ଚେତନା ଓ ଭଗବତ୍‌ ପ୍ରାପ୍ତି  

ଡ.ଅମୂଲ୍ୟ କୁମାର ପଣ୍ଡା : ଏ ସୃଷ୍ଟିରେ ଭଗବାନ କେବଳ ସାକାର ରୂପ ଧାରଣ କରନ୍ତି ନାହିଁ, ସେ ଅବତାର ନେଇ ମଧ୍ୟ ଏ ସଂସାରରେ ଆବିର୍ଭୂତ ହୁଅନ୍ତି  । ଆମେ ସବୁ ଜୀବ ଅନାଦି କାଳରୁ ଏହି ସଂସାରରେ ଜନ୍ମ ଗ୍ରହଣ କରୁଅଛେ, ତେଣୁ ସମ୍ଭବତଃ ଭଗବାନଙ୍କ ପୂର୍ବ ଅବତାର କାଳରେ ଆମ୍ଭେମାନେ ମଧ୍ୟ ମାନବ ଶରୀରରେ ଏହି ପୃଥିବୀରେ ଥିବା ଏବଂ ଭଗବାନଙ୍କୁ ଦେଖିଥିବା । କିନ୍ତୁ ଭଗବାନଙ୍କର ରୂପ ଦିବ୍ୟ ଥିଲା, ଅଥଚ ଆମର ଆଖି ମାୟିକ ଥିଲା  । ତେଣୁ  ମାୟିକ ଆଖିରେ ତାଙ୍କୁ ଦେଖି ଆମେ ହୁଏତ ତାଙ୍କର ଦିବ୍ୟ ବ୍ୟକ୍ତିତ୍ୱକୁ ଚିହ୍ନି ପାରିନଥିବା  । ଭଗବାନଙ୍କର ଦିବ୍ୟ ସ୍ୱରୂପ ଏପରି ଯେ ବ୍ୟକ୍ତି ତା’ର ଆଧ୍ୟାତ୍ମିକ ସ୍ତର ଅନୁସାରେ ହିଁ ତାଙ୍କ ସ୍ୱରୂପର ଦିବ୍ୟତାକୁ ଅନୁଭବ କରିଥାଏ । ଭଗବାନ ଶ୍ରୀକୃଷ୍ଣ ଙ୍କୁ ନେଇ ଆମେ ଆଲୋଚନା ଟିକେ କରିବା । ସତ୍ତ୍ୱ ଗୁଣୀ ବ୍ୟକ୍ତିମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖି ଭାବନ୍ତି- “ଶ୍ରୀକୃଷ୍ଣ ଜଣେ ଅସାଧାରଣ ବ୍ୟକ୍ତି ଆଉ ସେ ବହୁତ ସମର୍ଥ ଅଟନ୍ତି, କିନ୍ତୁ ସେ ଭଗବାନ ନୁହନ୍ତି  ।” ରଜଗୁଣୀ ବ୍ୟକ୍ତିମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖି ଭାବନ୍ତି - “ତାଙ୍କଠାରେ ସେପରି କିଛି ବିଶେଷତ୍ୱ ନାହିଁ, ସେ ପୂରାପୁରି ଆମ ପରି ଅଟନ୍ତି  ।” ତମଗୁଣ ପ୍ରଧାନ ବ୍ୟକ୍ତିମାନେ ତାଙ୍କୁ ଦେଖି ଚିନ୍ତା କରନ୍ତି, “ସେ ଜଣେ ଅହଂକାରୀ ରାଜା , ନାରୀ ଆସକ୍ତି ବ୍ୟକ୍ତି , ଆମଠାରୁ ମଧ୍ୟ ଖରାପ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ” କେବଳ ଭଗବତ୍‌ ପ୍ରାପ୍ତ ମହାପୁରୁଷମାନେ ଭଗବାନଙ୍କ କୃପାରୁ ଦିବ୍ୟଦୃଷ୍ଟି ପ୍ରାପ୍ତ କରିଥିବା କାରଣରୁ, ଶ୍ରୀକୃଷ୍ଣଙ୍କୁ ଭଗବାନ ବୋଲି ଚିହ୍ନି ପାରନ୍ତି । ମାୟାବଦ୍ଧ ଅଜ୍ଞାନୀ ଜୀବମାନେ ଶ୍ରୀକୃଷ୍ଣଙ୍କୁ ଚିହ୍ନିପାରନ୍ତି ନାହିଁ ।

ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଭଗବତ ପ୍ରାପ୍ତ ମହାପୁଋଷ ଭଗବାନଙ୍କ କୃପା ପାଇବ, ତେବେ ସାଧାରଣ ମଣିଷ ? ହଁ ସାଧାରଣ ମଣିଷଟିଏ ଯଦି ଉଚିତ୍‌ କର୍ମ ସହିତ ଭଗବାନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖି ଆଧ୍ୟାତ୍ମିକ ମାର୍ଗରେ ଯାଇ ନିଜକୁ ସମ୍ପୂର୍ଣ୍ଣ ଭଗବାନଙ୍କ ପାଖରେ ସମର୍ପଣ କରି ଇଶ୍ୱର ଆସକ୍ତ ଓ ଆଶ୍ରିତ ହୁଏ ତେବେ ସେ ଭଗବାନଙ୍କ କୃପା ପାଇପାରିବ । ଭଗବାନ ତାଙ୍କ ସୃଷ୍ଟିର ତାଙ୍କ ନିଜ ଲୋକଙ୍କ ଉପରେ ସଦା ସର୍ବଦା ଅତ୍ୟନ୍ତ ଦୟାଭାବ ରହିଥାଏ । ଅତଏବ ପ୍ରଭୁଙ୍କ କୃପାରୁ ନିଜର କଲ୍ୟାଣ ନିଶ୍ଚିତ ହୋଇଥାଏ , ଏଥିରେ ତିଳେ ହେଲେ ଶଙ୍କା କରିବା ଉଚିତ ନୁହେଁ । ତେବେ ଭଗବାନଙ୍କୁ ଉପଲବ୍ଧ କରିବାକୁ ହେଲେ ପ୍ରତ୍ୟେକ ସମୟରେ ଭଗବତ୍‌ ସ୍ମରଣ ପୂର୍ବକ ଆନନ୍ଦରେ ନିବାସ କରିବାକୁ ହୋଇଥାଏ ଆଉ ଭଗବତ୍‌ ସ୍ମରଣରେ ମୁଗ୍ଧ ହୋଇଯିବା ଦରକାର ହୋଇଥାଏ । ପ୍ରସନ୍ନତା ଓ ଆନନ୍ଦ ତ ଭଗବାନଙ୍କର ସ୍ୱରୂପ ଅଟେ । ନିଜ ଇଷ୍ଟଦେବଙ୍କର ସ୍ମରଣ କର ଅଥବା ଭଗବାନଙ୍କର କୌଣସି ଏକ ସ୍ୱରୂପକୁ ଯେଭଳି ନାରାୟଣ, ରାମଚନ୍ଦ୍ର, ଶିବ, କୃଷ୍ଣ ତଥା ନିରାକାର ଆଦି । ଭଗବତ୍‌ ସ୍ମରଣରେ ଆନନ୍ଦ ହିଁ ଆନନ୍ଦ ରହିଛି, ଅନ୍ୟ କିଛି ନୁହେଁ । ଯଦି କିଏ କହନ୍ତି କି ଭଗବାନଙ୍କର ସ୍ମରଣରେ ଆନନ୍ଦ ମିଳୁନାହିଁ, ତେବେ ଏଥିରୁ ପ୍ରମାଣ ଯେ ସେ ଭଗବାନଙ୍କୁ ସମ୍ପୂର୍ଣ୍ଣ ସମର୍ପଣର ଓ ଆଧ୍ୟାତ୍ମିକ ମାର୍ଗରେ ଡାକି ନାହିଁ ଏବଂ ଆନନ୍ଦ ପ୍ରତୀତ ନ ହେବା ତ ନିଜର ମାନ୍ୟତା ଅଟେ । ଯଦି ସାଧକ କେବଳ ମାନିନେବେ କି, ଭଗବତ୍‌ ସ୍ମରଣରେ ଆନନ୍ଦ ରହିଛି, ତାକୁ ଆଗକୁ ଗଲେ ନିଶ୍ଚିତ ଆନନ୍ଦ ଉପଲବ୍ଧି ହେବ, ତେବେ ଏଥିରେ ଶଙ୍କାର ଆବଶ୍ୟକତା ନାହିଁ । ମାନି ନେବାରେ ହିଁ କଲ୍ୟାଣ ନିହିତ । ଯଦି କିଏ "ଭଗବାନ ଦୟାସାଗର ଅଟନ୍ତି ଆଉ ଭଗବତ୍‌ ସ୍ମରଣରେ ଆନନ୍ଦ ଉପଲବ୍ଧି ହୁଏ’  ଏତିକି ବୁଝିନିଏ ତେବେ ଦୟାମୟ ଭଗବାନ୍‌ ତାକୁ ନିଶ୍ଚିତ ଆନନ୍ଦ ଉପଲବ୍ଧି କରାଇଦେବେ । ତାଙ୍କର ଦୟାଳୁତା ଆମର ନିବେଦନ ଉପରେ ନିର୍ଭର କରେ ।

ଭଗବାନ ସବୁବେଳେ ସମସ୍ତିଙ୍କ ଉପରେ ବହୁତ ଦୟାଶୀଳ  । ଭଗବାନ ଯଦି ଆମକୁ ମନୁଷ୍ୟ ଜନ୍ମ ନ ଦେଇଥାନ୍ତେ, ତେବେ ଆମେ କଣ କରିପାରିଥାନ୍ତେ ? ତାଙ୍କ ଉପରେ ଆମର ବା କଣ ଜୋର ଅଛି ? ପାହାଡ ଅବା ତଦୁପରସ୍ଥ ବୃକ୍ଷ ରୂପରେ ଜନ୍ମ ଦେଇଥିଲେ ଆମେ କଣ କରିପାରିଥାନ୍ତେ, ଏଇଟା ତାଙ୍କର ଇଛା ଉପରେ ନିର୍ଭର କରେ  । କିନ୍ତୁ ଏହା ଭଗବାନଙ୍କର ଅପାର ଦୟା ଯେ ସେ ଆମକୁ ମନୁଷ୍ୟ ଜନ୍ମ ଦେଇଛନ୍ତି, ତେବେ ତାଙ୍କରି ସ୍ମରଣରେ ମୁଗ୍ଧ ନହେବା କାହିଁକି ? ଆମର ଜନ୍ମ ଆର୍ଯ୍ୟାବର୍ତ୍ତରେ ହୋଇଛି, ଯାହା ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ଭୂମି  । ଅନ୍ୟ ସବୁ ଭୂମି ଭୋଗଭୂମି ଅଟେ  । ଏହା କେବଳ ଆଧ୍ୟାତ୍ମଭୂମି, ଯେଉଁଠି ଆମର ଜନ୍ମ ହୋଇଛି  । ଭଗବାନ ସମସ୍ତ ଭୂତ ସମୁଦାୟ ଉପରେ ଅହୈତୁକୀ ଦୟା କରିଥାନ୍ତି  । ଭଗବାନଙ୍କ ଉପରେ ଭରସା ରଖିବା ଦରକାର । କେବଳ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖିଲେ ବି ଆମର ତାଙ୍କପ୍ରତି ଭଲପାଇବା ନ ରହିଲେ ମଧ୍ୟ ତାଙ୍କର ଆମ ପ୍ରତି ଭଲପାଇବା ନିଶ୍ଚିତ ରହିବ  । ଆମେ ଭଗବାନଙ୍କୁ ପ୍ରେମ ପୂର୍ଣ୍ଣ ସ୍ତୁତି ନ କଲେ ମଧ୍ୟ ସେ ଆମର ସହାୟତା ନିଶ୍ଚିତ କରିବେ  । ଏଣୁ ଏ ସବୁ ସମ୍ଭବ କେବଳ ଭଗବତ ପ୍ରାପ୍ତି ଉପରେ ହିଁ ନିର୍ଭର କରେ  ।
ଅରଙ୍ଗାବାଦ ବରୀ ଯାଜପୁର,ମୋବାଇଲ - ୯୯୩୮୯୦୬୦୭୦