ଲଘୁଚାପ ବର୍ଷା: ପାଣିରେ ଲୋଟିଛି ପାଚିଲା ଧାନ; ପନିପରିବା ନଷ୍ଟ ଆଶଙ୍କା

 ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କ ପାଇଁ ଚଡ଼କ ପରି ହୋଇଛି । ବିଲରେ ପାଚିଲା ଧାନ ଲୋଡ଼ିଥିବା ବେଳେ ପନି ପରିବା ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି । ଯାଜପୁର ବ୍ଲକର ସମସ୍ତ ପଞ୍ଚାୟତରେ ଶାରଦ ଧାନ ଓ ପରିବା ଫସଲ ଗୁଡିକୁ ବେଶ କ୍ଷତି ପହଁଚାଇଛି । ରବିଋତୁରେ ଚାଷୀମାନେ ସଅଳ ପନିପରିବା ଚାଷ କରି ବେଶ ଦୁଇ ପଇସା ଅର୍ଜନ କରିବାପାଇଁ ଲକ୍ଷ ରଖିଥିଲେ । ତା ସହିତ ଏହି ସମୟରେ ସାରଦ ଧାନ କଟାକଟି ଚାଲିଥିବା ବେଳେ କିଛି କଟାଯାଇଥିବା ଧାନ କ୍ଷେତରେ ପଡ଼ିଛି । କିଛି ଧାନ ଅମଳ ନହୋଇପାରି ଖଳାରେ ପଡିରହି ଗଜାହେବାକୁ ବସିଲାଣି । ଅଦିନିଆ ବର୍ଷା ପ୍ରଭାବରେ ଦୁଇଦିନ ହେଲା ଚାଷୀ କୂଳ ହତାଶ ହେଉଛନ୍ତି । ବର୍ଷା ଫଳରେ ପରିବାରେ ମଧ୍ୟ ବିଭିନ୍ନ ରୋଗ ଧରିବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ଅଦ୍ୟାବଧି ମଣ୍ଡି ନ ଖୋଲିବାକୁ ନେଇ କୃଷକ ମାନଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଇଛି । ଧାନ କିଆରୀରେ ପାଣି ଜମି ରହିଲେ ଗଛ ଗୁଡ଼ିକ ପଚି ନଷ୍ଟ ହେବାର ଆଶଙ୍କା ରହିଛି । ଚଳିତ ବର୍ଷ ଶାରଦ ଧାନ ଚାଷ ବହୁତ ଭଲ ହୋଇଥିଲା । କଟାକଟି ସମୟରେ ବର୍ଷା ଫଳରେ ଧାନ ଗଛ ଶୋଇ ପଡିବା ସହିତ ବର୍ଷାପାଣିରେ ବୁଡି ଯାଇଥିବାରୁ ଧାନ ଗଜା ହେବାର ଆଶଙ୍କା ଦେଖାଯାଇଛି । ଏଭଳି ସ୍ଥିତିରେ ବର୍ଷାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ କ୍ଷତିଗ୍ରସ୍ତ ଚାଷୀ କୂଳକୁ ସହଯୋଗର ହାତ ବଢାଇବାକୁ ଅନୁରୋଧ କରିଛନ୍ତି । ବର୍ଷାରେ ଶାରଦଧାନ ସହ ପରିବା ଫସଲ ଉଜୁଡ଼ିଯିବାର ବେଶୀ ଆଶଙ୍କା ଦେଖାଦେଇଛି । ବିରି, କୋଳଥ, ମୁଗ, ବାଦାମ, କୋବି, ବାଇଗଣ, ଜହ୍ନି, ଭେଣ୍ଡି, କାକୁଡ଼ି, ଝୁଡ଼ଙ୍ଗ, କଲରା, ପୋଟଳ, ଶାଗ ଆଦି ଫସଲ ବିଶେଷ ପ୍ରଭାବିତ ହବାର ଆଶଙ୍କା ରହିଛି । ଯାଜପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ କୃଷକ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ କରି କୃଷି କାର୍ଯ୍ୟ କରୁଥିବା ବେଳେ କେମିତି ରୁଣ ଶୁଝିବେ ଏନେଇ ଚିନ୍ତାରେ ପଡ଼ିଲେଣି । ଜିଲା ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହୋଇଛି । ସେହିପରି ଲଗାଣ ବର୍ଷା ବିଞ୍ଝାରପୁର ଅଞ୍ଚଳର ହଜାର ହଜାର ଚାଷୀ ପରିବାରକୁ ସର୍ବସ୍ୱାନ୍ତ କରିଛି । ଜରୀ, ବାଙ୍ଗରା, ସିଂହପୁର, ହଳଦୀଢିଅ, ଫଳପୁର, ଟିଣା, ବାଛଳ, ପତେପୁର, ମାଂସଡା, କଲ୍ୟାଣପୁର, ରଣପୁର, ଚନ୍ଦ୍ରମୁ, କପିଳା, ବରପଦା, ଚିକଣା, ଉଡ୍ରଙ୍ଗ, ଉତଙ୍ଗରା, ବିଞ୍ଝାରପୁର, ସୟଦପୁର, ଗୁହଳି, ଘଣ୍ଟିଆଳି, ଅରେଇ, ଶାସନ୍ଦା, ଅଳକୁଣ୍ଡ, ପ୍ରୀତିପୁର,ଉତରକୁଳ ଆଦି ଅଞ୍ଚଳରେ ବ୍ୟାପକ ଭାବେ ଧାନ ଫସଲ ନଷ୍ଟ ହୋଇଛି । କେଉଁଠି ଚାଷୀ ବିଲରେ ଧାନ କାଟି ଜମା କରିଥିଲେ ସେଠାରେ ବର୍ଷା ଯୋଗୁଁ ଗଜା ଧରିଲାଣି ତ ଆଉ କେଉଁଠି ଧାନ କାଟିବାକୁ ଚାଷୀ ଅପେକ୍ଷା କରିଥିବା ବେଳେ ବର୍ଷା ମାଡ଼ରେ ଧାନ ନଷ୍ଟ ହୋଇଛି । ଲଗାଣ ବର୍ଷା ଯୋଗୁଁ ଧାନ ଚାଷୀ ମାନଙ୍କର ହୋଇଥିବା କ୍ଷୟକ୍ଷତିକୁ ତୁରନ୍ତ ଆକଳନ କରି ସେମାନଙ୍କୁ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି । ଅନ୍ୟ ପକ୍ଷରେ ବ୍ଲକ କୃଷି ଅଧିକାରୀ ଜ୍ଞାନ ପ୍ରକାଶ ସାହୁଙ୍କୁ କ୍ଷୟକ୍ଷତି ସମ୍ପର୍କରେ ପଚାରିବାରୁ ସେକୁହନ୍ତି ବିଭିନ୍ନ ଅଞ୍ଚଳରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି, ଖୁବ ଶୀଘ୍ର କୃଷି ବିଭାଗ ପକ୍ଷରୁ ତଦନ୍ତ କରାଯାଇ ରିପୋର୍ଟ ଜିଲ୍ଲାପ୍ରଶାସନକୁ ପ୍ରଦାନ କରାଯିବ ବୋଲି କହିଛନ୍ତି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ  ଧର୍ମଶାଳା ବ୍ଲକ ଅଂଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ଯାହାଫଳରେ ନିଜର ବର୍ଷକର ଦାନା ଉଜୁଡିଯାଇଥିବା ଦେଖି ଚାଷୀ ମୁଣ୍ଡରେ ହାତଦେଇ ବସିଛି  । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ  ଧର୍ମଶାଳା ବ୍ଲକରେ ସର୍ବାଧିକ ୨୦ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ଏଥିଯୋଗୁଁ ଧର୍ମଶାଳା ବ୍ଲକର ହେକ୍ଟର ହେକ୍ଟର ଧାନ ବିଲରେ ପାଣି ଜମିରହିଥିବା ଦେଖିବାକୁ ମିଳିଛି । ଚଳିତବର୍ଷ ଖରିପ ଋତୁରେ୧୧ହଜାର୧୨୫ ହକ୍ଟର ଜମିରେ ଧାନ ଚାଷ କରିବାକୁ ସରକାରୀ ଭାବେ ଲକ୍ଷଧାର୍ଯ୍ୟ କରାଯାଇଥିଲା । ତେବେ ଗତ ଦାନା ବାତ୍ୟା ବେଳେ ଧାନ ଫସଲ ପ୍ରଭାବିତ ହୋଇଥିଲା । ଏବେ ଅମଳ ସମୟରେ ଝିପଝିପ ବର୍ଷା ଲାଗିରହିବାରୁ ଚାଷୀ ପକ୍ଷରେ ଧାନ ଅମଳ କରିବା ସମ୍ଭବପର ହୋଇନାହିଁ । ଏଭଳି ଲଗାଣ ବର୍ଷା ଲାଗିରହିଲେ ବ୍ୟାପକ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ବୋଲି ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ସେଠୀ ସୂଚନା ଦେଇଛନ୍ତି । ବର୍ଷା ଯୋଗୁଁ ଧାନ ଚାଷରେ ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ସେ ସମସ୍ତ ଗ୍ରାମ ସେବକଙ୍କୁ ନିଦେ୍ର୍ଦଶ ଦେଇଥିବା କହିଛନ୍ତି । କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ କୃଷି ସଙ୍ଗଠନ ପକ୍ଷରୁ ଦାବି ହୋଇଛି ।