ମିଆଁମାର ଭୂକମ୍ପରେ କ୍ଷୟକ୍ଷତି : ମାନବୀୟ ସହାୟତା ପଠାଇଲା ଭାରତ
ମିଆଁମାରରେ ଭୟଙ୍କର ଭୂକମ୍ପରେ ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା । ୭ ଦଶମିକ ୭ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୧୬ଶହରୁ ଅଧିକ ଜୀବନ ଯାଇଛି । ଏବେବି ଅନେକ ଜୀବନ ସହ ସଂଘର୍ଷ କରୁଥିବାରୁ ମୃତ୍ୟୁ ସଂଖ୍ୟା ୨ହଜାର ଛୁଇଁପାରେ । ସେପଟେ ପ୍ରଳୟଙ୍କାରୀ ଭୂକମ୍ପ ପରେ ମିଆଁମାରରେ ସ୍ଥିତି ସଂଗୀନ ହେବାରେ ଲାଗିଛି । ଏହାରି ଭିତରେ ସହାୟତାର ହାତ ବଢ଼ାଇଛି ଭାରତ । ଭାରତ ଅପରେସନ ବ୍ରହ୍ମା ଅନ୍ତର୍ଗତ ଏକ ସ୍ପେଶାଲ ମେଡିକାଲ ଟାସ୍କ ଫୋର୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଛି । ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଗନିତ ଗିଲଙ୍କ ନେତୃତ୍ବରେ ୧୧୮ ସଦସ୍ୟ ବିଶିଷ୍ଟ ମେଡିକାଲ ଟିମ ମିଆଁମାର ଗସ୍ତ କରିଛି । ଏହି ଟିମ୍ ଏୟାରବର୍ଣ୍ଣ ଏଞ୍ଜେଲ୍ସ ଟାସ୍କ ଫୋର୍ସର ଅଂଶବିଶେଷ, ଯାହା ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରୀ ଓ ସର୍ଜିକାଲ ସହାୟତା ଯୋଗାଇବା ପାଇଁ ତାଲିମପ୍ରାପ୍ତ । ଏହି ଟିମ୍ ସହ ଅତ୍ୟାବଶ୍ୟକୀୟ ଔଷଧ ପଠାଯାଇଛି । ମିଆଁମାରର ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ୬୦ ଶଯ୍ୟା ବିଶିଷ୍ଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଯେଉଁଥିରେ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ । ଏହି ଭୂମିକମ୍ପ ଯୋଗୁଁ ମିଆଁମାରର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ଏକ ଚିକିତ୍ସା କେନ୍ଦ୍ର ବେଶ ସହାୟକ ହେବ, ଯାହାଦ୍ବାରା ରିଲିଫ୍ କାର୍ଯ୍ୟକୁ ଅଧିକ ଫଳପ୍ରଦ କରିହେବ। ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଭୂକମ୍ପଗ୍ରସ୍ତ ମିଆଁମାରକୁ ସହାୟତା ଯୋଗାଇ ଦେବେ ।
ମିଆଁମାର ପୁନରୁଦ୍ଧାରରେ ଆମେରିକୀୟ ଏଜେନ୍ସିମାନେ ସହାୟତା ପ୍ରଦାନ କରୁଛନ୍ତି କି ବୋଲି ପଚରାଯିବାରୁ ରାଷ୍ଟ୍ରପତି ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଆମେ ନିଶ୍ଚିତ ଭାବେ ସାହାଯ୍ୟ କରିବୁ । ଏହା ପୂର୍ବରୁ ମିଳିଥିବା ସୂଚନା ଅନୁଯାୟୀ, ଭୂମିକମ୍ପରେ କ୍ଷତିଗ୍ରସ୍ତ ଥାଇଲାଣ୍ଡକୁ ମଧ୍ୟ ପୁନରୁଦ୍ଧାର ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଟିମ୍ ପଠାଯାଇଛି । ସୂଚନାଯୋଗ୍ୟ, ମିଆଁମାର କୁ ଆଜି କେବଳ ଭାରତରୁ ହିଁ ସହାୟତା ପହଞ୍ଚିଛି । ମିଆଁମାରକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ଭାରତ ସରକାର ପ୍ରତିବଦ୍ଧ ବୋଲି ଘୋଷଣା କରିଛନ୍ତି ।
ଏଥିସହ ବିଶେଷଜ୍ଞଙ୍କ ମାନେ ମତ ଦେଇଛନ୍ତି ଭୂମିକମ୍ପ ଦ୍ୱାରା ନିର୍ଗତ ଶକ୍ତି ୩୦୦ରୁ ଅଧିକ ପରମାଣୁ ବୋମା ବିସ୍ଫୋରଣ ସହ ସମାନ ଥିଲା । ଭୂତତ୍ତ୍ୱ ବିଜ୍ଞାନୀ ଜେସ୍ ଫିନିକ୍ସ କହିଛନ୍ତି ଯେ ଏଭଳି ଭୂମିକମ୍ପରୁ ନିର୍ଗତ ହେଉଥିବା ଶକ୍ତି ପ୍ରାୟ ୩୩୪ଟି ପରମାଣୁ ବୋମା ସହ ସମାନ । ଏହାବ୍ୟତୀତ ଭୂମିକମ୍ପ ପରବର୍ତ୍ତୀ କମ୍ପନ ଏହି ଅଞ୍ଚଳକୁ ଦୋହଲାଇ ଦେବ ବୋଲି ସେ ଚେତାବନୀ ଦେଇଛନ୍ତି । ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍ ମିଆଁମାର ର ତଳେ ଥିବା ୟୁରେସିଆନ୍ ପ୍ଲେଟ୍କୁ ମାଡ଼ି ଆସୁଥିବାରୁ ପରବର୍ତ୍ତୀ ଝଟକା କିଛି ମାସ ପର୍ଯ୍ୟନ୍ତ ରହିପାରେ । ଗୋଟିଏ ପଟେ ଦେଶରେ ଗୃହଯୁଦ୍ଧ ଯୋଗୁଁ ଅଣାୟତ୍ତ ସ୍ଥିତି ଲାଗି ରହିଥିବା ବେଳେ ଏହା ସହିତ ଏବେ ମହାବିନାଶକାରୀ ଭୂକମ୍ପ ଅତି ଭୟାନକ ସ୍ଥିତି ସୃଷ୍ଟି କରିଛି ।