‘ଦୁର୍ନୀତି କ୍ୟାରିଅର ପାଇଁ ବିପଦ' : ୧୨ ବିଭାଗରେ ୭୨୯୩ ନିଯୁକ୍ତି
- ୧୭ ମାସରେ ମିଳିଲାଣି ୩୭୩୨୫ ନିଯୁକ୍ତି
- ସହୃଦୟତାପୂର୍ଣ୍ଣ ସେବା, କାର୍ଯ୍ୟରେ ଉତ୍କୃଷ୍ଟତା, ସମୟ ଉପଯୋଗୀ ଜ୍ଞାନ ଆହରଣ ଏବଂ ସ୍ୱଚ୍ଛତା ଟିପ୍ସ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆପଣମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତାପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଜରିଆରେ ସରକାରୀ ଚାକିରୀ ଯୋଗ ଦେଉଛନ୍ତି । ତେଣୁ ଆପଣଙ୍କ କର୍ତ୍ତବ୍ୟପଥରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ୱନ କରିବା ପାଇଁ ସଂକଳ୍ପବଦ୍ଧ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ-୨୦୨୫ ଅବସରରେ ନବନିଯୁକ୍ତଙ୍କୁ ଉପଦେଶ ଦେଇ କହିଛନ୍ତି ।
ସୂଚନାଯୋଗ୍ୟଯେ, ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କ ୧୨ ବିଭାଗରେ ସମୁଦାୟ ୭୨୯୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ବିଭାଗଗୁଡିକ ମଧ୍ୟରେ ଗୃହ ବିଭାଗରେ ୧୯୭୯ ଜଣ କନଷ୍ଟେବଳ ଓ ୩୮୬ ଜଣ ଡ୍ରାଇଭର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧୯୧୩ ଜଣ ସ୍ନାତକ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ୨୪୧ ଜଣ ପିଜିଟି, ଉଚ୍ଚଶିକ୍ଷା ବିଭାଗରେ କନିଷ୍ଠ ସହାୟକ, ୭ ଜଣ ପିଇଟି, ୩୧ ଜଣ ଷ୍ଟୋର କିପର, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରେ ୨୪ ସହକାରୀ ମତ୍ସ୍ୟ ଅଧିକାରୀ ଏବଂ ୬୪୮ ଜଣ ପ୍ରାଣୀଧନ ନିରୀକ୍ଷକ, ସୂଚନା ଓ ଲୋକସମ୍ପର୍କ ବିଭାଗରେ ୩୯ ଜଣ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଖଣି ଓ ଭୂ-ତତ୍ତ୍ୱ ନିର୍ଦ୍ଦେଶାଳୟରେ ୧୪ ଜଣ କନିଷ୍ଠ ରସାୟନବିତ୍, ବାଣିଜ୍ୟ ଓ ପରିବହନ ବିଭାଗରେ ୧୭ ଜଣ କନିଷ୍ଠ ଷ୍ଟେନୋଗ୍ରାଫର୍, ଜଙ୍ଗଲ ଓ ପରିବେଶ ବିଭାଗରେ ୧୫୦୪ ଫରେଷ୍ଟଗାର୍ଡ ଓ ୨୪୬ ଫରେଷ୍ଟର, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୭ ସହକାରୀ କୃଷି ଅଧିକାରୀ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗରେ ୧୫ ପାରାମେଡିକ୍ସ ଷ୍ଟାଫ୍, ଜଳସମ୍ପଦ ବିଭାଗରେ ୩୬ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି ମିଳିଛି । ଏହାସହିତ ପ୍ରଥମଥର କରି ଆଡଭୋକେଟ ଜେନେରାଲ ଅଫିସ ପାଇଁ ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୪୦ ଜଣ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇଛନ୍ତି ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ଠାରେ ଉପସ୍ଥିତ ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମେ ରାଜ୍ୟର ଯୁବବର୍ଗଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ସୃଷ୍ଟି ପାଇଁ ଭରସା ଦେଇଥିଲୁ । ନିୟମିତ ଭାବେ ନିଯୁକ୍ତିମେଳା ଆୟୋଜନ କରି ଆମ କଥା ରଖୁଛୁ । ପ୍ରଥମରୁ ଏଥିପାଇଁ ଆମେ ଉଦ୍ୟମ ଆରମ୍ଭ କରି ୨ ବର୍ଷ ଭିତରେ ୬୫ ହଜାର ସରକାରୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଆମର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ୧୭ ମାସ ଭିତରେ ଆଜିକୁ ମିଶାଇ ୧୨ ନିଯୁକ୍ତିମେଳା ଜରିଆରେ ଆମେ ୩୭,୩୨୫ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛୁ । ଏତେ ସଂଖ୍ୟାରେ ସରକାରୀ ପଦ ପଦବୀରେ ନିଯୁକ୍ତି ଏତେ କମ୍ ଦିନ ଭିତରେ ଆଗରୁ କେବେ ହୋଇନାହିଁ । ଦୁଇ ବର୍ଷ ଭିତରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ହାସଲ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଔଦ୍ୟୋଗିକ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୃଷ୍ଟି ପାଇଁ ଆମେ ପଦକ୍ଷେପ ନେଉଛୁ । ୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଗ୍ରାଉଣ୍ଡିଙ୍ଗ୍ ମାଧ୍ୟମରେ ଦେଢ଼ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିଛୁ ।
ସେ କହିଥିଲେ ଯେ, ଆମ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳତା ନୀତି ଆପଣେଇଛନ୍ତି । ତେଣୁ ଆପଣମାନେ ଦୁର୍ନୀତିକୁ ବିଷ ମନେକରି ତା’ଠୁ ଯେତେ ଅଧିକ ସମ୍ଭବ ଦୂରରେ ରୁହନ୍ତୁ । ନଚେତ୍ ଏହା ନିଜ ପାଇଁ ଓ ନିଜ କ୍ୟାରିଅର ପାଇଁ ଅତ୍ୟନ୍ତ ବିପଦଜନକ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କୁ ଚାରୋଟି ପରାମର୍ଶ ଦେଇ କହିଥିଲେଯେ, ଜନସାଧାରଣଙ୍କ ପାଇଁ ସହୃଦୟତାପୂର୍ଣ୍ଣ ଓ ନ୍ୟାୟପୂର୍ଣ୍ଣ ଭାବେ ସେବା ଯୋଗାଇଦେବେ । ନିଜର କାର୍ଯ୍ୟରେ ସବୁବେଳେ ଉତ୍କୃଷ୍ଟତା ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ, ସବୁବେଳେ ନିଜର ଜ୍ଞାନର ପରିସୀମାକୁ ବୃଦ୍ଧି କରନ୍ତୁ ଓ ସମୟ ଉପଯୋଗୀ କରନ୍ତୁ ଏବଂ କାର୍ଯ୍ୟ କ୍ଷେତ୍ରରେ ସଚ୍ଚୋଟତା ଓ ସ୍ୱଚ୍ଛତା ବଜାୟ ରଖନ୍ତୁ ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ନବନିଯୁକ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ, ଆମ ସରକାର ଲୋକଙ୍କ ପାଇଁ କାମ କରୁଛି, ଆପଣମାନେ ଯେଉଁଠି ବି ନିଯୁକ୍ତି ପାଆନ୍ତୁ, ସେଠାକୁ ଯାଇ ଲୋକଙ୍କ ପାଇଁ ଆପଣମାନେ କାମ କରନ୍ତୁ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେଯେ, ବିଭିନ୍ନ ବିଭାଗରେ କର୍ମଚାରୀ ଅଭାବ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୃତି ଦେଇଥିଲେ, ଧିରେ ଧିରେ ତାହା ପୂରଣ ହେବାକୁ ଯାଉଛି । ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷା ବିଭାଗରେ ନିଯୁକ୍ତି ପ୍ରଦାନ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ତ୍ୱରାନ୍ୱିତ କରିଛନ୍ତି । ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେଯେ, ଆପଣମାନେ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ଏହି ସଫଳତା ପାଇଛନ୍ତି । ଦାୟିତ୍ୱସମ୍ପନ୍ନ ଭାବେ କର୍ତ୍ତବ୍ୟ ସମ୍ପାଦନ କରି ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ହାସଲ କରନ୍ତୁ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଥିଲେଯେ, ଆପଣମାନେ ନିଜ ନିଜ କ୍ଷେତ୍ରରେ ନିଷ୍ଠା ଓ ସ୍ୱଚ୍ଛତାର ସହିତ କର୍ତ୍ତବ୍ୟ ସମ୍ପାଦନ କରି ଜନସାଧାରଣଙ୍କୁ ଉଚିତ ସେବା ପ୍ରଦାନ କରନ୍ତୁ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୨ ବିଭାଗର ୩୦ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ନବନିଯୁକ୍ତଙ୍କ ମଧ୍ୟରୁ ଗୃହ ବିଭାଗରେ ନିଯୁକ୍ତି ପାଇଥିବା କେନ୍ଦୁଝର ଜିଲ୍ଲାର ବନସିଂହ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖୋର୍ଦ୍ଧା ଜିଲ୍ଲାର ସସ୍ମିତା ପ୍ରଧାନ, ଜଙ୍ଗଲ ବିଭାଗରେ ନିଯୁକ୍ତି ପାଇଥିବା ମାଲକାନଗିରି ଜିଲ୍ଲାର ଦେବେନ୍ଦ୍ର ପଡିଆମି ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ନିଯୁକ୍ତି ପାଇଥିବା ଜଗତସିଂହପୁର ଜିଲ୍ଲାର ଅନ୍ୱେଷା ରାୟ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରି ରାଜ୍ୟ ସରକାରଙ୍କର ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ପାଇଁ ସରକାରୀ ଚାକିରୀ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।