ରାଜ୍ୟ ବିଧି ଆୟୋଗ କାର୍ଯ୍ୟାଳୟ ଉଦ୍ଘାଟିତ 

 ଭୁବନେଶ୍ୱର  : ଓଡ଼ିଶା ରାଜ୍ୟ ବିଧି ଆୟୋଗ କାର୍ଯ୍ୟାଳୟକୁ ଆଜି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟିତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି କି, ଭୁବନେଶ୍ୱର ସ୍ଥିତ ତୋଷାଳୀ ଭବନ ପରିସରରେ ସ୍ଥାପିତ ଆୟୋଗଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଚଳିତ ଆଇନର ତର୍ଜମା, ପରିବର୍ତ୍ତନ ଓ ସଂଶୋଧନ କରିବା ଦିଗରେ ସରକାରଙ୍କୁ ପରାମର୍ଶ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏଥିସହ ୧୯୬୯ ମସିହାରେ ଗଠିତ ରାଜ୍ୟ ଆଇନ ସଂଶୋଧନ କମିଟିକୁ ଅଧିକ କାର୍ଯ୍ୟକ୍ଷମ କରିବା ସହ ରାଜ୍ୟର ପ୍ରଚଳିତ ଆଇନ ଏବଂ ସମକାଳିନ ତାଲିକାରେ ଆସୁଥିବା ଆଇନ ଗୁଡିକର ପରିବର୍ତ୍ତନ ଏବଂ ସଂଶୋଧନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର "ଓଡିଶା ରାଜ୍ୟ ବିଧି ଆୟୋଗ' ଗଠନ କରିଛନ୍ତି । ଏହା ଓଡ଼ିଶା ସରକାରଙ୍କ ଦ୍ୱାରା ଏକ ଯୁଗାନ୍ତକାରୀ ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।
ଏହି ଅବସରରେ ଆୟୋଗର ଅଧ୍ୟକ୍ଷ ନ୍ୟାୟମୁର୍ତ୍ତି ବିଶ୍ୱନାଥ ରଥ, ଆୟୋଗର ପଦପ୍ରଯୁକ୍ତ ସଦସ୍ୟ ତଥା ମହାଧିବକ୍ତା ପିତାମ୍ବର ଆଚାର୍ଯ୍ୟ ଓ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକଙ୍କ  ସହିତ ଆୟୋଗର ମାନ୍ୟବର ସଦସ୍ୟ ତଥା ପ୍ରଫେସର ଲଳିତ କୁମାର ଦେବ, ସୂର୍ଯ୍ୟ ପ୍ରସାଦ ମିଶ୍ର ଓ ସୌର ଚନ୍ଦ୍ର ମହାପାତ୍ର,  ଆୟୋଗର ସଦସ୍ୟ ସଚିବ ଗଙ୍ଗାଧର ସେଠି ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର ଆସୋସିଏସନର ସଭାପତି ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । 
ଏତଦବ୍ୟତୀତ ବିଧି ଚେତକ ତଥା ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ସ୍ୱତନ୍ତ୍ର ଶାସନ ସଚିବ ଭଗବାନ ପ୍ରସାଦ ସାହୁ,  ଦ୍ୱିତୀୟ ଅତିରିକ୍ତ ବିଧି ଚେତକ ତଥା ଅତିରିକ୍ତ ଶାସନ ସଚିବ ବିଭୁ ପ୍ରସାଦ ପଣ୍ଡା ଏବଂ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।