ମାନବିକତା ଦେଖାଇଲେ ପ୍ରତାପ ଷଡ଼ଙ୍ଗୀ

ନୀଳଗିରି : ଚଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସମଗ୍ର ନୀଳଗିରି ବ୍ଲକରେ ୯ଜଣ ଛାତ୍ରଛାତ୍ରୀ ଏ୧ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ନୀଳଗିରି ଏନ୍ଏସି ୬ନଂ କାବେରୀ ବେହେରା ୫୪୧ନଂ ରଖି ଏ ୧ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କାବେରୀ ଜନ୍ମର କିଛିଦିନ ପରେ ବାପା ଝିଅଟିକୁ ପର ହାତରେ ଟେକିଦେବା ପାଇଁ ଇଚ୍ଛା କରିଥିଲେ । କିନ୍ତୁ ଜେଜେମା ଶୈଳବାଳା ନାତୁଣୀକୁ ପରହାତରେ ଟେକି ନ ଦେଇ ନିଜ ପାଖରେ ରଖି ଦୁଃଖକଷ୍ଟରେ ପାଳିପୋଷି ପାଠ ପଢ଼ାଇଲେ । ସେବେଠୁ ବାପାମା’ ଝିଅ ଠାରୁ ଅଲଗା ହୋଇଗଲେ । ଶେଷରେ ଦାଦା, ସାଇପଡିଶା, ବଦାନ୍ୟ ବ୍ୟକ୍ତି ଏବଂ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀଙ୍କ ସାହାଯ୍ୟ ସହଯୋଗରେ ଝିଅଟି ପାଠପଢ଼ି ମେଧାବୀ ଛାତ୍ରୀ ଭାବରେ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଗଢି ତୋଳିଲେ । ଶେଷରେ ନୀଳଗିରିର ପ୍ରତିଷ୍ଠିତ କୈଳାସ ଚନ୍ଦ୍ର ଉଚ୍ଚବିଦ୍ୟାଳୟରେ ଅଧ୍ୟୟନରତ କାବେରୀ ଚଳିତ ହାଇସ୍କୁଲ ଦଶମଶ୍ରେଣୀ ପରୀକ୍ଷାରେ ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାତ୍ର ଅର୍ଥର ଅଭାବଥିବାରୁ ଉଚ୍ଚଶିକ୍ଷା ପଢ଼ିବା ଆଶା ମଉଳି ଯାଇଥିବା ବେଳେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଖବର ପାଇ ଝିଅକୁ ପୋଷ୍ୟକନ୍ୟା କରିବା ସହିତ ତାର ଉଚ୍ଚତ୍ତୋର ପଢାପାଇଁ ଝାଡେଶ୍ୱର କଲେଜ କର୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ । ସାଂସଦଙ୍କ ଆଗ୍ରହକୁ ସମ୍ମାନ ଜଣାଇ ଉକ୍ତ କଲେଜର ସ୍ୱତ୍ତ୍ୱାଧିକାରୀ ପରମାନନ୍ଦ ସାନ୍ତରା ଯୁକ୍ତଦୁଇ ବିଜ୍ଞାନରେ ଝିଅର ସମସ୍ତ ପଢାଖର୍ଚ୍ଚ ବହନ କରିବା ସହ ହଷ୍ଟେଲ, ଲାପଟପ୍, ବହିଖାତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଜି ସାଂସଦ ପ୍ରତାପ ଷଡ଼ଙ୍ଗୀ, ଝାଡେଶ୍ୱର କଲେଜର ମାଲିକ ଶ୍ରୀଯୁକ୍ତ ସାନ୍ତରା, ଶିଶିର ମହାପାତ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ରଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଛାତ୍ରୀ କାବେରୀର ଘରକୁ ଯାଇ ତାଙ୍କ ଜେଜେମା’ ଶୈଳବାଳା, ଜେଜେବାପା ରବୀନ୍ଦ୍ର ବେହେରା ଏବଂ କବେରୀଙ୍କୁ ଭେଟି ଝିଅର ପାଠପଢା ସମ୍ପର୍କରେ ସମସ୍ତ ସୂଚନା ଦେଇ ଝିଅର ଆଇଏଏସ୍ ହେବାର ସ୍ୱପ୍ନକୁ ପୂରଣ କରିବା ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସାଂସଦଙ୍କ ଏଭଳି ସହଯୋଗ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ସାଧୁବାଦ ଜଣାଯାଇଛି ।