ଲରିକୁ ପିଟିଲା ବସ, ୮ ମୃତ


ାା ଏଜେନ୍ସି ।ା ଅମରାବତି : ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏକ ଲରିକୁ ପିଟିଛି ଗୋଟିଏ ସରକାରୀ ବସ୍ । ଏଥିଯୋଗୁ ୮ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ଆଞ୍ଚଳିକ ରାଜ୍ୟ ପରିବହନ ନିଗମର ବସ୍ ଲୋକଙ୍କୁ ନେଇ ତିରୁପତିରୁ ବେଙ୍ଗାଲୁରୁ ଯାଉଥିଲା । ତେବେ ଚିତ୍ତୋର-ବେଙ୍ଗାଲୁରୁ ଜାତୀୟ ରାଜପଥର ମୋଗିଲି ଘାଟ ନିକଟରେ ବସ୍ଟି ଗୋଟି ମାଲ ବୋଝେଇ ଲରିକୁ ଧକ୍କା ଦେଇଥିଲା ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟିର ସାମ୍ନା ଭାଗ ପୂରା ଛିନଛତ୍ର ହୋଇଯାଇଛି । ସେହିପରି ଘଟଣାସ୍ଥଳରେ ୮ ଜଣଙ୍କ ମୃତୁ୍ୟ ହୋଇଥିଲା । ଖବର ପାଇ ପୁଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାର ବ୍ୟବସ୍ଥା କରାଯାଇଥିଲା । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତାହତଙ୍କ ପରିବାର ଲୋକଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ସେ ଘଟଣାର ସମୀକ୍ଷା କରିଛନ୍ତି ଓ ଆହତଙ୍କୁ ଯୋଗାଇ ଦିଆଯାଇଥିବା ମେଡିକାଲ ଚିକିସôା କଥା ପଚାରି ବୁଝିଛନ୍ତି । ଚିତ୍ତୋର ଜିଲ୍ଲାପାଳ ସୁମିତ କୁମାର କହିଛନ୍ତି, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କ ପାଇଁ ସରକାର ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ।