ଏଣିକି ନୂଆପଡ଼ାରେ କଡ଼ା ଚେକିଂ
- ପ୍ରବେଶ ପଥରେ ରହିବ ନାକା ପୋଷ୍ଟ
- ସନ୍ଦିଗ୍ଧ ବ୍ୟକ୍ତି ଓ ଗାଡ଼ି ଚେକିଂ ଜୋରଦାର କର : ଡିଜିପି
ଭୁବନେଶ୍ୱର : ଜମି ଆସିଲାଣି ନୂଆପଡ଼ା ଉପନିର୍ବାଚନ । ଏବେଠୁ କଡ଼ାକଡ଼ି ଚେକିଂ କରିବା ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନିର୍ବାଚନମଣ୍ଡଳୀର ପ୍ରବେଶ ପଥରେ ନାକା ପୋଷ୍ଟ ସ୍ଥାପନ କରାଯିବ । ସନ୍ଦିଗ୍ଧ ବ୍ୟକ୍ତିବିଶେଷ ଓ ଗାଡ଼ିର ଯାଞ୍ଚ ହେବ । ବେଆଇନ୍ ଟଙ୍କା କାରବାର ରୋକାଯିବା ସହ ବେଆଇନ୍ ମଦ ଉପରେ ତୀକ୍ଷ୍ଣ ନଜର ରଖାଯିବ ।
ନୂଆପଡ଼ା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଜି ପୋଲିସ ମୁଖ୍ୟାଳୟ ଠାରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି । ଡିଜିପି ଶ୍ରୀ ଖୁରାନିଆ ଏକ ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ । ନିର୍ବାଚନ ଆଚରଣ ବିଧିର କଡାକଡି ଅନୁପାଳନ ଏବଂ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ପାଇଁ ଇସିଆଇଙ୍କ ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ଆହୁରି ମଧ୍ୟ ଦଫା ୧୧୦/୧୦୭ ସିଆରପିସି ଅନୁଯାୟୀ ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କୁ ଗିରଫ କରିବା, ବେଆଇନ ଟଙ୍କା କାରବାରକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଓ ବେଆଇନ ମଦ ଜବତ କରିବା ଏବଂ ପଡ଼ି ରହିଥିବା ୱାରେଣ୍ଟକୁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ଉପରେ ତାମିଲ କରିବା ସମେତ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପଗୁଡ଼ିକୁ ତୀବ୍ର କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଅତିରିକ୍ତ ଡିଜିପି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ମୋବାଇଲ୍ ପେଟ୍ରୋଲିଙ୍ଗ ଏବଂ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ର କାର୍ଯ୍ୟକୁ ବଢ଼ାଇବା ଏବଂ ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରବେଶ ପଥରେ ନାକା ପୋଷ୍ଟ ସ୍ଥାପନ କରି ସନ୍ଦିଗ୍ଧ ବ୍ୟକ୍ତିବିଶେଷ ଓ ଗାଡ଼ିମାନଙ୍କର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଉପରେ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ କୋଚେ ଉପ-ନିର୍ବାଚନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ତଥ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଡିଆଇଜିପି ଓ ଏସପିଙ୍କୁ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବାକୁ ପରାମର୍ଶ ଦେଇଥିଲେ । ଉପନିର୍ବାଚନ ସମୟରେ ସମ୍ଭାବ୍ୟ ମାଓବାଦୀ କାର୍ଯ୍ୟକଳାପକୁ ଏଡାଇବାକୁ ଏଡିଜିପି (ଏଏନଓ) ସଂଜୀବ ପଣ୍ଡା ଜିଲ୍ଲାର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ କମ୍ବିଂ ଅପରେସନ ଓ ମାଓବାଦୀ ବିରୋଧୀ ଅଭିଯାନକୁ ଜୋରଦାର କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିନିମନ୍ତେ ସମସ୍ତ ପ୍ରକାର ଯୋଜନାକୁ ଚୂଡାନ୍ତ ରୂପ ଦିଆଯାଇଛି ବୋଲି ଜଣାଇଥିଲେ ।
ଉଲ୍ଲେଖଯୋଗ୍ୟଯେ, ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୧୪ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳ, ୫ ପ୍ଲାଟୁନ୍ ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ/ ଅତିରିକ୍ତ ପୋଲିସ ରିଜର୍ଭ, ୩୫ ମୋବାଇଲ୍ ପାଟ୍ରୋଲିଂ ପାର୍ଟି, ୧୮ ଫ୍ଲାଇଙ୍ଗ୍ ସ୍କ୍ୱାଡ୍, ୧୮ ଷ୍ଟାଟିକ ସର୍ଭେଲାନ୍ସ ଟିମ ସହିତ ଜିଲ୍ଲା ପୋଲିସ୍ ଅଧିକାରୀ/ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ରେଞ୍ଜ ଡିଆଇଜି କେ. ବି. ସିଂହ ପୋଲିସ୍ ପକ୍ଷରୁ ଚୋରା ମଦ ଉପରେ ଚଢାଉ, ନିଶା ଦ୍ରବ୍ୟ ଚୋରା କାରବାର ରୋକିବାକୁ ସ୍ୱତନ୍ତ୍ର ରଣନୀତି, ପେଣ୍ଡିଂ ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ଅବଗତ କରିଥିଲେ । ଏହାଛଡ଼ା ଇଭିଏମର ସୁରକ୍ଷା ପାଇଁ ଷ୍ଟ୍ରଙ୍ଗ୍ରୁମ୍ରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ବୈଠକରେ ଡିଜିପି (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ନିର୍ଦ୍ଦେଶକ (ଗୁଇନ୍ଦା) ଆର.ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅପରେସନ) ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାର୍ନିେଶକ (ମୁଖ୍ୟାଳୟ) ଅରୁଣ ବୋଥ୍ରା,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ଆଇଜିପି (ଏସଏପି) ଏସ.କେ. ଗଜଭିଏଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।