ଜଳବନ୍ଦୀ ପାଇଁ ବଢ଼ିଛି ଦୁର୍ଦ୍ଦଶା
ଭୁବନେଶର: ଝାରଖଣ୍ଡ ଏବଂ ମୟୂରଭଞ୍ଜ ଓ ବାଲେଶ୍ୱରରେ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକାରେ ନଦୀ ଜଳସ୍ତର ବଢିଛି । ଫଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି । ରାଜଘାଟରେ ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ଟପିଥିଲେବି ଜଳସ୍ତର ସ୍ଥିର ରହିଛି । ସେହିପରି ଏନଏଚ-୫ ଗୋବିନ୍ଦପୁରରେ ବୁଢ଼ାବଳଙ୍ଗ ନଦୀ ଜଳସ୍ତର ହ୍ରାସ ପାଉଛି । ଅପରପକ୍ଷରେ ମଥାନିରେ ଜଳକାର ନଦୀ ସ୍ତରରେ ହ୍ରାସ ପରିଲକ୍ଷିତ ହେଉଛି । ତେବେ କେତେକ ଅଞ୍ଚଳ ଜଳବନ୍ଦୀ ଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି । ପାଣି ଛାଡ଼ି ନଥିବାରୁ ଜନତା ଓ ପ୍ରଶାସନ ସତର୍କ ଅଛନ୍ତି । ଆସନ୍ତାକାଲି ସକାଳୁ ରାଜଘାଟରେ ଜଳସ୍ତର କମିଯିବାର ସମ୍ଭାବନା ରହିଛି । ବାଲେଶ୍ୱର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ବିଶେଷକରି ସ୍ଥାନାନ୍ତର ଓ ରିଲିଫ୍ ଉପରେ ଗୁରୁତ୍ୱାରୋପ କରାଯାଇଛି । ଅପରପକ୍ଷରେ ଚଳିତ ଜୁନ୍ରେ ୨୪୫.୨ ମିମି ବର୍ଷା ହୋଇଛି । ସାଧାରଣତଃ ଜୁନ୍ରେ ୨୦୯.୩ ମିମି ବର୍ଷା ହୋଇଥାଏ । ଏହି ସମୟ ମଧ୍ୟରେ ୩ ଜିଲ୍ଳାରେ ଅତ୍ୟଧିକ ବର୍ଷା ହୋଇଥିବାବେଳେ ୯ ଜିଲ୍ଲାରେ ଅଧିକ ବର୍ଷା, ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମୟୂରଭଞ୍ଜ, ଜଗତସିଂହପୁର ଓ ବୌଦ୍ଧରେ ଅତ୍ୟଧିକ ବର୍ଷା ହୋଇଛି । ସ୍ୱାଭାବିକ ଠାରୁ ୬୦%ରୁ ଅଧିକ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ଅପରପକ୍ଷରେ ସୁନ୍ଦରଗଡ଼, ଦେବଗଡ଼, ସୋନପୁର, କେନ୍ଦୁଝର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ୨୦%ରୁ ୫୬% ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି । ଯେତେବେଳେକି ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ଅନୁଗୁଳ ଓ ଯାଜପୁରରେ ସ୍ୱାଭାବିକ ବର୍ଷା ହୋଇଛି । ତେବେ ଝାରସୁଗୁଡ଼ା, ଗଜପତି ଓ ନୂଆପଡ଼ାରେ ନିଅଣ୍ଟିଆ ବର୍ଷା ହୋଇଛି । ସ୍ୱାଭାବିକ ଠାରୁ ୨୨ରୁ ୪୦% କମ୍ ବର୍ଷା ହୋଇଛି ବୋଲି ଆଇଏମଡ଼ି ପକ୍ଷରୁ ସୂଚନା ଦିଆଯାଇଛି ।