୧୫ରୁ ଫେରିବ ମୌସୁମୀ : ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ
ଭୁବନେଶ୍ୱର: ଆସନ୍ତା ୧୫ରୁ ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହେବ । ପଶ୍ଚିମ ରାଜସ୍ଥାନର କିଛି ଅଂଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାହାର ପାଇଁ ଅନୁକୂଳ ସ୍ଥିତି ସୃଷ୍ଟିହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ସେହିପରି ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ସୃଷ୍ଟ ଲଘୁଚାପ ସେହି ସ୍ଥାନରେ ସକ୍ରିୟ ରହିଛି । ଏହାଛଡ଼ା ହାରାହାରି ସମୁଦ୍ର ପତନରେ ମୌସୁମୀ ଟ୍ରଫ୍ ବର୍ତ୍ତମାନ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଦେଇ ଗତିକରୁଛି । ଆଜି ଦକ୍ଷିଣ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ, ଉତ୍ତର ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲକାରୁ ମଧ୍ୟ ଧରଣର ବର୍ଷା ଓ ବଜ୍ରପାତ ହୋଇଛି । ଅପରପକ୍ଷରେ ନୟାଗଡ଼ ଓ ଗଞ୍ଜାମର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ଼ କରାଯାଇଛି । ସାରା ରାଜ୍ୟରେ ଆସନ୍ତା ୧୯ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଅଛି । ଆସନ୍ତାକାଲି ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, କୋରାପୁଟ ଓ ମାଲକାନଗିରିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଟକାପବନ ସହ ବଜ୍ରପାତର ସମ୍ଭାବନା ରହିଛି ।