ଦଳର ସଦସ୍ୟ ଥିବାରୁ ସମାଧାନ ବାଟ ଯଲଦି ଫିଟିବ ବୋଲି ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ କମିଟିରେ ବିଜେପି, ବିଜେଡି ଓ କଂଗ୍ରେସ ପ୍ରତିନିଧି ରହିଛନ୍ତି । ଏହି କମିଟିରେ ସୁରେଶ ପୂଜାରୀ, ପ୍ରସାଦ ହରିଚନ୍ଦନ, ସମ୍ପଦ ସ୍ୱାଇଁ, ସରୋଜ ପ୍ରଧାନ, ନିରଞ୍ଜନ ପୂଜାରୀ, ଜୟନାରାୟଣ ମିଶ୍ର ଓ ସୋଫିଆ ଫିର୍ଦ୍ଦୋଷ ସଦସ୍ୟ ରହିଛନ୍ତି । 

  ବୈଠକ ଶେଷ ପରେ କମିଟିର ଅଧ୍ୟକ୍ଷ କେଭି ସିଂ ଦେଓ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ । ଆପୋଷ ଆଲୋଚନା ପାଇଁ ବୈଠକରେ ସହମତି ହୋଇଛି । ବୈଠକରେ ଆଲୋଚନା ହୋଇଥିବା ପ୍ରସଙ୍ଗ ଗଣମାଧ୍ୟମ ପାଇଁ ନୁହେଁ ।ଲୋକଙ୍କୁ ସବୁକିଛି ଜଣାଇବା ପାଇଁ ବିଜେଡି ଓ କଂଗ୍ରେସ ଦାବି କରିଛନ୍ତି ।

   ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି, ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆପୋଷ ସମାଧାନ ହୋଇ ନାହିଁ । ଗତ ସରକାରରେ ଟ୍ରିବ୍ୟୁନାଲ ନିଷ୍ପତ୍ତି ଯଥାର୍ଥ ଥିଲା । ଆଲୋଚନାର ବିଷୟବସ୍ତୁ ରାଜ୍ୟବାସୀଙ୍କୁ ଜଣାଯାଉ । ବିଶେଷଜ୍ଞମାନଙ୍କ ପରାମର୍ଶ ବି ନିଆଯାଉ ।

   ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ କହିଛନ୍ତି, ମହାନଦୀ ଓଡ଼ିଶାର ଜୀବନ ରେଖା । ଏହାର ସ୍ୱାର୍ଥ ଓ ସୁରକ୍ଷା ପାଇଁ ସମସ୍ତେ ମିଳି ମିଶି ଲଢ଼ିବା ଉଚିତ । ମହାନଦୀକୁ ନେଇ ଲଢେଇ କରୁଥିବା ସମସ୍ତ ସଂଗଠନକୁ ଏଥିରେ ସାମିଲ କରାଯାଉ । ଆଲୋଚନାର ସମସ୍ତ ପ୍ରସଙ୍ଗ ରାଜ୍ୟବାସୀଙ୍କୁ ଅବଗତ କରାଯାଉ ।