ପ୍ରତୀକାତ୍ମକ ଲୋକାର୍ପଣ, ତଥାପି ରାଗିଗଲା ବିଏମସି

ପ୍ରତୀକାତ୍ମକ ଲୋକାର୍ପଣ, ତଥାପି ରାଗିଗଲା ବିଏମସି

ଭୁବନେଶ୍ୱର  :  ‘ଅଳିଆ ଗଦା ହଟାଅ, ସୈନିକ ସ୍କୁଲ ବଞ୍ଚାଅ’ ଅଭିଯାନକୁ ଆଗକୁ ବଢ଼ାଉଛି ଭୁବନେଶ୍ୱର ଉନ୍ନୟନ ପରିଷଦ  । ଏହି ପ୍ରସଙ୍ଗ ବିଧାନସଭାରେ ବି ଉଠିଛି  । ଶାସକ ଓ ବିରୋଧୀ ବି ଉଦବେଗ ପ୍ରକାଶ କରିଛନ୍ତି  । ଅନେକ ଦିନ ଧରି ପଳାଶୁଣୀ ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଳାଣ୍ଟ ହୋଇଥିଲେବି କାର୍ଯ୍ୟକ୍ଷମ ହେଉନଥିଲା  । ବାରବାର ଲୋକମାନେ ଗୁହାରୀ କଲେବି ବିଏମସି ନିଦାବିଷ୍ଣୁ ସାଜିଥିଲା  । ଶେଷରେ ଚେଇଁ ଶୋଇଥିବା  ବିଏମସିକୁ ନିଦରୁ ଉଠାଇବା ପାଇଁ ଭୁବନେଶ୍ୱର ଉନ୍ନୟନ ପରିଷଦ ପକ୍ଷରୁ ପ୍ରତୀକାତ୍ମକ ଉଦଘାଟନ କରାଯାଇଥିଲା  । ପ୍ରତିବାଦର ଏହା କେବଳ ଏକ ତରିକା ହିଁ ଥିଲା  । କିନ୍ତୁ ବିଏମସି ଏନେଇ ରାଗି ଯାଇଛି  । ଅନୁଷ୍ଠାନର ସଭାପତି ବାସୁଦେବ ଭଟ୍ଟଙ୍କ ସହ ଅନ୍ୟମାନଙ୍କ ନାମରେ ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯାଇଛି  ।
ଏନେଇ ବାସୁଦେବ କହିଛନ୍ତିଯେ, ପଳାଶୁଣୀ ଟ୍ରିଟମେଣ୍ଟ ପ୍ଲାଣ୍ଟ ବିଳମ୍ବ ପାଇଁ ଆମେ ନଡ଼ିଆ ବାଡେଇ ଲୋକାର୍ପିତ କଲୁ  । ଫଳକ ଲଗେଇନୁ, ରାଜକୋଷରୁ ଖର୍ଚ୍ଚ ବି କରିନୁ, ତେବେ ବିଏମସି କାହାପାଇଁ, ଲୋକଙ୍କ ପାଇଁ ନା ନିଜର ପତିଆରା ବୃଦ୍ଧି ପାଇଁ ଏତଲା ଦେଇଛି  । ଭୁବନେଶ୍ୱର ଲୋକଙ୍କ ପାଇଁ ଆମେ ଜେଲ ଯିବାକୁ ପ୍ରସ୍ତୁତ ମାତ୍ର ସୈନିକ ସ୍କୁଲ ଅଳିଆ ଗଦା କେବେ ସ୍ଥାନାନ୍ତରିତ ହେବ କୁହନ୍ତୁ  । ଏହି ଅଞ୍ଚଳ ଦୁର୍ଗନ୍ଧ ମୁକ୍ତ ହେବ କେବେ? ସ୍ମାର୍ଟ ସିଟିର ସ୍ମାର୍ଟ ଲୋକ ବିଏମସି ମେୟର ଓ କମିଶନରଙ୍କୁ ଏହି ପ୍ରଶ୍ନ କରୁଛନ୍ତି  । ବର୍ଷା ଋତୁ ଆସିଲେ ଆଉ କାମ ନକରିବା ବାହାନା ନୁହେଁକି ବୋଲି ସେ ପ୍ରଶ୍ନ କରିବା ସହ କମିଶନର ରାଜେଶ ପ୍ରଭାକର ପାଟିଲଙ୍କୁ ଉତ୍ତର ଦେବାକୁ ଆହ୍ୱାନ ଦେଇଛନ୍ତି  ।
 ବିଏମସି ପକ୍ଷରୁ କୁହାଯାଇଛିଯେ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଗୋଷ୍ଠୀ ସହଯୋଗରେ ପରିମଳ ପରିଚାଳନାର ପୂର୍ଣ୍ଣ ବିକାଶ ପାଇଁ କାର୍ଯ୍ୟମାନ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ମୁଷ୍ଟିମେୟ ବ୍ୟକ୍ତି ଏଥିରେ ବାଧା ସୃଷ୍ଟି କରୁଛନ୍ତି  । ଫଳରେ ଜନସାଧାରଣଙ୍କୁ ସେବା ପହଞ୍ଚାଇବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି  । ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ନିଦେ୍ର୍ଦଶ କ୍ରମେ ପଳାଶୁଣିସ୍ଥିତ ନବ ନିର୍ମିତ ସମନ୍ୱିତ ବର୍ଜ୍ୟ ପରିଚାଳନା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଆସୁଥିବା ବେଳେ ଏଠାରେ ଗତକାଲି ଭୁବନେଶ୍ୱର ଉନ୍ନୟନ ପରିଷଦର ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ କିଛି ଅଜଣା ବ୍ୟକ୍ତି ବେଆଇନ ଭାବେ ଜୋର ଜବରଦସ୍ତ ଅନୁପ୍ରବେଶ କରି ହିଂସାତ୍ମକ କାର୍ଯ୍ୟକଳାପ ପ୍ରଦର୍ଶନ କରିଛନ୍ତି  । ଫଳରେ ସେଠାରେ କିଛି ସମୟ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା  । ଏହା ଭାରତୀୟ ନ୍ୟାୟ ସଂହିତାର ବ୍ୟାପକ ଉଲ୍ଲଘଂନ କରିଅଛି  । ଘଟଣା ସମୟର ଭିଡିଓ ଚିତ୍ର ଓ ଏସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରର ନକଲ ପୋଲିସ ପ୍ରଶାସନକୁ ପ୍ରଦାନ କରାଯାଇଛି  । ଏହି ଘଟଣାର ତଦନ୍ତ କରାଯିବା ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏତଲା ଦିଆଯାଇଅଛି  ।  ସେହିପରି     ପ୍ରଚଳିତ ବିଧିବ୍ୟବସ୍ଥା ଅନୁଯାୟୀ, ଆଉ କୌଣସିଠାରେ ଡମ୍ପିଂ ଗ୍ରାଉଣ୍ଡ କରାଯାଇ ପାରିବନାହିଁ  । ତେଣୁ ଟିଟିଏସକୁ ବର୍ଜ୍ୟ ସଂଗ୍ରହ, ବର୍ଜ୍ୟ ପ୍ରକ୍ରିୟାକରଣ ଏବଂ ପ୍ରକ୍ରିୟାକୃତ ବର୍ଜ୍ୟର ସ୍ଥାନାନ୍ତରସ୍ଥଳ ଭାବେ ବ୍ୟବହାର କରାଯାଉଛି  । ସେଥିପାଇଁ ଏଠାରେ ୱେ ବ୍ରିଜ୍, ପ୍ରକ୍ରିୟାକରଣ ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ଆଧୁନିକ ଉଇଁଣ୍ଡ୍ରୋସ୍ ମେସିନ ଇତ୍ୟାଦି କାର୍ଯ୍ୟକରୁଅଛି । ଏହା ସାଙ୍ଗକୁ ଏନଜିଟଙ୍କ ନିଦେ୍ର୍ଦଶ କ୍ରମେ ଭୁଆଶୁଣୀଠାରେ ବାୟୋ ମାଇନିଂ ମଧ୍ୟ ଚାଲୁରହିଛି ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି  ।