ବିକାଶ ବନାମ୍ ବିନାଶ

କୌଣସି ଏକ ନିର୍ମାଣ କିଛି ଅଂଶରେ ଧ୍ୱଂସ ପ୍ରଥମେ ହିଁ କରିଥାଏ । ଧ୍ୱଂସ ନହେଲେ କୌଣସି ସ୍ଥାନରେ ନିର୍ମାଣଟିଏ ସମ୍ଭବ ନୁହେଁ । ଏହି ନିୟମକୁ ନେଇ ଏବେ ବିଶ୍ୱର ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଓଡ଼ିଶାରେ ଅନେକ ପ୍ରକଳ୍ପ ବର୍ତ୍ତମାନ ଲୋକଙ୍କର ବିରୋଧର ସମ୍ମୁଖୀନ ହେବାର ମୂଳ କାରଣ ଏହି ଧ୍ୱଂସ । ସବୁବେଳେ ସମସ୍ତେ ବିକାଶର କଥା କହି ଆସିଛନ୍ତି । ହେଲେ ବିକାଶର ଆରମ୍ଭରେ ରହିଥିବା ଧ୍ୱଂସ ସମ୍ପର୍କରେ କେହି କେବେ ହେଲେ ପଦୁଟିଏ ମଧ୍ୟ କହନ୍ତି ନାହିଁ । ବିକାଶ ହେଉ, କିନ୍ତୁ ଜଙ୍ଗଲ ଧ୍ୱଂସ ନ ହେଉ-ଏହା ଆଜିର ସମୟରେ ସବୁଠାରୁ ବଡ ବାର୍ତ୍ତା । 
ପୃଥିବୀର ଜଳବାୟୁ ପରିବର୍ତ୍ତନ ଏକ ପ୍ରାକୃତିକ ନିୟମରେ ହୋଇଥାଏ । ପ୍ରତି ୧ ହଜାର ବର୍ଷରେ ପ୍ରାୟତଃ ତିନୋଟି ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଘଟେ ଏବଂ ୧ ଲକ୍ଷ ବର୍ଷରେ ଜଳବାୟୁର ପରିବର୍ତ୍ତନ ଘଟିଯାଇଥାଏ । ବର୍ତ୍ତମାନ ଯନ୍ତ୍ର ସଭ୍ୟତାର ବିକାଶ ପାଇଁ ଗ୍ରହ ଭାବରେ ପୃଥିବୀର ଏହି ପ୍ରାକୃତିକ ନିୟମ ବଦଳିଯାଇଛି । ଗତ ୧୨୦ ବର୍ଷ ମଧ୍ୟରେ ପୃଥିବୀର ଜଳବାୟୁ ପରିବର୍ତ୍ତନ ବଦଳିଗଲାଣି । ଏକ ଆକଳନ ଅନୁସାରେ ପ୍ରତିବର୍ଷ ପୃଥିବୀର ପୃଷ୍ଠରୁ ୨୭ ହଜାର ପ୍ରକାରର ବିଭିନ୍ନ ଜୀବଜନ୍ତୁ, ଉଦ୍ଭିଦ, ଅଣୁଜୀବ ଆଦି ଲୋପ ପାଇବାରେ ଲାଗିଛନ୍ତି । ଏହି ଧାରା ଯଦି କ୍ରମାଗତ ଭାବରେ ଲାଗି ରହେ, ତାହା ହେଲେ ଆସନ୍ତା ୪୦ରୁ ୬୦ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ପ୍ରଜାତିର ଜୀବଜନ୍ତୁ ପୃଥିବୀ ପୃଷ୍ଠରୁ ଲୋପ ପାଇଯିବେ । ଭାରତୀୟ ପ୍ରାଚୀନ ସଭ୍ୟତା ଭାବରେ ଦାବି କରାଯାଉଥିବା ସିନ୍ଧୁ ଉପତ୍ୟାକା ସଭ୍ୟତା ଲୋପ ପାଇଯିବାର କାରଣ ଜଳବାୟୁ ପରିବର୍ତ୍ତନ ବୋଲି ଗବେଷକ ବୈଜ୍ଞାନିକମାନେ ମତ ଦିଅନ୍ତି । ବର୍ତ୍ତମାନ ସମୟରେ ବିଶ୍ୱର ଜଳବାୟୁ ପରିବର୍ତ୍ତନର ଦୁଇଟି ମୁଖ୍ୟ କାରଣ ହେଲା କୋଇଲା ଏବଂ ପେଟ୍ରୋଲିୟମଜାତ ପଦାର୍ଥର ବ୍ୟବହାର । ଯନ୍ତ୍ର ସଭ୍ୟତାକୁ ଆଗେଇ ନେବା ପାଇଁ ଶକ୍ତିର ଉତ୍ସ ଭାବରେ ବର୍ତ୍ତମାନ କୋଇଲା ଏବଂ ପେଟ୍ରୋଲିୟମକୁ ବ୍ୟବହାର କରାଯାଉଛି । ଏହି ଦୁଇ ପଦାର୍ଥର ବ୍ୟବହାର ଫଳରେ ବାୟୁମଣ୍ଡଳରେ କାର୍ବନ୍ର ପରିମାଣ ବୃଦ୍ଧି ପାଉଛି । କାର୍ବନ ପରିମାଣ ବାୟୁମଣ୍ଡଳରେ ବୃଦ୍ଧି ପାଇଲେ ବାୟୁରେ ଥିବା ଯବକ୍ଷାରଜାନ, ଅମ୍ଳଜାନ ଏବଂ କାର୍ବନ୍ର ଆନୁପାତିକ ହାରରେ ବୈଷମ୍ୟ ସୃଷ୍ଟି ହେଉଛି । ଏହି ବୈଷମ୍ୟ ଯୋଗୁଁ କେଉଁଠାରେ ଅତିବୃଷ୍ଟି ହେଉଛି ତ ଆଉ କେଉଁଠାରେ ମରୁଡ଼ି ପଡିଯାଉଛି । ଦ୍ରୁତ ଗତିରେ ଜଙ୍ଗଲର କ୍ଷୟ ମଧ୍ୟ ଏହି ବୈଷମ୍ୟର ଆଉ ଏକ ବଡ଼ କାରଣ । ଭବିଷ୍ୟତର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ଠାରୁ ଯଦି ଜଙ୍ଗଲ ଜମିର ସୁରକ୍ଷା ଦିଗରେ କୌଣସି ସଫଳ ପଦକ୍ଷେପ ନିଆନଯାଏ, ତେବେ ବିକାଶ ନାଁରେ ବିଶ୍ୱ ଏକ ବିନାଶକୁ ଖୁବ୍ କମ୍ କାଳରେ ଦେଖିବ । ଆସନ୍ତା ୨୦୩୦ ମସିହା ସୁଦ୍ଧା ବିଭିନ୍ନ କଳକାରଖାନାରୁ ନିର୍ଗତ ହେଉଥିବା କାର୍ବନ୍ ନିର୍ଗମନକୁ ଅନୂନ୍ୟ ୪୫ ଶତାଂଶ ନ କମାଇଲେ ବିଶ୍ୱ ଏକ ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ମତ ଦେଇ ସାରିଲେଣି । ସେହିପରି ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ସିମେଣ୍ଟର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ବାସଗୃହ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟ ବହୁଳ ଭାବରେ ହେଉଛି । ଏହା ଫଳରେ ବିଶ୍ୱର ସବୁଜ ଅଞ୍ଚଳ ବା ଜଙ୍ଗଲର ପରିସୀମା କମୁଥିବା ବେଳେ କଂକ୍ରିଟ୍ ଜଙ୍ଗଲ ବଢ଼ି ବଢ଼ି ଚାଲିଛି । ବିଶ୍ୱର ତାପମାନକୁ ଏହି କଂକ୍ରିଟ୍ ଜଙ୍ଗଲ ଅବ୍ୟବସ୍ଥିତ କରି ପକାଉଛି । ଏ ଦୃଷ୍ଟିରୁ ଆସନ୍ତା ୬ ବର୍ଷ ଜଳବାୟୁ ସମ୍ପର୍କିତ ପ୍ରସଙ୍ଗ ଗୁଡ଼ିକ ଉପରେ ଲୋକେ ସଚେତନ ନହେଲେ ପ୍ରାକୃତିକ ବିପର୍ଯ୍ୟୟ ଆଉ ବେଶୀ ଦୂର ନୁହେଁ ।