ମୁହଁ ଖୋଲିଲେ ରାମକୃଷ୍ଣ : ‘ମନ୍ଦିରରେ ସଂସ୍ଥାପିତ ଚତୁର୍ଦ୍ଧାମୂର୍ତ୍ତି ଦାରୁ ବିଗ୍ରହ ନୁହଁନ୍ତି’


 ପୁରୀ:  ପଶ୍ଚିମବଙ୍ଗର ଦିଘାରେ ଜଗନ୍ନାଥ ଧାମ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଷାଣ ବିଗ୍ରହ ପୂଜାର୍ଚ୍ଚନା ନେଇ ତୀବ୍ର ବିବାଦ ପରେ ମୁହଁ ଖୋଲିଛନ୍ତି ଶ୍ରୀମନ୍ଦିର ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର  । ଚାରିଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ହେଲା ଜଗନ୍ନାଥ ଧାମ ପୁରୀ । ଦିଘାରେ ନିର୍ମିତ ମନ୍ଦିରକୁ ଜଗନ୍ନାଥ ଧାମ ରୂପେ ଅଭିହିତ କରାଯିବା ସମ୍ପୂର୍ଣ୍ଣ ଭୁଲ୍ ବୋଲି ଶ୍ରୀ ଦାସମହାପାତ୍ର ମତବ୍ୟକ୍ତ କରିବା ସହିତ ଏହି ନାମ ପ୍ରତ୍ୟାହାର ଦିଗରେ ଆଶୁ ପଦକ୍ଷେପ ଗ୍ରହଣ କରାଯିବାକୁ ସେ ଶ୍ରୀମନ୍ଦିର ପ୍ରଶାସକ ଓ ପୁରୀ ଜିଲ୍ଳା ପ୍ରଶାସନକୁ ଅନୁରୋଧ କରିଛନ୍ତି ।  
ନିଜ ବାସଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଇ ଶ୍ରୀ ଦାସମହାପାତ୍ର କହିଛନ୍ତିଯେ, ପୁରୀକୁ ଛାଡ଼ିଦେଲେ ବ୍ରହ୍ମ ସଂସ୍ଥାପିତ ହୋଇଥିବା ବିଗ୍ର୍ରହ କେଉଁଠାରେ ନାହାନ୍ତି  । ଦୀଘା ଜଗନ୍ନାଥ ମନ୍ଦିରରେ ବ୍ରହ୍ମ ସ୍ଥାପନ ସଂପର୍କରେ ସେ କହିଥିବା ବିଷୟକୁ ସଂପୂର୍ଣ୍ଣ ଅସ୍ୱୀକାର କରିଛନ୍ତି  । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶ୍ରୀ ଦାସମହାପାତ୍ର କହିଥିଲେଯେ, ତାଙ୍କ ବକ୍ତବ୍ୟ ସଂପର୍କରେ ଭୁଲ୍ ଧାରଣା ସୃଷ୍ଟି ହୋଇଛି  । ଦିଘା ମନ୍ଦିରରେ ପଥରର ମୂର୍ତ୍ତି ଦେଖିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଷାଣ ପ୍ରତିମା ପୂଜା ହୋଇପାରିବନାହିଁ ବୋଲି ସେ ସ୍ପଷ୍ଟଭାବେ କହିଥିଲେ  । ନିମ୍ବ କାଠରେ ନିର୍ମିତ ଦାରୁବିଗ୍ରହ ହିଁ ପୂଜା ପାଇଥାନ୍ତି  । ଦିଘାକୁ ଯିବା ସଂପର୍କରେ ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ କରାଯିବାରୁ ଶ୍ରୀ ଦାସମହାପାତ୍ର ଉତ୍ତର ରଖି କହିଥିଲେଯେ, ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟ ପାଇଁ ଆମେ କିଛି ସେବାୟତ ଦିଘାକୁ ଯାଇଥିଲୁ  । ତିଥି ଅନୁସାରେ ପୂଜାର୍ଚ୍ଚନା କରିବା ପାଇଁ ମୁଁ ସେଠାକାର ମନ୍ଦିର କର୍ତ୍ତୃପକ୍ଷଙ୍କୁ କହିଥିଲି  । ତଦନୁଯାୟୀ ଏପ୍ରିଲ ୨୩ରୁ ଯଜ୍ଞ ଆରମ୍ଭ ହୋଇ ୨୯ରେ ପୂର୍ଣ୍ଣାହୂତି ଦିଆଯାଇଥିଲା  । ୩୦ ତାରିଖ ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସିଂହାସନରେ ସଂସ୍ଥାପନ ହେବାର ବ୍ୟବସ୍ଥା ହେଲା  । ତେବେ ଅକ୍ଷୟତୃତୀୟାରେ ନିମ୍ବ କାଠରେ ନିର୍ମିତ ଚତୁର୍ଦ୍ଧାମୂର୍ତ୍ତି ଓ ମାଧବ ବିଗ୍ରହଙ୍କୁ ଆମେ ସେଠାରେ ବସାଇଥିଲୁ  । ୩ମାସ ପୂର୍ବରୁ ସେଠାରେ ନିର୍ମିତ ସିଂହାସନ ଉପରେ ପାଷାଣ ମୂର୍ତ୍ତି ସଂସ୍ଥାପିତ ହୋଇଥିଲେ ମଧ୍ୟ ପୂଜାର୍ଚ୍ଚନାର କୌଣସି ବ୍ୟବସ୍ଥା ହୋଇନଥିଲା  । ଶ୍ରୀକ୍ଷେତ୍ର ପୁରୀରୁ ମୁଁ ନିଜେ ସେଠାକୁ ନିମ୍ବ କାଠରେ ନିର୍ମିତ ମୂର୍ତ୍ତି ନେଇ ଯାଇଥିଲି ବୋଲି ପ୍ରକାଶ କରିବା ସଙ୍ଗେସଙ୍ଗେ ଟିଭିରେ ପ୍ରସାରିତ ହେଉଥିବା ସମ୍ବାଦରେ ଅନେକ ଭୁଲ୍ ରହିଛି ବୋଲି କହିଛନ୍ତି  । ଶ୍ରୀକ୍ଷେତ୍ରରେ ୧୨ମାସରେ ୧୩ଯାତ୍ରା । ୩୬ଜଣ ସେବାୟତଙ୍କ ଦ୍ୱାରା ଦୈନିକ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଏ । ବଳକା ଦାରୁରେ ତିଆରି ବିଗ୍ରହ ନେଇ ଦିଘାକୁ ଯାଇଥିବା ସଂକ୍ରାନ୍ତରେ ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ୍ । ମୁଁ ଏହାକୁ ଦୃଢ ଭାବେ ଖଣ୍ଡନ କରୁଛି । ଶ୍ରୀ ଦାସମହାପାତ୍ର ଗଣମାଧ୍ୟମକୁ ଦୋଷାରୋପ କରି କହିଥିଲେଯେ, ସେବାୟତମାନଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଘରୁ ଡାକିଆଣି ଉସୁକାଇ ଅପପ୍ରଚାର କରୁଛନ୍ତି  । ଅଦିନିଆ ରଥଯାତ୍ରା ଓ ମହାପ୍ରଭୁଙ୍କ ଅସମ୍ମାନକୁ ସେବାୟତ ହିସାବରେ ମୁଁ ବରଦାସ୍ତ କରିବି ନାହିଁ ବୋଲି ସେ କହିଥିଲେ  ।