ପଥରକ୍ଷଣୀ-ପୋଇପାଟ ରାସ୍ତା ଶୋଚନୀୟ: ଦୁଇ ବର୍ଷର ରାସ୍ତା ବେହାଲ, ନିମ୍ନମାନର କାର୍ଯ୍ୟ ଅଭିଯୋଗ


କେନ୍ଦ୍ରାପଡ଼ାରୁ ରବି ପଣ୍ଡିତ : କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଞ୍ଚାୟତର ପଥରକ୍ଷଣୀ-ପୋଇପାଟ ରାସ୍ତା ଶୋଚନୀୟ । ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ଏହିପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଗ୍ରାବାସୀମାନେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୨ ବର୍ଷ ତଳେ ଏହି ରାସ୍ତା ନିର୍ମାଣ ହୋଇଥିଲା । କିନ୍ତୁ ଦୁଇ ବର୍ଷ ନ ଯାଉଣୁ ରାସ୍ତାର ଅବସ୍ଥା ସଙ୍ଗୀନ ହୋଇଗଲାଣି । ଏହି ଦେଇ ପୋଇପାଟ ଗ୍ରାମକୁ ଯିବା ଆସିବା କରୁଥିବା ଲୋକମାନେ ହଇରାଣ ହରକତ କରୁଛନ୍ତି । ଏହି ପୋଇପାଟ ଗ୍ରାମରେ ପ୍ରାୟ ୫୦୦ରୁ ଅଧିକ ଲୋକ ବାସ କରନ୍ତି । ଏହି ରାସ୍ତାଦେଇ ଲୋକେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇକୁ ଯିବା ଆସିବା କରିଥାନ୍ତି । କଟକ ଚାନ୍ଦବାଲି ରାସ୍ତାର କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇର ଏହା ହେଉଛି ମଧ୍ୟସ୍ଥଳ । ରାସ୍ତା ଏପରିକି ହୋଇଛି ଯେ ବର୍ଷାଦନରେ ରାସ୍ତାରେ ପାଣି ଭର୍ତ୍ତି ହୋଇଯାଉଛି । ଟିକେ ବେ ହୁସିଆର ହେଲେ ଖାଲ ଭିତରେ ଲୋକେ ପଡୁଛନ୍ତି । ସେହିପରି ଏହି ଗ୍ରାମରୁ କଲେଜ ଓ ସ୍କୁଲକୁ ପିଲାମାନେ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇକୁ ପାଠ ପଢିବା ପାଇଁ ଆସିଥାନ୍ତି ।
ସେହିପରି ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଯିବା ଆସିବା କରିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି । କାରଣ ରାସ୍ତାରେ ଖାଲଖମା ସୃଷ୍ଟି ହୋଇଛି । ଯାହାଫଳରେ ବାଇକ୍ ଓ ସାଇକଲରେ ଯିବା ଆସିବା କରୁଥିବା ଲୋକମାନେ ପଡି ଖଣ୍ଡିଆ ଖାବରା ହେଉଛନ୍ତି । ସେହିପରି ରାସ୍ତା ଭାଙ୍ଗିରୁଜି ଯାଇଥିବାରୁ ଚିପ୍ସ ଖଣ୍ଡ ରାସ୍ତା ଉପରେ ପଡି ରହିଛି । ଗାଡିର ଚକାକୁ ଏହି ଚିପ୍ସ ଖଣ୍ଡଗୁଡିକ ଅନିୟନ୍ତ୍ରିତ କରି ଦେଉଛନ୍ତି । ଯେଉଁ ଠିକାଦାର ଏହି ରାସ୍ତା କାମ କରିଛନ୍ତି ତାଙ୍କ ବିରୋଧରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଗ୍ରାମବାସୀ କୁହିଛନ୍ତି । କାରଣ ଗ୍ରାମ୍ୟ ଉନ୍ନୟନ ବିଭାଗର ତତ୍ତ୍ୱାବଧାନରେ ଏହି ରାସ୍ତା ନିର୍ମାଣ ହୋଇଛି । ଯାହାର ଫଳସ୍ୱରୂପ ଏବେ ଲୋକମାନେ ହଇରାଣ ହରକତ ହେଉଛନ୍ତି । ସରପଞ୍ଚ ଅଶ୍ୱିନୀ ପାତ୍ରଙ୍କୁ ପଚାରିବାରୁ ସେ କହିଲେ ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଏହା ନିର୍ମାଣ କରାଯାଇଛି । କେନ୍ଦ୍ରାପଡାର ଜଣେ ଠିକାଦାର ଏହି ରାସ୍ତା ନିର୍ମାଣ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରଜ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଲେ ଏ ନେଇ ସେ ତଦନ୍ତ କରି ବିହୀତ ପଦକ୍ଷେପ ଗ୍ରହଣ କରିବେ ।