ମାଓ-ମୁକ୍ତ ଦ୍ୱାରଦେଶରେ ଭାରତ : ମୋଦି
ନୂଆଦିଲ୍ଲୀ : ନକ୍ସଲ ଆତଙ୍କବାଦ ମୂଳୋତ୍ପାଟନ ଦିଗରେ ଅଗ୍ରସର ହେଉଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି ଯେ ଭାରତ ନକ୍ସଲ ଆତଙ୍କବାଦର ଶେଷ ପାଇଁ ଅଣ୍ଟା ଭିଡିଛି । ଚଳିତ ବର୍ଷ ନକ୍ସଲ କବଳରୁ ମୁକ୍ତ ହୋଇଥିବା ୧୦୦ ରୁ ଅଧିକ ଜିଲ୍ଲା "ଗର୍ବ ଏବଂ ମର୍ଯ୍ୟାଦା’ ସହିତ ଦୀପାବଳି ପାଳନ କରିଛନ୍ତି । ଗୋଆ ଉପକୂଳରେ ଆଇଏନଏସ ବିକ୍ରାନ୍ତରେ ସଶସ୍ତ୍ର ବାହିନୀକୁ ସମ୍ବୋଧିତ କରି ମୋଦି ସୁରକ୍ଷା କର୍ମୀଙ୍କୁ ସେମାନଙ୍କର "ଶକ୍ତି ଓ ବଳିଦାନ’ ପାଇଁ ପ୍ରଶଂସା କରିଥିଲେ । ଦଶନ୍ଧି ପୂର୍ବେ ୧୨୫ ଜିଲ୍ଲା ମାଓବାଦୀ ଆକ୍ରାନ୍ତ ଥିବା ବେଳେ ଆଜି ୧୦୦ ଜିଲ୍ଲା ମାଓବାଦୀ କବଳରୁ ମୁକ୍ତ ହୋଇଛି ।
ଆମ ସୁରକ୍ଷା ବାହିନୀର ଶକ୍ତି ଓ ସାହସ ଯୋଗୁଁ ଦେଶ ଗତ କିଛି ବର୍ଷ ମଧ୍ୟରେ ଆଉ ଏକ ବଡ଼ ସଫଳତା ହାସଲ କରିଛି । ଏହି ସଫଳତା ହେଉଛି ମାଓ ଆତଙ୍କବାଦର ମୂଳୋତ୍ପାଟନ । ଦେଶ ନକ୍ସଲ ଆତଙ୍କବାଦରୁ ମୁକ୍ତି ପାଇବାର ଦ୍ୱାରରେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ୨୦୧୪ ପୂର୍ବରୁ ଦେଶର ପ୍ରାୟ ୧୨୫ ଜିଲ୍ଲା ମାଓ ହିଂସା କବଳରେ ଥିଲା । ଗତ ଦଶନ୍ଧି ଧରି ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଯୋଗୁଁ ଏହା ହ୍ରାସ ପାଇଛି । ଏବେ ୧୧ଟି ଜିଲ୍ଲା ମଧ୍ୟରୁ କେବଳ ତିନୋଟି ଜିଲ୍ଲା ମାଓ ପ୍ରଭାବରେ ରହିଛି । ପ୍ରଥମ ଥର ପାଇଁ ଏପରି ଜିଲ୍ଲାର ଲୋକମାନେ ଶାନ୍ତିରେ ଦୀପାବଳି ପାଳନ କରୁଛନ୍ତି । ଜିଏସଟି ବଚତ ଉତ୍ସବ ସମୟରେ ଏହି ଅଞ୍ଚଳଗୁଡ଼ିକରେ ରେକର୍ଡ ବିକ୍ରୟ ଓ କ୍ରୟ ପରିଲକ୍ଷିତ ହୋଇଛି । ଯେଉଁ ଜିଲ୍ଲାରେ ପୂର୍ବରୁ ମାଓ ଆତଙ୍କ ସମ୍ବିଧାନ ନାଁରେ ଦମନ କରାଯାଉଥିଲେ, ସେଠାରେ ସ୍ୱଦେଶୀର ମନ୍ତ୍ର ଏବେ ପ୍ରତିଧ୍ୱନିତ ହେଉଛି ବୋଲି ସେ କହିଛନ୍ତି ।
ମୋଦି କହିଛନ୍ତି ଯେ ସ୍ୱାଧୀନତା ପରେ ଏହା ହୁଏତ ପ୍ରଥମ ଥର ପାଇଁ ଯେ ପୁଲିସ ବାହିନୀ ଏତେ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି । ସେ କହିଛନ୍ତି ଯେ ତାଙ୍କର ବିଶ୍ୱାସ ଯେ ଗତ ୫୦ ବର୍ଷର ଏହି ଭୟଙ୍କର ପରିସ୍ଥିତି ପରାସ୍ତ ହେବ । ସେମାନେ (ପୁଲିସ ବାହିନୀ) ୯୦ ପ୍ରତିଶତ ସଫଳତା ହାସଲ କରିଛନ୍ତି, ସେ କହିଛନ୍ତି ଦେଶ ଭିତରେ ଯୁଦ୍ଧ ଲଢ଼ିବା ପାଇଁ ବହୁତ ଧର୍ଯ୍ୟ ଆବଶ୍ୟକ, ଯାହା ଦ୍ୱାରା କୌଣସି ନିର୍ଦ୍ଦୋଷ ଜୀବନ ନଷ୍ଟ ନହୁଏ । ସେ କହିଛନ୍ତି ଯେ ଏପରି ଅଞ୍ଚଳ ଅଛି ଯେଉଁଠାରେ ମାଓବାଦୀମାନେ ସ୍କୁଲ, ରାସ୍ତା ଏବଂ ହସ୍ପିଟାଲ ନିର୍ମାଣ କରିବାକୁ ଅନୁମତି ଦେଉ ନଥିଲେ । ସ୍କୁଲ ଓ ହସ୍ପିଟାଲରେ ବିସ୍ଫୋରଣ କରିଥିଲେ ଓ ଡାକ୍ତରଙ୍କୁ ଗୁଳି କରିଥିଲେ । ସେହି ଅଞ୍ଚଳଗୁଡ଼ିକରେ ରାଜପଥ ନିର୍ମାଣ ହେଉଛି, ନୂତନ ବ୍ୟବସାୟ ଆରମ୍ଭ କରାଯାଉଛି । ସ୍କୁଲ ଓ ହସ୍ପିଟାଲ ପିଲାମାନଙ୍କ ପାଇଁ ଏକ ନୂତନ ଭବିଷ୍ୟତ ନିର୍ମାଣ କରୁଛନ୍ତି ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ଏହି ସଫଳତା ପାଇଁ ସୁରକ୍ଷା ବାହିନୀର ତପସ୍ୟା, ତ୍ୟାଗ ଏବଂ ସାହସକୁ ଶ୍ରେୟ ଦେଇଛନ୍ତି ।