ଟ୍ରମ୍ପଙ୍କୁ କଡ଼ା ଜବାବ ଦେଇଥିବାରୁ ମୋଦିଙ୍କୁ କୃତଜ୍ଞତା ଜଣାଇଲେ କୃଷକ ସଂଗଠନ

  ନୂଆଦିଲ୍ଲୀ :  ଆଜି ଦେଶର କୋଣ ଅନୁକୋଣରୁ ବହୁ ସଂଖ୍ୟକ କୃଷକ ସଙ୍ଗଠନ ମୁଖ୍ୟ ଏବଂ କୃଷକ ଭାଇ ଓ ଭଉଣୀମାନେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସରକାରଙ୍କ ଦୃଢ଼ ପଦକ୍ଷେପକୁ ସ୍ୱାଗତ କରିବା ସହିତ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ନୂଆଦିଲ୍ଲୀର ପୁସା କ୍ୟାମ୍ପସସ୍ଥିତ ସୁବ୍ରମଣ୍ୟମ ହଲରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭଗିରଥ ଚୌଧୁରୀ, କୃଷି ସଚିବ ଦେବେଶ ଚତୁର୍ବେଦୀ, ଭାରତୀୟ କୃଷି ଗବେଷଣା ପରିଷଦର ମହାନିଦେ୍ର୍ଦଶକ ଡ. ଏମ୍.ଏଲ୍.ଜାଟ୍ ଏବଂ ବିଭିନ୍ନ ରାଜ୍ୟର କୃଷକ ସଙ୍ଗଠନର ନେତାମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 
ଏହି ଅବସରରେ ସାରା ଦେଶରୁ ଆସିଥିବା କୃଷକ ସଙ୍ଗଠନର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସରକାରଙ୍କୁ ଗୋଟିଏ ସ୍ୱରରେ କୃତଜ୍ଞତା ଜଣାଇବା ସହ ଏହି ଐତିହାସିକ କୃଷକ-ସମର୍ଥକ ପଦକ୍ଷେପ ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ । ଭାରତୀୟ କିଷାନ ସଂଘର ହରପାଲ ସିଂହ ଡାଗର,  ଧର୍ମେନ୍ଦ୍ର ମଲିକ, ଧର୍ମେନ୍ଦ୍ର ଚୌଧରୀ, ବୀରେନ୍ଦ୍ର ଲୋହାନ, କୃପାଳ ସିଂହ ନାଥୁୱାଲା, କୁଲଦିପ ସିଂହ ବାଜିଦପୁର, ବାବା ରାଜେନ୍ଦ୍ର ସିଂହ ମଲିକ,  ତରୁଣେଶ ଶର୍ମା, କେ. ପି. ସିଂହ ଠେନୁଆ, ଆଚାର୍ଯ୍ୟ ରାମଗୋପାଳ ୱାଲିଆ,  ବିନୋଦ ଆନନ୍ଦ,  ରାଜକୁମାର ବାଲିୟାନ, ବିନୋଦ ଆନନ୍ଦ, ଅଶୋକ ବାଲିୟାନ, ବିପିଚନ୍ଦ୍ର ଆର. ପଟେଲ, ରାମପାଲ ଜାଟ, କୃଷ୍ଣବୀର ଚୌଧୁରୀ, ଭୂପେନ୍ଦ୍ର ସିଂହ ମାନ, କେ. ସାଇ ରେଡ୍ଡୀ ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଥିଲେ ଯେ ଏଠାରେ ଏକ କ୍ଷୁଦ୍ର ଭାରତର ଦୃଶ୍ୟ ଦେଖିବାକୁ ମିଳୁଛି । ମୁଁ ଆପଣଙ୍କୁ ଏବଂ ଏଠାରେ ଉପସ୍ଥିତ ମୋର କୃଷକ ଭାଇମାନଙ୍କୁ ପ୍ରଣାମ କରୁଛି, ଯେଉଁମାନେ ଆଜି କେବଳ ଭାରତକୁ ନୁହେଁ, ସମଗ୍ର ବିଶ୍ୱକୁ ଖାଇବାକୁ ଦେବା ପାଇଁ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି । ଅନ୍ନ ହେଉଛି ଆମର ଜୀବନ ।