ଅସନ୍ତୋଷ ଝାଡ଼ିଲେ ଲତିକା ପ୍ରଧାନ : ‘ସମୟ ଦିଅନ୍ତୁ ନବୀନ’

ଅସନ୍ତୋଷ ଝାଡ଼ିଲେ ଲତିକା ପ୍ରଧାନ : ‘ସମୟ ଦିଅନ୍ତୁ ନବୀନ’

କୋର୍‌ ଟିମ୍‌ ଓ ମାନସଙ୍କ ଉପରେ ବି ବର୍ଷିଲେ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରେ ବିଜେଡି ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ଗତ ନିର୍ବାଚନରେ ଠିକ୍‌ ଭାବେ ଦଳକୁ ପରିଚାଳନା କରାଯାଇନଥିଲା । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ବିଧାୟକ ଥିଲେବି ସେ ଜିଲ୍ଲାକୁ ସମୟ ଦେଇପାରୁନାହାନ୍ତି । ଗଞ୍ଜାମର ଦାୟିତ୍ୱ ସେ ନିଅନ୍ତୁ । ଗଞ୍ଜାମରେ ବିଜେଡ଼ି ଜିତିଥିଲେ ନବୀନ ଆଜି ମୁଖ୍ୟମନ୍ତ୍ରୀ ଥାଆନ୍ତେ । କବିସୂର୍ଯ୍ୟନଗରର ପୂର୍ବତନ ବିଧାୟକ ଲତିକା ପ୍ରଧାନ ଏମିତି କହିଛନ୍ତି । ଲତିକା କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ଯଦିଓ ଆମେ ହାରିଥିଲୁ, କିନ୍ତୁ ସ୍ଥିତି ଭଲ ଥିଲା । ବିକ୍ରମ ପଣ୍ଡା ଦାୟିତ୍ୱ ନେବା ପରେ ଧିରେଧିରେ ଆମ ସ୍ଥିତିରେ ସୁଧାର ଆସୁଥିଲା । କିନ୍ତୁ ଏକ ଅଘଟଣ ଘଟିବା ପରେ ସମସ୍ତେ ମର୍ମାହତ ହୋଇଛନ୍ତି । ଆଜି ଯଦି ଆମେ ଗଞ୍ଜାମ ଜିଲ୍ଲାର ସଂଗଠନ କଥା କହିବୁ, ତା’ହେଲେ ଏହା ଗୋଟିଏ ଦିନରେ ଭାଙ୍ଗିଯାଇନି । ନିରନ୍ତର ଭାବେ ଗଞ୍ଜାମ ଜିଲ୍ଲା ନେତାଙ୍କୁ ଦାୟିତ୍ୱ ନଦେବା ଫଳରେ ଦଳର ସଂଗଠନ ଅତି ଦୁର୍ବଳ ହୋଇପଡିଛି । ଏବେ ଗଞ୍ଜାମ ଜିଲ୍ଲାର ମୁରବି ହେଉଛନ୍ତି ଆମ ଦଳର ସଭାପତି । ସେ ହିଞ୍ଜିଳିରୁ ବିଧାୟକ ଅଛନ୍ତି । କିନ୍ତୁ ସେ ମଧ୍ୟ ଜିଲ୍ଲା ପାଇଁ ସମୟ ଦେଇପାରି ନାହାନ୍ତି । ଆମେ ତାଙ୍କୁ ଅନୁରୋଧ କରୁଛୁଯେ, ସେ ଗଞ୍ଜାମ ଜିଲ୍ଲାର ନେତାଙ୍କୁ ସ୍ୱତନ୍ତ୍ର ଭାବେ ଡାକି ଆଲୋଚନା କରନ୍ତୁ । ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ସେ ନିଅନ୍ତୁ । ଜିଲ୍ଲାରେ ବିଜେଡି କେମିତି ସୁଦୃଢ଼ ହେବ, ସେଥିପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉ ବୋଲି ଲତିକା କହିଛନ୍ତି ।


  ସେ କହିଛନ୍ତି, ଗଞ୍ଜାମ ଜିଲ୍ଲା ପାଇଁ ନିରନ୍ତର ଭାବେ ପାତରଅନ୍ତର ନୀତି ଆପଣାଯାଉଛି । ଗଞ୍ଜାମ ଜିଲ୍ଲାର କୌଣସି ନେତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ । ଗଞ୍ଜାମ ଜିଲ୍ଲାରେ କେବଳ ଜଣେ ଦୁଇ ଜଣଙ୍କୁ ରିପିଟ୍‌ କରାଯାଉଛି । ଆଉ କାହାକୁ ସେମିତି ଗୁରୁ ଦାୟିତ୍ୱ ଦିଆଯାଉନାହିଁ । ଫଳରେ ସଂଗଠନ ଦିନକୁ ଦିନ ଆହୁରି ଦୁର୍ବଳ ହୋଇଯାଉଛି । ତେବେ କିଏ ପାତରଅନ୍ତର କରୁଛନ୍ତି, ତାହା ସେ କହି ନାହାନ୍ତି । ଲତିକା କହିଛନ୍ତି ଯେ ଶଙ୍ଖ ଭବନରେ ବସୁଥିବା ଲୋକେ ପାତରଅନ୍ତର କରୁଛନ୍ତି କି କିଏ, ସେ ଜାଣିନାହାନ୍ତି । ଏକଥା ସଭାପତିଙ୍କ ନଜରକୁ ଆସୁନାହିଁ । ଏହା ନିଶ୍ଚିତ ଭାବେ ସଭାପତିଙ୍କ ନଜରକୁ ଆସିବା ଦରକାର । ପାତରଅନ୍ତର କରି ଲୋକଙ୍କୁ ହଇରାଣ କରାଯାଉଛି । ନବୀନଙ୍କୁ ସାକ୍ଷାତ କରିବା ପାଇଁ ସୁଯୋଗ ପାଇପାରୁନଥିବା ଲତିକା ଗଣମାଧ୍ୟମ ଜରିଆରେ ବିଜେଡି ସୁପ୍ରିମୋ ନୀବନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତିଯେ, ଗଞ୍ଜାମ ଜିଲ୍ଲା ପାଇଁ ସେ ସ୍ୱତନ୍ତ୍ର ଦାୟିତ୍ୱ ନିଅନ୍ତୁ ଓ ଦଳର ସଂଗଠନକୁ ସୁଦୃଢ଼ କରନ୍ତୁ । ସେହିପରି ସେ ବିଜେଡିର କୋର୍‌ ଟିମ୍‌ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, କୋର୍‌ ଟିମ୍‌ର ଅଧିକାର କ’ଣ ମୁଁ କିଛି ଜାଣିନି । କୋର୍‌ ଟିମ୍‌ କେଉଁ ସମସ୍ୟାର ସମାଧାନ କରି ଦେଇଛନ୍ତି, ତାହା ମୁଁ ଜାଣିନି । କୋର ଟିମ୍‌ କଥା ମୁଁ କହିପାରିବିନି । କୋର୍‌ ଟିମ୍‌ କ’ଣ ପାଇଁ ଅଛି, ସେଥିରେ କିଏ କିଏ ଅଛନ୍ତି, ମୁଁ ଭଲ ଭାବେ ଜାଣିନି । ଏହା ସହିତ ଗତ ସାଧାରଣ ନିର୍ବାଚନ ବେଳେ ଗଞ୍ଜାମ ଜିଲ୍ଲାର ପ୍ରଭାରୀ ଦାୟିତ୍ୱରେ ଥିବା ମାନସ ମଙ୍ଗରାଜଙ୍କ ନାଁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ଲତିକା । ସେ କହିଛନ୍ତି, ମୁଁ ଯଦି ବିଧାୟିକା ହୋଇଥା’ନ୍ତି ଓ ମୋ ଭଳି ଅନ୍ୟ ଭାଇଭଉଣୀମାନେ (ଗଞ୍ଜାମ ଜିଲ୍ଲା ବିଜେଡି ପ୍ରାର୍ଥୀ) ଯଦି ବିଧାୟକ/ବିଧାୟିକା ହୋଇଥା’ନ୍ତେ, ଆମ ଦଳର ସଭାପତି ସେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥା’ନ୍ତେ ।

   ଗଞ୍ଜାମ ଜିଲ୍ଲାରେ ସବୁ ଆସନରେ ଦଳର ବିଜୟ ସୁନିଶ୍ଚିତ ଥିଲା । କିନ୍ତୁ ଆମ ପ୍ରାର୍ଥୀମାନଙ୍କୁ ହରାଇ ଦିଆଗଲା । ଫଳରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଛନ୍ତି । ଦଳ ଯାହାଙ୍କୁ ଦାୟିତ୍ୱ ଦେଇଥିଲା, ସେ କ’ଣ କରୁଥିଲେ ? ସେ କ’ଣ ସ୍ଥିତି ଅନୁଧ୍ୟାନ କରୁଥିଲେ ? ଆମେ ତ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଲାଗିଥିଲୁ । ଆମର ଯଦି କିଛି ଭୁଲ୍‌ ରହୁଥିଲା, ସେ କହିଲେନି କାହିଁକି ? ତାଙ୍କୁ ତ ସେଥିପାଇଁ ଦଳ ଦାୟିତ୍ୱ ଦେଇଥିଲା । ଆମର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେ କାମ ନ କରି ସେ କେଉଁଠି ଥିଲେ ? ସେ ପିକ୍‌ନିକ୍‌ କରୁଥିଲେ ନା ନିର୍ବାଚନରେ ଆମକୁ ସହଯୋଗ କରୁଥିଲେ । ମୋ କଥା ମୁଁ ଯେତେ ଥର କହିଛି, ତା’ର କୌଣସି ପ୍ରକାର ସମାଧାନ ହୋଇପାରିଲାନାହିଁ । ଫଳସ୍ୱରୂପ ଏତେ ବଡ ବ୍ୟବଧାନରେ ହାରିଲି ବୋଲି ଲତିକା କହିଛନ୍ତି । ଲତିକା କହିଛନ୍ତି, ହାରିବା ପରେ ସଂଗଠନକୁ ଆମେ ଯେତିକି ଗୁରୁତ୍ୱ ଦେବା କଥା, ତାହା କରାଯାଇନାହିଁ । ସଂଗଠନକୁ ଦୃଢ଼ କରିବା ପାଇଁ ସମସ୍ତଙ୍କୁ ନେଇକି ଯିବା କଥା । କିନ୍ତୁ ତାହା ସମ୍ଭବ ହୋଇପାରୁନାହିଁ । ଯେଉଁ ନେତାମାନେ ସ୍ୱର ଉତ୍ତୋଳନ କରୁଛନ୍ତି, ସେମାନଙ୍କ ସ୍ୱରକୁ ଚପାଇ ନଦିଆଯାଉ । ତାଙ୍କ କଥାକୁ ଶୁଣାଯାଉ । ତାଙ୍କ ମତାମତକୁ ଶୁଣାଯାଉ ଓ ସମାଧାନର ବାଟ ବାହାର କରାଯାଉ  । ନବୀନ ବାବୁ ସମସ୍ତଙ୍କ ସହିତ ଆଲୋଚନା କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ଦଳର ଦାୟିତ୍ୱ ନେବା ପାଇଁ ଏକ ଟିମ୍‌ର ଆବଶ୍ୟକତା ରହିଛି । ନବୀନ ବାବୁ ସେହି ଟିମ୍‌ ଗଠନ କରନ୍ତୁ  । କାହାକୁ ଅଣଦେଖା କରାନଯାଉ । ସମସ୍ତଙ୍କୁ ସାମିଲ କରାଯାଉ ବୋଲି ଲତିକା ପ୍ରକାଶ କରିଛନ୍ତି ।