ରାହୁଲଙ୍କ ଓଡ଼ିଶା ଗସ୍ତ ପାଇଁ ପିସିସିର ପ୍ରସ୍ତୁତି
ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି ସଂସଦର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ପର୍ବ କରାଯାଇଛି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ବାବୁ ଜଗ୍ଜୀବନ ରାମଙ୍କ ୩୯ ତମ ପୁଣ୍ୟତିଥିରେ ରାହୁଲ ଗାନ୍ଧି ଆସିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଆଖି ଆଗରେ ରଖି ପିସିସି ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପିସିସି ଅନୁସୂଚିତ ଜାତି ବିଭାଗର ରାଜ୍ୟ ଅଧ୍ୟକ୍ଷ ଆଇନଜୀବୀ ମାନସ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ ଜଗ୍ଜୀବନଙ୍କ ଫଟୋରେ ଅର୍ପଣ ପୂର୍ବକ ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ସଭାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ବାବୁ ଜଗ୍ଜୀବନଙ୍କ ସ୍ମୃତିଚାରଣ କରିବା ସହ ରାହୁଲଙ୍କ ଗସ୍ତକୁ ସଫଳ କରିବାକୁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ପିସିସି ଅନୁସୂଚିତ ଜାତି ବିଭାଗ ପୃଷ୍ଠପୋଷକତାରେ ଦୁଇ ହଜାର ଲୋକ ଏକତ୍ରିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ରାଜ୍ୟ କଂଗ୍ରେସ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ସତ୍ୟଜିତ ଗମାଙ୍ଗ, ପୂର୍ବତନ ପିସିସି ଉପସଭାପତି ତଥା ବରିଷ୍ଠ ଆଇନଜୀବି ଶିବାନନ୍ଦ ରାୟ, ପୂର୍ବତନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ, ପୂର୍ବତନ ଅନୁସୂଚିତ ଜାତି ବିଭାଗର ରାଜ୍ୟ ଅଧ୍ୟକ୍ଷ ବାଙ୍କନିଧି ବେହେରାଙ୍କ ସମେତ ଅନ୍ୟମାନେ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ ।