ମାର୍ଚ୍ଚ ୭ରୁ ସିଆଇଏସଏଫର କୋଷ୍ଟାଲ ସାଇକ୍ଳୋଥନ୍

ଭୁବନେଶ୍ୱର : ସିଆଇଏସଏଫର ୫୬ତମ ପ୍ରତିଷ୍ଠା ଦିବସ ଅବସରରେ ଜାତୀୟ ସୁରକ୍ଷାକୁ ପ୍ରୋସôାହିତ କରିବା ପାଇଁ ଗ୍ରେଟ୍ ଇଣ୍ଡିଆନ୍ କୋଷ୍ଟାଲ୍ ସାଇକ୍ଳୋଥନ୍ ଆୟୋଜିତ ହେବାକୁ ଯାଉଛି  । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ "ସୁରକ୍ଷିତ କୂଳ, ସମୃଦ୍ଧ ଭାରତ' ରହିଛି । ଜାତୀୟ ସୁରକ୍ଷା ଏବଂ ଚୋରା ଚାଲାଣ ଭଳି ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହାର ଲକ୍ଷ୍ୟ  । ଏହି ସାଇକ୍ଳୋଥନ୍ରେ ୧୪ ମହିଳାଙ୍କ ସମେତ ମୋଟ ୧୨୫ ଜଣ ସାଇକେଲ ଚାଳକ ଅଂଶଗ୍ରହଣ କରିବେ  । ଏହି ଯାତ୍ରା ୨୫ ଦିନରେ ୬୫୫୩ କିଲୋମିଟର ବ୍ୟାପୀ ୧୧ଟି ରାଜ୍ୟକୁ ଅତିକ୍ରମ କରିବ  । 
ଆସନ୍ତା ୭ରେ ଗୁଜୁରାଟର ଲଖପତ ଏବଂ ପଶ୍ଚିମବଙ୍ଗର ବକ୍ଖାଲିରୁ ସାଇକ୍ଳୋଥନ୍ ଆରମ୍ଭ ହେବ  । ପଶ୍ଚିମ ଦିଗରେ ଏହା ୩୭୭୫ କିଲୋମିଟର ଓ ପୂର୍ବ ଦିଗରେ ୨୭୭୮ କିଲୋମିଟର ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି  । ପ୍ରମୁଖ ଉପକୂଳ ସହରଗୁଡ଼ିକ ମଧ୍ୟରେ ମୁମ୍ବାଇ, ଗୋଆ, ମାଙ୍ଗାଲୋର, କୋଚି ଏବଂ ଚେନ୍ନାଇ ରହିଛି  । ଓଡ଼ିଶାରେ ଏହା କୋଣାର୍କ, ପୁରୀ, ଗୋପାଳପୁର, ବ୍ରହ୍ମପୁର ଏବଂ ସାତପଡ଼ା ଦେଇ ଗତି କରିବ  । ୧୩ ମାର୍ଚ୍ଚରେ କୋଣାର୍କ ଓ ୧୪ ମାର୍ଚ୍ଚରେ ଏହା ପୁରୀରେ ପହଁଚିବ  । ସିଆଇଏସ୍ଏଫ୍ ୟୁନିଟ୍ ଭୁବନେଶ୍ୱର ପକ୍ଷରୁ ବିମାନବନ୍ଦର, କୋଣାର୍କ, ପୁରୀ ଏବଂ ଗୋପାଳପୁରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି  ।