ଯୋଗ କଲେ ବଢ଼ିବ କେଶ

ଆଜିକାଲି କେଶ ଝଡ଼ିବା ସାଧାରଣ ସମସ୍ୟା ହୋଇଗଲାଣି । ପୁରୁଷ ହୁଅନ୍ତୁ ବା ମହିଳା ଏହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ବ୍ୟସ୍ତବହୁଳ ଜୀବନଶୈଳୀ, ଚିନ୍ତା, ହରମୋନ୍ ଅନିୟନ୍ତ୍ରତା, ପ୍ରଦୁଷଣ ହେଉଛି ଏହାର କାରଣ । ଏହା ପାଇଁ କିଏ କେତେ ପ୍ରକାର ମହଙ୍ଗା ଚିକିତ୍ସା ସବୁ କରାଉଛନ୍ତି, ମାତ୍ର ଏହାର କିଛି ଖାସ୍ ଲାଭ ମିଳିନଥାଏ । ତେବେ ଏପରି କିଛି ଯୋଗାସନ ରହିଛି ଯାହାର ନିୟମିତ ଅଭ୍ୟାସ କରିବା ଦ୍ୱାରା କେଶ ଝଡ଼ିବା କମ୍ ହେବା ସହ ନୁତନ କେଶ ବୃଦ୍ଧି ହୋଇପାରିବ । ଏସବୁ ଯୋଗାଭ୍ୟାସ ଦ୍ୱାରା ମୁଣ୍ଡରେ ସଠିକ ଭାବରେ ରକ୍ତ ସଂଚାଳନ, ଚାପରୁ ମୁକ୍ତି, ହରମୋନ୍ ସନ୍ତୁଳନ ଆଦି କରିଥାଏ, ଯାହା କେଶ ବୃଦ୍ଧିରେ ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା ଏପରି ୫ଟି ଯୋଗ ଆସନ ଯାହା କେଶ ବୃଦ୍ଧି ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।
ଅଧୋମୁଖ ସ୍ୱାନାସନ : ଅଧୋମୁଖ ସ୍ୱାନାସନ ହେଉଛି ଶ୍ରେଷ୍ଠ ଆସନ ଯାହା ମୁଣ୍ଡରେ ରକ୍ତ ସଞ୍ଚାଳନ ଉନ୍ନତ କରିବା ସହ କେଶ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏହି ଆସନ ଚାପ ହ୍ରାସ କରିଥାଏ, ଯାହା କେଶ ଝଡ଼ିବାର ମୁଖ୍ୟ କାରଣ ଅଟେ । ଏହି ଆସନ ମୁଣ୍ଡରେ ରକ୍ତ ସଞ୍ଚାଳନ ଉନ୍ନତ କରିବା ସହ ବେକ ଏବଂ ମାଂସପେଶୀକୁ ମଜବୁତ କରିଥାଏ ।
ଶୀର୍ଷାସନ : ଶୀର୍ଷାସନକୁ ଆସନମାନଙ୍କ ମଧ୍ୟରେ ଶ୍ରେଷ୍ଠ ଆସନ ବୋଲି କୁହାଯାଏ । ଏହା ମୁଣ୍ଡର ଚର୍ମରେ ରକ୍ତ ପ୍ରବାହକୁ ଠିକ୍ କରିବା ସହ କେଶ ବଢ଼ାଇବାରେ ସାହାଯ୍ୟ କରିଥାଏ । ଏହି ଆସନ କେଶର ମୂଳକୁ ପୋଷଣ ପ୍ରଦାନ କରେ । ଏହା ମୁଣ୍ଡରେ ଅମ୍ଳଜାନ ଓ ରକ୍ତ ପ୍ରବାହକୁ ଉନ୍ନତ କରିଥାଏ, ଯାହାଦ୍ୱାରା କେଶକୁ ଦୃଢ଼ କରିବା ସହ କେଶ ଝଡ଼ିବା ରୋକିବାରେ ସାହାଯ୍ୟ କରିଥାଏ । ଏହି ଆସନ ଚାପ ମୁକ୍ତି ଏବଂ ହରମୋନ ଅସନ୍ତୁଳନ ଗୁଡ଼ିକୁ ଦୂର କରିଥାଏ ଯାହା କେଶ ଝଡ଼ିବାର ମୁଖ୍ୟ କାରଣ ହୋଇଥାଏ ।
ଉତ୍ତାନାସନ : ଉତ୍ତାନାସନ ଚାପ ମୁକ୍ତି, ପାଚନ କ୍ରିୟାରେ ସୁଧାର ଏବଂ ମୁଣ୍ଡର ତ୍ୱଚାରେ ରକ୍ତ ସଞ୍ଚାଳନ ବଢ଼ାଇଥାଏ, ଯାହା ସୁସ୍ଥ କେଶ ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଥାଏ । ଏହି ଆସନ ମୁଣ୍ଡର ତ୍ୱଚାରେ ରକ୍ତ ପ୍ରବାହକୁ ଉନ୍ନତ କରିବା ସହ ପାଚନ କ୍ରିୟାରେ ସୁଧାର ଏବଂ କେଶ ବୃଦ୍ଧି ପାଇଁ ପୋଷକ ତତ୍ତ୍ୱର ସଠିକ ଅବଶୋଷଣ କରିଥାଏ ।
ବଜ୍ରାସନ : ବଜ୍ରାସନ ଅଳ୍ପ କିଛି ଆସନ ମଧ୍ୟରୁ ଗୋଟିଏ ଯାହା ଭୋଜନ ପରେ ମଧ୍ୟ ତୁରନ୍ତ କରାଯାଇପାରିବ । ଉତ୍ତନାସନ ପରି ଏହା ମଧ୍ୟ ଶରୀରରେ ହଜମ ଏବଂ ପୁଷ୍ଟିକର ଅବଶୋଷଣରେ ସାହାଯ୍ୟ କରିଥାଏ ଓ କେଶ ବୃଦ୍ଧି ପାଇଁ ଶରୀରକୁ ଆବଶ୍ୟକ ଭିଟାମିନ୍ ମିଳିବାରେ ନିଶ୍ଚିତ କରିଥାଏ ।
ବାଲାୟାମ ଯୋଗ : ବାଲାୟାମ ଯୋଗ ହେଉଛି ଖୁବ୍ ସହଜ ଏବଂ ଶକ୍ତିଶାଳୀ ଯୋଗ । ଦୁଇ ହାତର ଆଙ୍ଗୁଳିକୁ ପରସ୍ପର ସହ ଘର୍ଷଣ କରି ଏହି ଯୋଗ କରାଯାଏ । ଏହା କେଶ ଝଡ଼ିବା ସମସ୍ୟାକୁ ଦୂର କରିବା ସହ ତ୍ୱଚା ସହ ସଂଯୁକ୍ତ ସ୍ନାୟୁଗୁଡ଼ିକୁ ସକ୍ରିୟକରି ପୁନଃବୃଦ୍ଧି କରିଥାଏ । ଏହା କେଶର ରକ୍ତ ପ୍ରବାହକୁ ସକ୍ରିୟକରି ନୂତନ କେଶ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏହି ଯୋଗାସନର ଅଭ୍ୟାସ ଅଳ୍ପ ବୟସରୁ କେଶ ପାଚିବା ପରି ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ ।