ମହାନଦୀରେ ଛତିଶଗଡର ବାଲିବନ୍ଧ ଭାଙ୍ଗିବାକୁ ଚିଠି ଲେଖନ୍ତୁ ମୁଖ୍ୟମନ୍ତ୍ରୀ

ସ୍ଥିତି ପରଖିବେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରତିନିଧି

ଭୁବନେଶ୍ୱର : ଛତିଶଗଡ ସରକାର ମହାନଦୀ ଜଳକୁ ଶୋଷଣ ସହ ମହାନଦୀର ତଣ୍ଟି ଚିପିବାକୁ ଆଉ ଏକ ନୂଆ ଚକ୍ରାନ୍ତ କରିଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । କଲମା ବ୍ୟାରେଜର ତଳ ମୁଣ୍ଡରେ ପ୍ରାୟ ୧୨ କିମି ପରେ  ଏକ ବାଲିବନ୍ଧ କରି ପାଣି ରୋକି ଇଣ୍ଡଷ୍ଟ୍ରିକୁ ପାଣି ଯୋଗାଉଛନ୍ତି । କିଛି ଦିନ ତଳେ ବହୁ ବାଦ ବିବାଦ ଓ ଦାବି ପରେ କଲମା ବ୍ୟାରେଜର ଦୁଇଟି ଗେଟ ସାମାନ୍ୟ ଖୋଲି ମହାନଦୀରେ ସାମାନ୍ୟ ଜଳ  ଛାଡିବା  ପରେ ଅନ୍ତତଃ ଆମକୁ ଟିକେ ଆଶ୍ୱସ୍ତି ଅନୁଭବ ହୋଇଥିଲା । ମାତ୍ର ତଳ ମୁଣ୍ଡରେ ସେ ପାଣିକୁ ଅଟକାଇ ରଖିବା କେବଳ ଓଡିଶା ପ୍ରତି ଅନ୍ୟାୟ ନୁହେଁ, ନଦୀ ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି । ସେ ବାଲିବନ୍ଧକୁ ହଟାଇବା ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ କଥା ହୁଅନ୍ତୁ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଦାବି କରିଛନ୍ତି । ଆଗାମୀ ୨୨ ରୁ ୨୫ ତାରିଖ ଭିତରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଏକ ପ୍ରତିନିଧି ଦଳ ସବିଶେଷ ତଥ୍ୟ ପାଇଁ ଗ୍ରାଉଣ୍ଡ ଜିରୋକୁ ଯାଇ କଲମାରୁ ସୁଖସୋଢା  ପର୍ଯ୍ୟନ୍ତ ମହାନଦୀ କୂଳେ କୂଳେ  ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବ । 


  ଏହି ତଥ୍ୟ  ରାଜ୍ୟ ସରକାର ଓ ଗଣମାଧ୍ୟମକୁ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ପାଇଁ ସମୟ ମଗାଯାଇଛି । ତାଙ୍କୁ ମଧ୍ୟ ଅବଗତ କରାଯିବ । ଯେହେତୁ କେନ୍ଦ୍ର, ଓଡିଶା ଓ ଛତିଶଗଡରେ ବିଜେପି ସରକାର ବା ଟ୍ରିପଲ ଇଂଜିନ ସରକାର ରହିଛି, ତେଣୁ ଓଡିଶା ତଥା ମହାନଦୀର ଏହି ଚରମ ପରିସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ  ମହାନଦୀ ବଞ୍ଚାଅ ଆନ୍ଦୋଳନ ମଧ୍ୟ ଦାବି କରିଛି । ଆଜି ପର୍ଯ୍ୟନ୍ତ ଟ୍ରିବୁନାଲ ରେ କେତେ ଖର୍ଚ୍ଚ ହୋଇଛି ତାହା ମଧ୍ୟ ସରକାର ସ୍ପଷ୍ଟ କରନ୍ତୁ । ଟ୍ରିବୁନାଲ ହେବାକୁ ୭ ବର୍ଷ ପୂରିବାକୁ ଆଉ ଅଳ୍ପ ଦିନ ବାକି ରହିଛି । ଆନ୍ତରୀଣ ଆଦେଶ ଦୂରର କଥା ଏପର୍ଯ୍ୟନ୍ତ  ସବିଶେଷ ତଥ୍ୟ ଗ୍ରହଣ ମଧ୍ୟ ସମ୍ପୂର୍ଣ୍ଣ ହୋଇନି । ଆଇନତଃ ସାତ ବର୍ଷ ପରେ ଟ୍ରିବୁନାଲର ସମୟ ସରିବା ପରେ ଆଗାମୀ ପଦକ୍ଷେପ ସମ୍ପର୍କ ରେ ସ୍ପଷ୍ଟତା ଆସିବା ଉଚିତ । ବର୍ତ୍ତମାନ ଜାନୁଆରି ପ୍ରଥମ ସପ୍ତାହରେ ମହାନଦୀ ଶୁଖିଲା ପଡୁଛି । ତେଣୁ ମେ ମାସରେ ପରିସ୍ଥିତି କଣ ହେବ ତାହା ଜଳ ଜଳ ହୋଇ ଦେଖା ଗଲାଣି । ସେଥିପାଇଁ ଆପୋସ ଆଲୋଚନା କଣ ହେଇଛି ତାହା ସ୍ପଷ୍ଟ ହେବା ଦରକାର । ରାଜ୍ୟ ସରକାର ସବୁ ରାଜନୈତିକ ଦଳ, ଗଣ ସଂଗଠନ, ବିଶେଷଜ୍ଞ ଓ ବୁଦ୍ଧିଜୀବୀ ଙ୍କୁ ନେଇ ବିଚାର ବିମର୍ଶ କରି ସର୍ବସମ୍ମତ ସହମତି ଆଣି ତା ପରେ ଆପୋସ ସମାଧାନ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ  ମୁଖପାତ୍ର ପ୍ରସନ୍ନ ବିଷୋୟୀ, ସଂଯୋଜକ ବିଜୟ ପ୍ରଧାନ, ପ୍ରବକ୍ତା ନିରୋଦ ଖୁଣ୍ଟିଆ,ଦୟା ବଞ୍ଚାଅ ଅଭିଯାନ ଆବାହକ ଅର୍ଜୁନ ସାମନ୍ତରାୟ ଉପସ୍ଥିତ ଥିଲେ ।