ରାଜଭବନରେ ରାଜସ୍ଥାନ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର : ଏକ ଉସôବ ମୁଖରିତ ପରିବେଶରେ ଆଜି ରାଜଭବନରେ ରାଜସ୍ଥାନ ରାଜ୍ୟର ପ୍ରତିଷ୍ଠା ଦିବସ, ଉଗାଡି ଏବଂ ଗୁଡି ପଡ଼ୱା ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସୁଖ ସମୃଦ୍ଧି କାମନା କରିଛନ୍ତି । ରାଜଭବନର ପାର୍ଟି ଲନ୍ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ରାଜ ଭବନରେ ରାଜସ୍ଥାନ ପ୍ରତିଷ୍ଠା ଦିବସ, ଉଗାଡି ଏବଂ ଗୁଡି ପଡ଼ୱା ପର୍ବ ପାଳନ କରିବା ଏକ ମହାନ ଆନନ୍ଦର ଅବସର । ଇତିହାସ ଓ ପରମ୍ପରାରେ ଗଭୀରଭାବେ ନିହିତ ଏହି ଅବସରଗୁଡ଼ିକ ଆମ ଜାତିର ସାଂସ୍କୃତିକ ବିଶେଷତ୍ୱକୁ ପ୍ରତିଫଳିତ କରୁଛି । "ବିବିଧତା ମଧ୍ୟରେ ଏକତା' ଏବଂ "ଏକ ଭାରତ - ଶ୍ରେଷ୍ଠ ଭାରତ' ଭାବନାକୁ ଏହା ଅଧିକ ଋଦ୍ଧିମନ୍ତ କରୁଛି । ଆଜି ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟର ନୂତନ ବର୍ଷର ଆରମ୍ଭକୁ ଉଗାଡି ଏବଂ ଗୁଡି ପଡ଼ୱା ଭାବେ ପାଳନ କରାଯାଉଛି । ଏହା କୃତଜ୍ଞତାର ସହିତ ନୂତନ ଆରମ୍ଭକୁ ଗ୍ରହଣ କରିବା ଏବଂ ସାଂସ୍କୃତିକ ମୂଲ୍ୟବୋଧକୁ ପୁନଃଜାଗରଣ କରିବାର ସମୟ । ଏହା ଆମକୁ ଆନନ୍ଦ ଓ ଆହ୍ୱାନକୁ ଗ୍ରହଣ କରିବାକୁ ଶିଖାଏ ବୋଲି ରାଜ୍ୟପାଳ କହିଥିଲେ ।
ଏହି ସମାରୋହରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ରାଜ୍ୟପାଳଙ୍କ ଏଡିସି କୁଲଦୀପ ମୀନା ମଧ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁ ବିହାରୀ ଧଳ, ପୋଲିସ୍ ଡିଜି ୱାଇବି ଖୁରାନିଆଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉକ୍ତ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଲୋକ କଳା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ଏବଂ ବିଭିନ୍ନ ରାଜ୍ୟର ବ୍ୟକ୍ତି/ଛାତ୍ରଛାତ୍ରୀ ଓଡ଼ିଶା ଏବଂ ନିଜ ନିଜ ରାଜ୍ୟ ସଂପର୍କରେ ଅଭିଜ୍ଞତା ଓ ଉପଲବ୍ଧି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।