କାଳଜୟୀ କାବ୍ୟଶିଳ୍ପୀ : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ    

  ଡକ୍ଟର  ଭି.ରାଜେନ୍ଦ୍ର  ରାଜ: ଓଡିଆ କାବ୍ୟକବିତା ଜଗତର ଜଣେ ବିସ୍ମୟ ଓ ସ୍ମରଣୀୟ କବି ଭାବରେ କବି ସମ୍ରାଟ  ଉପେନ୍ଦ୍ର ଭଞ୍ଜ  ସମଗ୍ର ଓଡିଶାରେ ପରିଚିତ  । ସେ ଆମ  ଗହଣରେ ଆଜି ନାହାନ୍ତି  ସତ, କିନ୍ତୁ  ତାଙ୍କ ରଚିତ କାବ୍ୟ ସମୂହ ଆଜି କୋଟି ଓଡିଆଙ୍କ ହୃଦୟରେ ସ୍ଥାନ ପାଇଛି  । ସାହିତ୍ୟ ସାମ୍ରାଜ୍ୟର ଏ ମହାନ ସମ୍ରାଟ ଆଜି ଆମ ଅସ୍ମିତାର ସବୁ କିଛି  । ତାଙ୍କ ରଚିତ ସମଗ୍ର କାବ୍ୟ ସମ୍ଭାର ଆଜି ବି ଆମକୁ ଗବେଷଣାର ମାର୍ଗ ସୂଚାଉଛି  । ପ୍ରଫେସର ପ୍ରେମାନନ୍ଦ ମହାପାତ୍ରଙ୍କ ରଚିତ “କାଳଜୟୀ କାବ୍ୟଶିଳ୍ପୀ : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ” ଏକ ଗବେଷଣାତ୍ମକ ଗ୍ରନ୍ଥ, ଯାହାକି ସଦ୍ୟ ପ୍ରକାଶିତ  । ଏହା ଗବେଷଣାର ମାର୍ଗ ପ୍ରଦର୍ଶନ କରିଛି, ଯୁବ ଗବେଷକଙ୍କ ପାଇଁ  । ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଅଧ୍ୟୟନ, ଅନୁଶୀଳନ ଓ ଗବେଷଣାରେ ସମଗ୍ର ଜୀବନକୁ ସମର୍ପଣ କରିଥିବା ଏ ମହାନ ସାଧକ ଡକ୍ଟର ମହାପାତ୍ର ବହୁ ଶ୍ରମ ସ୍ୱୀକାର କରି “କାଳଜୟୀ କାବ୍ୟଶିଳ୍ପୀ : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ” ରଚନା କରିଛନ୍ତି, ଯାହାକି ଭଞ୍ଜଙ୍କର ଜୀବନୀ ଓ ସାହିତ୍ୟକୁ ଆଧାରିତ କରି ଆଠଟି ଅଧ୍ୟାୟରେ ପରିବେଷିତ  । ଭଞ୍ଜଙ୍କ ସାରସ୍ୱତ ଜୀବନୀ ଓ ତାଙ୍କ ସୃଷ୍ଟି ସମ୍ଭାର , ତାଙ୍କ ରଚିତ କାବ୍ୟ କୃତିର ଆଲୋଚନା  ଓ ଆଦର୍ଶ , ତାଙ୍କ ରଚନାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କ ରଚିତ ସଙ୍ଗୀତାବଳୀ ପ୍ରଭୃତି ଏ ଗ୍ରନ୍ଥର ପ୍ରମୁଖ ବିଷୟବସ୍ତୁ ଅଟେ  । ଏଥିରେ ପ୍ରକାଶିତ ଅଧିକାଂଶ ବିଷୟର ପ୍ରାମାଣିକ ତଥ୍ୟ ସେ ସଂଗ୍ରହ କରି ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି  । 
ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ କାଳ ବିଚାରକୁ ନେଲେ ତାଙ୍କ ଜୀବନକାଳ ଏ ପର୍ଯ୍ୟନ୍ତ ସଠିକ ଭାବରେ ନିରୂପିତ ହୋଇପାରି ନାହିଁ  । ଏହାକୁ ନେଇ ଅନେକ ବାଦବିବାଦ ଦେଖା ଦେଇଛି  । ଏ ପ୍ରସଙ୍ଗକୁ ନେଇ ଏ ଗ୍ରନ୍ଥର ପ୍ରଥମ ପରିଚ୍ଛେଦରେ ସେ ତାଙ୍କ ଜୀବନ କାଳ ନିରୂପଣ କରିଥିବା ଓଡିଆ ସାହିତ୍ୟର ବରେଣ୍ୟ ସାଧକ ପଣ୍ଡିତ ଶ୍ରୀଧର ଶତପଥୀ , ଅନନ୍ତ ପଦ୍ମନାଭ ପଟ୍ଟନାୟକ,  ଆର୍ତ୍ତବଲ୍ଲଭ ମହାନ୍ତି, ତାରିଣୀ ଚରଣ ରଥ , କେଦାର ନାଥ ମହାପାତ୍ର , ହରେକୃଷ୍ଣ ମହତାବ , ଦୁଃଖୀଶ୍ୟାମ ପଟ୍ଟନାୟକ , ବିଛନ୍ଦଚରଣ ପଟ୍ଟନାୟକ , ଗୌରୀ କୁମାର ବ୍ରହ୍ମା ଓ  ବିଚିତ୍ରାନନ୍ଦ ମହାନ୍ତିଙ୍କ ମତକୁ ଉପସ୍ଥାପନ କରିଛନ୍ତି  । ଏହାବାଦେ ଭଞ୍ଜଙ୍କର ମାଳିସାହି ଗ୍ରାମ ଆଗମନ, କବିତ୍ୱ ପ୍ରାପ୍ତି ଓ ସାହିତ୍ୟ ସାଧନା ସମ୍ପର୍କରେ ବିଭିନ୍ନ ଲେଖକଙ୍କ ଉନବିଂଶ ମତ ଏଥିରେ ସ୍ଥାନ ପାଇଛି  । ଦ୍ୱିତୀୟ ପରିଚ୍ଛେଦରେ ଉପେନ୍ଦ୍ର ଭଞ୍ଜଙ୍କ ସୃଷ୍ଟି  ସମ୍ଭାର ଓ ତୃତୀୟ ଅଧ୍ୟାୟରେ ଭଞ୍ଜଙ୍କ ପ୍ରସିଦ୍ଧ କାବ୍ୟକୃତିର ବିଶେଷ ଆଲୋଚନା କରାଯାଇଛି  । ଚତୁର୍ଥ ଅଧ୍ୟାୟ ଭଞ୍ଜ ସାହିତ୍ୟର ଆଦର୍ଶକୁ ନେଇ ରଚିତ  । ଭଞ୍ଜ ସାହିତ୍ୟ ବିଚିତ୍ରବର୍ଣ୍ଣା ଓ ସର୍ବଜନାଦୃତ  । ଏ କଥାକୁ ଅତି ସ୍ୱଷ୍ଟ ଭାବେ ସେ ପ୍ରମାଣ କରି ଗୋପବନ୍ଧୁଙ୍କର ସେଇ  ହୃଦୟସ୍ୱର୍ଶୀ ଲେଖା, “ଗାଏ ତୁମ୍ଭ ଗୀତ,  ସଭାରେ ପଣ୍ଡିତ / ପଥେ ପାନ୍ଥ ହୃଷ୍ଟମନା // ବିଲେ ବୋଲେ ଚଷା, ଅନ୍ତଃପୁରେ ଯୋଷା / ନୃତ୍ୟରଙ୍ଗେ ବାରାଙ୍ଗନା”ର  ସତ୍ୟତା ପ୍ରମାଣ କରିଛନ୍ତି  ।  ଭଞ୍ଜ ସାହିତ୍ୟର ବ୍ୟାପ୍ତି ଅଛି, ପୁଣି ରହିଛି ଗଭୀରତା  । ତେଣୁ ଏ ସାହିତ୍ୟ ହେଉଛି ରନôଗର୍ଭା  । ଏ ସାହିତ୍ୟର ସାର୍ବକାଳୀକ ବିଭବକୁ  ନେଇ ଏହାର ପଞ୍ଚମ ପରିଚ୍ଛେଦ ସମୃଦ୍ଧ, ଯେଉଁଥିରେ  ରହିଛି ଉକôଳର ନୌବାଣିଜ୍ୟର ଚିତ୍ର ଓ ତକôାଳୀନ ସମାଜର ପ୍ରଥା ଓ ଚାଲିଚଳନ  । ଷଷ୍ଠ ଅଧ୍ୟାୟ ‘ଭଞ୍ଜ ସାହିତ୍ୟରେ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ’ଙ୍କୁ ନେଇ ରଚିତ  । ଓଡିଆ ସାହିତ୍ୟରେ ସାରଳା ଦାସଙ୍କ ଠାରୁ ଆରମ୍ଭ କରି ଆଧୁନିକ ଯୁଗର କବିମାନଙ୍କ ସାହିତ୍ୟ କୃତିକୁ ଅନୁଧ୍ୟାନ କଲେ ଆମେ ଜାଣି ପାରିବା, ସମସ୍ତେ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଅନେକ କିଛି ଲେଖିଛନ୍ତି ଓ ନିଜକୁ ସମର୍ପି ଦେଇଛନ୍ତି ତାଙ୍କ ଶ୍ରୀଚରଣରେ  । ଉପେନ୍ଦ୍ର ରାଜପୁତ୍ର ହୋଇ ବି ସେ ମହାନ ପରମ୍ପରାରୁ ବାଦ ଯାଇନାହାନ୍ତି  ।  ତାଙ୍କର ପ୍ରତିଟି କୃତିରେ ଜଗନ୍ନାଥଙ୍କ ମହିମା  ଉଲ୍ଲେଖ ଅଛି, ତାହା ଲେଖକ ଏଥିରେ ସୂଚାଇଛନ୍ତି  । ସପ୍ତମ ପରିଚ୍ଛେଦ ହେଉଛି ‘‘କାଳଜୟୀ ସଂଗୀତକାର ଉପେନ୍ଦ୍ର ଭଞ୍ଜ’  । ଏ ଅଧ୍ୟାୟରେ ସେ ଓଡିଆ ସଙ୍ଗୀତ ସାହିତ୍ୟକୁ ତାଙ୍କର ଅବଦାନ କିପରି ଥିଲା, ତାହା ଲେଖିଛନ୍ତି  । ଏଥିରେ ଲେଖକ ଉପେନ୍ଦ୍ର ଭଞ୍ଜଙ୍କର ମାନବୀୟ ପ୍ରୀତିମୂଳକ ସଙ୍ଗୀତଗୁଡିକ କିପରି ପ୍ରାଣସ୍ୱର୍ଶୀ, ତାହାର  ସେ ସୁନ୍ଦର ଉଦାହରଣ ଦେଇଛନ୍ତି  । ଅଷ୍ଟମ ପରିଚ୍ଛେଦ ‘‘କାଳଜୟୀ କାବ୍ୟଶିଳ୍ପୀ : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’’ ଅଟେ   । ଭଞ୍ଜ କିପରି ତାଙ୍କ ରଚନାରେ ଶବ୍ଦ ପାରାବାର ସୃଷ୍ଟି କରିଛନ୍ତି, ତାହାର ସମ୍ୟକ ସୂଚନା ଏଥିରେ ସ୍ଥାନ ପାଇଛି  ।   
ଓଡିଆ ସାହିତ୍ୟର ଯଶସ୍ୱୀ ଗବେଷକ, ସମାଲୋଚକ ଓ ସାରସ୍ୱତ ସାଧକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ରଙ୍କ ଏହା ଏକ ସଫଳ ସାହିତ୍ୟ କୃତି, ଯାହାକୁ ନେଇ ସେ ଭବିଷ୍ୟତରେ ଅନେକ  ସୁଖ୍ୟାତି ଅର୍ଜନ କରିବେ  । ଡକ୍ଟର ମହାପାତ୍ର ୨୦୦୯ ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ  । ତାଙ୍କର ପାଣ୍ଡିତ୍ୟରେ ଓଡିଶା ସରକାର ମୁଗ୍ଧ ହୋଇ ତାଙ୍କୁ ଓଡିଆ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ପରମର୍ଶଦାତା ରୂପେ ନିଯୁକ୍ତି ଦେଇଥିଲେ  । ବର୍ତ୍ତମାନ ସେ ଉକôଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସମ୍ମାନଜନକ ‘ସାରଳା ଦାସ ଚେୟାର’ରେ ଉପବେଶନ କରି ଗବେଷଣାରେ ଲିପ୍ତ ଅଛନ୍ତି   । ସାହିତ୍ୟ ସାଧନାରେ ସେ ଶିଖରରେ ପହଞ୍ଚି ଥିଲେ ବି ନିଜର ଗୁରୁମାନଙ୍କୁ ଭୁଲି ନାହାନ୍ତି ,ଏ କଥା ବି କମ ନୁହେଁ  । ପୁସ୍ତକର ମୁଖବନ୍ଧରେ ହିଁ ସେ ତାଙ୍କର ଦିବଙ୍ଗତ ସମସ୍ତ ଅଧ୍ୟାପକମାନଙ୍କୁ ମନେ ପକାଇ ଆଶୀର୍ବାଦ କାମନା କରିଛନ୍ତି, ଯାହାକି ଗୁରୁ ଶିଷ୍ୟ ସମ୍ପର୍କର ଏକ ବିରଳ ଉଦାହରଣ ସେ ସୃଷ୍ଟି କରିଛନ୍ତି  ।  ଗ୍ରନ୍ଥର ଆରମ୍ଭରୁ ଲେଖକ ଭଞ୍ଜଙ୍କ ରଚନା ସମ୍ଭାରକୁ ଲୋକଲୋଚନକୁ ଆଣିବା ପାଇଁ ଯେଉଁ ପ୍ରୟାସ ଜାରି ରଖିଥିଲେ, ତାହା ଗ୍ରନ୍ଥର ଶେଷଭାଗ ବେଳକୁ ବି କିଛି କମ ନ ଥିଲା  । ଭଞ୍ଜୀୟ ରସର ମୂଳତତ୍ତ୍ୱକୁ ହୃଦୟଙ୍ଗମ କରି, ଭଞ୍ଜୀୟ କାବ୍ୟ ପ୍ରବାହ ଭିତରେ ଅବଗାହନ କରି, ସେ ଯେଉଁ କୋଟିନିଧି ଲାଭ କରିଛନ୍ତି, ତାହାର ଏହା ଏକ ବଳିଷ୍ଠ ନମୁନା  । ଓଡିଶାର ଭଞ୍ଜ ସାହିତ୍ୟ ପ୍ରେମୀମାନଙ୍କ ଦ୍ୱାରା ଏ ଗ୍ରନ୍ଥ ନିଶ୍ଚୟ ଆଦର ପାଇବ,ଏଥିରେ ସନେ୍ଦହ ନାହିଁ  । ଏପରି ତଥ୍ୟ ସମ୍ବଳିତ ପୁସ୍ତକ ଆଜି ଆମକୁ ସୂଚେଇ ଦେଉଛି ଯେ ଉପେନ୍ଦ୍ର ଭଞ୍ଜ ହେଉଛନ୍ତି ଏକ ମାତ୍ର କବି ଯିଏ କି “ବିଚିତ୍ର କବିତ୍ୱର” ଅଧିକାରୀ ଯାହାକୁ ଉପେନ୍ଦ୍ର ଭଞ୍ଜ ନିଜେ ସ୍ୱୀକାର କରି କହିଛନ୍ତି, “ ବିଚିତ୍ର କବିତ୍ୱ ମାର୍ଗେ ପ୍ରସାରିଲା ବୁଦ୍ଧି.... ” ।