ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ନିଲମ୍ବିତ
ଫୁଲବାଣୀ: ଶିକ୍ଷା ବିଭାଗ ଭଳି ପବିତ୍ର ଅନୁଷ୍ଠାନର ଜଣେ ପ୍ରଧାନ ଶିକ୍ଷକଙ୍କୁ ଆଜି ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ହୋଇଥିବା ପ୍ରଧାନଶିକ୍ଷକ ସରୋଜ କୁମାର ସାହୁ । ବର୍ତ୍ତମାନ ଖଜୁରୀପଡା ବ୍ଲକ ରାଣପାଟୁଳି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରହିଥିବା ବେଳେ ପୂର୍ବରୁ ବହୁଦିନ ଧରି ଆର ନୁଆଁ ଗାଁ ସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ମଧ୍ୟ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ତୁଲାଉଥିଲେ । ଗତ ନଭେମ୍ବର ୧୩ ତାରିଖରେ ଆବାସିକ ବିଦ୍ୟାଳୟ ଶୌଚାଳୟ ଭିତରେ ଦଶମ ଶ୍ରେଣୀର ଜଣେ ଆଦିବାସୀ ଛାତ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ମୃତୁ୍ୟକୁ ନେଇ ଅପ୍ରୀତିକର ପରିସ୍ଥିତି ପରେ ସେ ପ୍ରଶାସନ ଡିସେମ୍ବର ୪ ତାରିଖରେ ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱରୁ ମୁକ୍ତକରି କେବଳ ରଣପାଟୁଳି ଉଚ୍ଚÿ ବିଦ୍ୟାଳୟରେ ଦାୟିତ୍ୱ ଦେଇଥିଲେ । କିନ୍ତୁ ଗତ ଡିସେମ୍ବର ୨୩ ତାରିଖରେ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀଙ୍କୁ ବାର୍ଷିକ କ୍ରୀଡା ଆୟୋଜନ ପାଇଁ ଆଲୋଚନା ଏବଂ ପେନଡ୍ରାଇଭ ଫେରେଇବା ପାଇଁ ସରୋଜ ସାହୁ ଫୁଲବାଣୀ ନିଜ ବାସଭବନକୁ ଶିକ୍ଷୟତ୍ରୀଙ୍କୁ ଡକାଇଥିଲେ । ପୂର୍ବରୁ ଏକାଠି କାର୍ଯ୍ୟ କରୁଥିବାରୁ ସମ୍ପୃକ୍ତ ଶିକ୍ଷୟତ୍ରୀ ସରୋଜ ସାହୁଙ୍କ ବାସଭବନକୁ ଯାଇଥିବା ବେଳେ ସରୋଜ ସାହୁ ଶିକ୍ଷୟତ୍ରୀଙ୍କୁ ଅସଦ ବ୍ୟବହାର, ଟଣାଘୋଷଡା କରିବା ସହ ବାହାରେ କାହାକୁ କହିଲେ ଗୁଣ୍ଡା ଲଗାଇ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ବୋଲି ଫୁଲବାଣୀ ଆଦର୍ଶ ଥାନାରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ୨୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲିସ ୨୯୧/୨୪ ରେ ୧୧୫(୨),୭୪/୭୬/୩୫୧(୨)ଏକ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଥିଲେ । ଜିଲ୍ଲାପାଳ ସରୋଜ ସାହୁଙ୍କୁ ନିଲମ୍ବନ କରିବା ସହ ତାଙ୍କ ସ୍ଥାନରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ ବୀଣାପାଣି ମହାପାତ୍ରଙ୍କୁ ରାଣାପାଟୁଳି ଉଚ୍ଚ ବିଦ୍ୟାଳୟରେ ଦାୟିତ୍ୱ ପ୍ରଦାନ କରିଛନ୍ତି । କିନ୍ତୁ ସରୋଜ ସାହୁ କାହାର ଚାତ୍ରଛାୟା ତଳେ ରହି ଏଭଳି ଅଭିଯୋଗ ପରେ ମଧ୍ୟ ବେଧଡକ ରହିଥିଲେ ଏବଂ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟର ଆଦିବାସୀ ଛାତ୍ର ମୃତୁ୍ୟପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ବର୍ତ୍ତମାନ ସାଧାରଣରେ ଅନେକ ଆଲୋଚନା ହେଉଛି । ଦୁଇ ଦୁଇଟି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରହିବା ସହ ସରକାରୀ ଅର୍ଥ ହରିଲୁଟ୍ କରୁଥିବା ମଧ୍ୟ କର୍ମଚାରୀ ମହଲରେ ଆଲୋଚନା ହେଉଛି । ଶ୍ରୀ ସାହୁ ବର୍ତ୍ତମାନ ନିଲମ୍ବିତ ହେବା ପରେ ଧୀରେ ଧୀରେ ତାଙ୍କର ଅନେକ ଦୁର୍ନୀତି ପଦାକୁ ଆସିବ ବୋଲି ଜଣେ କର୍ମଚାରୀ ନିଜ ନାମ ଗୋପନ ରଖିବା ସୂତ୍ରରେ ପ୍ରକାଶ କରିଛନ୍ତି ।