ଡ୍ରଗ୍ ଟେଷ୍ଟ ପଜିଟିଭ୍: ଆଇପିଏଲ୍ ଛାଡ଼ିଲେ ରାବାଡା
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ହଠାତ୍ ଆଇପିଏଲ୍ରୁ ଉଭାନ ହୋଇଛନ୍ତି । ଗୁଜରାଟ ଟାଇଟାନ୍ସ ପାଇଁ ଖେଳୁଥିବା ରାବାଡାଙ୍କୁ ଡ୍ରଗ୍ସ ପରୀକ୍ଷାରେ ବିଫଳ ହେବା ପରେ ହଠାତ୍ ଆଇପିଏଲ ଛାଡି ନିଜ ଦେଶ ଦକ୍ଷିଣ ଆଫ୍ରିକା ଫେରିବାକୁ ପଡିଲା ବୋଲି ସେ ସ୍ୱୀକାର କରିଛନ୍ତି । ସେ ନିଜର ଭୁଲ ସ୍ୱୀକାର କରି ଏକ ବିବୃତ୍ତିରେ ଏହା କହିଛନ୍ତି । ସୂଚନାଯୋଗ୍ୟ ଗୁଜୁରାଟ ଟାଇଟାନ୍ସ ରାବାଡାଙ୍କୁ ୧୦.୭୫ କୋଟି ଟଙ୍କାରେ କିଣିଥିଲା ଏବଂ ସେ ଏହି ସିଜନରେ କେବଳ ୨ଟି ମ୍ୟାଚ୍ ଖେଳିିଥିଲେ । ଏହା ପରେ, ହଠାତ୍ ଏପ୍ରିଲ ୨ରେ ରାବାଡା ଆଇପିଏଲ ମଝିରେ ଛାଡି ଦେଶକୁ ଫେରି ଆସିଲେ । ସେତେବେଳେ କୁହାଗଲା ଯେ ସେ ବ୍ୟକ୍ତିଗତ କାରଣରୁ ଫେରି ଯାଇଥିଲେ । ମେ ୨ରେ ହାଇଦ୍ରାବାଦ ବିପକ୍ଷରେ ଗୁଜରାଟ ବିଜୟର ଗୋଟିଏ ଦିନ ପରେ ରାବାଡା ଦକ୍ଷିଣ ଆଫ୍ରିକା କ୍ରିକେଟର୍ସ ଆସୋସିଏସନ (ଏସଏସିଏ)କୁ ଏକ ବିବୃତ୍ତି ଜାରି କରି ନିଜ ଦେଶକୁ ଫେରିଆସିବାର କାରଣ କହିଥିଲେ । ତାଙ୍କର ଡ୍ରଗ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବାରୁ ତାଙ୍କୁ ହଠାତ୍ ଆଇପିଏଲରୁ ଫେରିବାକୁ ପଡ଼ିଲା ବୋଲି ସେ ଉଲ୍ଲେଖ କରିଛନ୍ତି । ରିପୋର୍ଟ ଅନୁଯାୟୀ, ରାବାଡା ଜାନୁଆରୀ-ଫେବୃଆରୀରେ ଖେଳାଯାଇଥିବା ଏସଏ୨୦ ଲିଗ୍ ସମୟରେ ଏହି ଔଷଧ ବ୍ୟବହାର କରିଥିଲେ । ଯେତେବେଳେ ସେ ଏମଆଇ କେପ୍ ଟାଉନ୍ ପାଇଁ ଖେଳୁଥିଲେ ।