ପୁଣି ବାଦଲଫଟା ବର୍ଷା : ବନ୍ୟାରେ ୧୨ ଜଣ ମୃତ !
ଉତ୍ତରାଖଣ୍ଡ, ହିମାଚଳ ପରେ ଏବେ ଜମ୍ମୁ-କାଶ୍ମୀରରେ ବାଦଲ ଫଟା ଘଟଣା ସାମ୍ନାକୁ ଆସିଛି । ଗୁରୁବାର ଦ୍ଵିପ୍ରହରରେ ଜମ୍ମୁ-କାଶ୍ମୀରର କିସ୍ତୱାଡ଼ର ପଡ୍ଡରର ଚିଶୋଟି ଗାଁରେ ମଚୈଲ ମାତା ମନ୍ଦିର ପାଖରେ ବାଦଲ ଫଟା ବର୍ଷା ହୋଇଛି । ଯାହାଦ୍ୱାରା ସେଠାରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାମଲାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କିସ୍ତୱାଡ଼ର ଡିସି ପଙ୍କଜ ଶର୍ମାଙ୍କ ସହ ଫୋନରେ କଥା ହୋଇ ସୂଚନା ନେଇଛନ୍ତି । ଘଟଣାରେ ବଡ଼ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାରେ ବନ୍ୟାରେ ଏକ କାର୍ ଫସି ରହିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଅନ୍ୟପଟେ କାଶ୍ମୀରର ରାଜୌରୀ ଏବଂ ମେଣ୍ଢରରୁ ମଧ୍ୟ ବାଦଲ ଫାଟିବାର ସୂଚନା ମିଳିଛି ।
କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ ସ୍ଥାନୀୟ ବିଧାୟକ ସୁନୀଲ କୁମାର ଶର୍ମାଙ୍କଠାରୁ ତୁରନ୍ତ ଖବର ପାଇବା ପରେ କିସ୍ତୱାଡ଼ର ପ୍ରାଶାସନିକ ଅଧିକାରୀଙ୍କ ସହ କଥା ହୋଇଛି । ଚୋସିଟି ଅଞ୍ଚଳରେ ଭୀଷଣ ବାଦଲ ଫାଟିଛି ଯେଉଁଥିପାଇଁ ବଡ଼ ଧରଣର କ୍ଷତି ହେବାର ଆଶଙ୍କା ରହିଛି । ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି । କ୍ଷୟକ୍ଷତିର ଆକଳନ କରାଯାଉଛି ଏବଂ ଆବଶ୍ୟକ ଉଦ୍ଧାର ଏବଂ ଚିକିତ୍ସା ପରିଚାଳନାର ବ୍ୟବସ୍ଥା କରାଯାଉଛି । ବାଦଲ ଫାଟିବା ସମୟରେ ଏଠାରେ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଘଟଣା ପରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଶ୍ରଦ୍ଧାଳୁଙ୍କ ଚିତ୍କାର ଶୁଭୁଛି । ଭିଡିଓରେ ଅନେକ ଶ୍ରଦ୍ଧାଳୁ କାନ୍ଦି କାନ୍ଦି ନିଜ ପରିଜନଙ୍କୁ କୋଳେଇ ନେଉଥିବାର ଦେଖିବାକୁ ମିଳିଛି । ତେବେ ଏପର୍ଯ୍ୟନ୍ତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି । ଶ୍ରୀନଗର ପାଣିପାଗ କେନ୍ଦ୍ର ଆଗାମୀ ୬ ଘଣ୍ଟା ମଧ୍ୟରେ ପ୍ରଦେଶର ଅନେକ ସ୍ଥାନରେ ମଧ୍ୟମରୁ ଭାରୀ ବର୍ଷା ହେବାର ଆଶଙ୍କା କରିଛି । କିସ୍ତୱାଡ଼ର ପାହାଡ଼ିଆ ଅଞ୍ଚଳ, କାଜିଗୁଣ୍ଡ, ବନିହାଲ, ରାମବନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସୂଚନା ଦିଆଯାଇଛି । ଏହା ବ୍ୟତୀତ ବିଭାଗ କିଛି ସମ୍ବେଦନଶୀଳ ସ୍ଥାନ ଏବଂ ପାହାଡ଼ିଆ ଅଞ୍ଚଳରେ ବାଦଲ ଫାଟିବା ହଠାତ୍ ବନ୍ୟା ଆସିବା ଏବଂ ଭୂସ୍ଖଳନ ହେବାର ଆଶଙ୍କା କରିଛି । ଉଲାର ହ୍ରଦ, ଡାଲ ହ୍ରଦ ସମେତ ସମସ୍ତ ପୋଖରୀରେ ସମସ୍ତ ପ୍ରକାର କାର୍ଯ୍ୟ ବନ୍ଦ କରିଦିଆଯାଇଛି । ବାଦଲ ଫାଟିବା ପରେ ଉପରାଜ୍ୟପାଳ ମନୋଜ ସିହ୍ନା ଏକ୍ସ ପ୍ଲାଟଫର୍ମରେ ଲେଖିଛନ୍ତି ଯେ କିସ୍ତୱାଡ଼ରେ ବାଦଲ ଫାଟିବା ଘଟଣାରେ ମୁଁ ଦୁଃଖିତ । ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା ଏବଂ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ସିଭିଲ, ପୁଲିସ, ସେନା, ଏନଡିଆରଏଫ ଏବଂ ଏସଡିଆରଏଫ ଅଧିକାରୀଙ୍କୁ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।