ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ : ସେମି କଣ୍ଡକ୍ଟର ସମ୍ଭାବନା ସୁଯୋଗ ନେବା ନେଇ ଆଲୋକପାତ

 ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ମଙ୍ଗଳବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି  । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରି ମୁଖ୍ୟ ଶାସନ ସଚିବ ସଚିବମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ  । ଆଗାମୀ ସେପ୍ଟେମ୍ବର ୧୮ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ଏଥି ପାଇଁ ଉପସ୍ଥାପିତ ହେବାକୁ ଥିବା ବିଭିନ୍ନ ବିଭାଗର ବିଲ ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ  । ବିଭିନ୍ନ ସମୟରେ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ସଂପର୍କରେ ସଂପୃକ୍ତ ବିଭାଗମାନେ ସ୍ଥିତି ଅନୁଧ୍ୟାନ କରିବା, ୨୦୨୫-୨୬ ବର୍ଷରେ ବଜେଟ୍ ଅନୁମୋଦନ ହିସାବରେ କାର୍ଯ୍ୟ ଅଗ୍ରଗତି ଓ ଖର୍ଚ୍ଚ ସ୍ଥିତି ସମୀକ୍ଷା କରିବା, ଖାଲି ଥିବା ଗୃପ-ସି ପଦବୀ ପୂରଣ ଆଦି ସଂପର୍କରେ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା  । ସେମି କଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶାରେ ବିପୁଳ ସମ୍ଭାବନାକୁ ଦୃଷ୍ଟିରେ ରଖି ଏହାର ସୁଯୋଗ ନେବା, ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନକୁ ବୃଦ୍ଧି କରି ସ୍ୱଚ୍ଛ ଉର୍ଜାକୁ ପ୍ରୋସôାହନ ଦେବା, ପିଏମ ସୂର୍ଯ୍ୟଘର ମୁଫତ ବିଜଲି ଯୋଜନା କାର୍ଯ୍ୟକାରିତାକୁ ପ୍ରୋସôାହିତ କରିବା ସଂପର୍କରେ ମୁଖ୍ୟ ଶାସନ ସଚିବ ଆଲୋକପାତ କରିଥିଲେ  । ସରକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡିକର କାର୍ଯ୍ୟାନ୍ୱୟନରେ ରିଅଲ ଟାଇମ (ସଦ୍ୟତମ) ସ୍ଥିତି ଜାଣିବା ପାଇଁ ଆରମ୍ଭ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଡ୍ୟାସ ବୋର୍ଡ ଜରିଆରେ ତଦାରଖ ହେବାକୁ ଥିବା ଓଡ଼ିଶା ଲୋକସେବା ଅଧିକାରୀ ଅଧିନିୟମ (ଓଆରଟିପିଏସ୍ଏ), ଶିଳ୍ପ ପ୍ରକଳ୍ପ, ଭିତ୍ତିଭୂମି ପ୍ରକଳ୍ପ, ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭ ପରିପ୍ରେକ୍ଷୀରେ ମୁଖ୍ୟ ପ୍ରଦର୍ଶନ ସୂଚକ (କେପିଆଇ) କାର୍ଯ୍ୟକାରିତା ନିମନ୍ତେ ଏହି ପୋର୍ଟାଲ କାର୍ଯ୍ୟ ପ୍ରସ୍ତୁତିରେ କେତେ ଅଗ୍ରଗତି ହୋଇଛି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା  । ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସହିତ ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ  ।