ମୁଖ୍ୟ ରାସ୍ତା ଶୋଚନୀୟ, ବଢୁଛି ଜନ ଅସନ୍ତୋଷ

 ଜଟଣୀ: ଖୋର୍ଦ୍ଧାରୁ ଜଟଣୀ ସହର ମଧ୍ୟ ଦେଇ ପିପିଲି ଅଭିମୁଖେ ଯାଇଥିବା ୧୩ ନଂ ରାଜ୍ୟ ରାଜପଥର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । କୁଦିଆରୀ ବଜାର ଏବଂ କୁଦିଆରୀର ମହାବୀର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ଏବଂ ରାସ୍ତା କୃତ୍ରିମ ହ୍ରଦରେ ପରିଣତ ହୋଇଛି । ତା’ ସହିତ ରାସ୍ତା ମଝିରେ କିପରି ବଡ଼ ବଡ଼ ଗାତ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି । ଏ ନେଇ ବିଭିନ୍ନ ସୋସିଆଲ ମିଡିଆରେ ଅନେକ ସମୟରେ ପୋଷ୍ଟ କରାଯାଉଥିଲେ ହେଁ ଏହି ରାସ୍ତାରେ ଅନେକ ରାଜନେତା ମାନେ ଯାତାୟାତ କରୁଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଆଇନଜୀବୀ ଅକ୍ଷୟ କୁମାର ଦାସ ମତ ପ୍ରକାଶ କରିଛନ୍ତି । 
ଉଲ୍ଲେଖଯୋଗ୍ୟ ଯେ, ବ୍ରିଜ୍ର ଶେଷ ଭାଗ ଠାରୁ ମହାବୀର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରିତ ପାଇଁ ଅବରୋଧ ହଟାଯିବାକୁ ଅଦ୍ୟାବଧି ତିନିମାସ ପାଖାପାଖି ହୋଇଥିଲେ ସୁଦ୍ଧା ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଡ୍ରେନ୍ ନିର୍ମାଣ ଓ ବିଦୁ୍ୟତ ଖୁଣ୍ଟ ଘୁଞ୍ଚା କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଯାହାଫଳରେ ଏହି ରାସ୍ତା ଦେଇ ଦୈନିକ ଯିବା ଆସିବା କରିବା ପାଇଁ ଲୋକମାନେ ଡରିଲେଣି ବୋଲି ପୂର୍ବତନ କାଉନସିଲର ଲୁସେନ ରାୟ କହିଛନ୍ତି । ଅନ୍ୟପକ୍ଷରେ ରାସ୍ତାଘାଟ ଗୁଡିକ ଖାଲଖମାରେ ପରିଣତ ହେବା ଦ୍ୱାରା ଶୁଖିଲା ପାଗରେ ଧୂଳିରେ ଜନତା ଓ ନିକଟରେ ଥିବା ଘର ଦ୍ୱାର କରିଥିବା ଲୋକମାନେ ଅସ୍ତବ୍ୟସ୍ତ ହେଉଥିବାବେଳେ ବର୍ଷା ହେଲେ ରାସ୍ତାରେ ପାଣିର ଲହଡ଼ି ହେବା ଦ୍ୱାରା ଖାଲ ଜାଣି ନ ପାରି ଅନେକ ମୋଟରସାଇକଲ୍ ଓ ବାଇସାଇକେଲ ଆରୋହୀମାନେ ଛୋଟ ମୋଟ ଦୁର୍ଘଟଣାର ଶିକାର ହେଉଥିବା ସ୍ଥାନୀୟ ଗ୍ରାମବାସୀ ମନୋଜ କୁମାର ସ୍ୱାଇଁ କହିଛନ୍ତି । ଅନ୍ୟପକ୍ଷରେ କୁଦିଆରି ବଜାର ସଭାପତି ସୁଦର୍ଶନ ସୁନ୍ଦରାୟ ଏ ସମସ୍ୟା ସମ୍ପର୍କରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲାର ସର୍ବୋଚ୍ଚ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି । ଅତଏବ ଏଥିପ୍ରତି ଜିଲ୍ଲାପ୍ରଶାସନ ତୁରନ୍ତ ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି ।